Below header

ଶବର ଚିକିତ୍ସା କରୁଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ, ପରିବାର ପାଖକୁ ଆସିଲା ୧୪ ଲକ୍ଷର ବିଲ୍‌! ଥାନାରେ ଅଭିଯୋଗ

ହରିୟାଣା ସୋନୀପତର ଏକ ଘରୋଇ ହସ୍ପିଟାଲ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ବିଲ୍‌ କରିବା ପାଇଁ ଶବର ଚିକିତ୍ସା କରୁଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଏପରି କି, ପରିବାର ଲୋକଙ୍କୁ ଭେଟିବାକୁ ବି ଦେଉ ନ ଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ଜାଣିଶୁଣି ମୃତ୍ୟୁ ପରେ ଚିକିତ୍ସା କରୁଥିବା କହିଲେ ମୃତକଙ୍କ ପରିବାର । ଏହି ଘଟଣାକୁ ନେଇ ପରିବାର ସଦସ୍ୟ ଓ ସମ୍ପର୍କୀୟ ହସ୍ପିଟାଲରେ ପ୍ରବଳ ପାଟିତୁଣ୍ଡ କରିବା ସହ ମୁଖ୍ୟ ଫାଟକରେ ଧାରଣାରେ ବସିଥିଲେ, ଯାହାକି ଚର୍ଚ୍ଚାର ବିଷୟ ହୋଇଛି।

ସୋନୀପତ ରାଇ ଗାଁର ଧର୍ମବୀର ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ପରିବାର ଲୋକେ ୧୦ ଦିନ ପୂର୍ବରୁ ତାଙ୍କୁ ଏହି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ହସ୍ପିଟାଲ ପକ୍ଷରୁ ଧର୍ମବୀରଙ୍କ ମସ୍ତିଷ୍କର ରକ୍ତନଳୀ ଫାଟି ଯାଇଥିବା କୁହାଯାଇଥିଲା। ଚିକିତ୍ସା ପାଇଁ ୪ ଲକ୍ଷ ଟଙ୍କା ଜମା କରିବାକୁ ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ । ଅପରେସନ ପରେ ରୋଗୀ ସୁସ୍ଥ ହୋଇଯିବେ ବୋଲି କୁହାଯାଇଥିଲା ।

୧୦ ଦିନ ପରେ ସନ୍ଦେହ ବଢିବା ପରେ ପରିବାର ଲୋକେ ପାଟିତୁଣ୍ଡ କରିଥିଲେ । ଏହାପରେ ତାଙ୍କର ମୃତ୍ୟୁ ହୋଇଥିବା କହିଥିଲେ ଡାକ୍ତର । ୧୦ ଦିନ ଭିତରେ ୧୪ ଲକ୍ଷର ବିଲ ଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ। ଏ ନେଇ ପରେ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ଧର୍ମବୀରଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ଏହି ଘଟଣାରେ ସେମାନେ ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.