ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ଟିକେଟ୍‌ ଦେଲା ଟିଏମ୍‌ସି, ହୁଗୁଳିରୁ ଲଢ଼ିବେ ନିର୍ବାଚନ

ତୃଣମୂଳ କଂଗ୍ରେସ ୪୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି । ଟିଏମସି ହୁଗୁଳି ଲୋକସଭା ଆସନରୁ ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ଟିକେଟ୍ ଦେଇଛି ।

ତୃଣମୂଳ କଂଗ୍ରେସ (ଟିଏମସି) ୪୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି । ଟିଏମସି ହୁଗୁଳି ଲୋକସଭା ଆସନରୁ ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ଟିକେଟ୍ ଦେଇଛି । ରଚନା ବିଜେପି ସାଂସଦ ତଥା ଅଭିନେତ୍ରୀ ଲକେଟ୍ ଚାଟାର୍ଜୀଙ୍କ ବିପକ୍ଷରେ ହୁଗୁଳି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ।

ରଚନା ବାନାର୍ଜୀ ବଙ୍ଗଳା ମନୋରଞ୍ଜନ ଇଣ୍ଡଷ୍ଟ୍ରୀରେ ଜଣେ ଜଣାଶୁଣା ଅଭିନେତ୍ରୀ । ସେ ଅନେକ ଓଡ଼ିଆ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଓଡ଼ିଆ ଇଣ୍ଡଷ୍ଟ୍ରୀରେ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଫିଲ୍ମରେ କାମ କରି ସେ ଜଣେ ଲୋକପ୍ରିୟ ଅଭିନେତ୍ରୀ ପାଲଟିଥିଲେ । ଓଡ଼ିଆ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିଲେ ରଚନା । ପଶ୍ଚିମବଙ୍ଗର ହୋଇଥିଲେ ମଧ୍ୟ ତାଙ୍କୁ ଓଡ଼ିଆ ଦର୍ଶକ ବେଶ୍‌ ଗ୍ରହଣ କରିଥିଲେ । ବର୍ତ୍ତମାନ ସେ ବଙ୍ଗୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରୁଛନ୍ତି ।

ନିକଟରେ ମମତା ବାନାର୍ଜୀ ରଚନା ବାନାର୍ଜୀଙ୍କ ଦ୍ୱାରା ହୋଷ୍ଟ୍‍ କରାଯାଉଥିବା ଶୋ’ ‘ଦିଦି ନମ୍ବର ୧’ର ସେଟ୍‌କୁ ଯାଇଥିଲେ । ରଚନା ବାନାର୍ଜୀ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସହ ଫିଲ୍ମ ‘ସୂର୍ଯ୍ୟବଂଶମ୍‌’ରେ ବି କାମ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଗୌରୀ ଚରିତ୍ରରେ ସେ ଅଭିନୟ କରିଥିଲେ । ଯଦିଓ ଏବେ ରଚନା ବହୁ ବର୍ଷ ପୂର୍ବରୁ ଫିଲ୍ମରୁ ନିଜକୁ ଦୂରେଇ ନେଇଛନ୍ତି । ବର୍ତ୍ତମାନ ସେ ଛୋଟ ପରଦାରେ ନଜର ଆସୁଛନ୍ତି । ଗତ ୧୦ ବର୍ଷ ଧରି ରଚନା ‘ଦିଦି ନମ୍ବର ୧’ ଶୋ’କୁ ହୋଷ୍ଟ୍‍ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.