ଦୁଷ୍କର୍ମରେ ଉତ୍ତର ପ୍ରଦେଶ ନମ୍ବର ୧! ପ୍ରତିଦିନ ଘଟୁଛି ୧୧ ଘଟଣା; NCRBରୁ ମିଳିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ଉତ୍ତର ପ୍ରଦେଶର ଉନ୍ନାଓରେ ପୁଣିଥରେ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ୧୦ ନଭେମ୍ବରରେ ଭିନ୍ନ ଜାତିର ଜଣେ ଯୁବତୀଙ୍କୁ ତାଙ୍କ ଘରେ ହିଁ ଦୁଷ୍କର୍ମ କରାଯାଇଛି। ଏହି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ମୁତାବକ, ୟୁପିର ଉନ୍ନାଓରେ ଜଣେ କଲେଜ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଥିଲେ। ଏହି ଅଭିଯୋଗରେ ୨୫ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଛି। କୋତଓ୍ଵାଲି ସଦର ଅନ୍ତର୍ଗତ ଏକ ଗାଁରେ ଭିନ୍ନ ଜାତିର ଯୁବତୀଙ୍କ ମୃତଦେହ ତାଙ୍କ ଘର ଅଗଣାରେ ମିଳିଥିଲା।

ଆମ ସମାଜରେ ଏଭଳି ଦୁଷ୍କର୍ମ ଘଟଣା ଦିନକୁ ଦିନ ବଢ଼ି ଚାଲିଛି। ପ୍ରତି ମୁହୂର୍ତ୍ତରେ କେହି ନା କେହି ନିରୀହ ଦୁଷ୍କର୍ମର ଶିକାର ହେଉଛି। ସେମାନଙ୍କ ଜୀବନ ସହିତ ଖେଳାଯାଉଛି। NCRB ଅର୍ଥାତ୍‌ ନ୍ୟାସନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ ମୁତାବକ, ପୂରା ଦେଶରେ ପ୍ରତିଦିନ ୮୬ ଦୁଷ୍କର୍ମ ମାମଲା ସାମ୍ନାକୁ ଆସୁଛି। ସେଥି ମଧ୍ୟରୁ କେବଳ ଉତ୍ତର ପ୍ରଦେଶରେ ୧୩% ଅର୍ଥାତ୍‌ ଦୈନିକ ୧୧ ଘଟଣା ଘଟୁଛି।

NCRB ତଥ୍ୟ କହୁଛି ଯେ ୨୦୧୪ରେ ୩,୪୬୭, ୨୦୧୭ରେ ୪,୨୪୬ ଏବଂ ୨୦୨୦ରେ ୨,୭୬୯ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଅର୍ଥାତ୍‌ ମାମଲା ଧୀରେ ଧୀରେ କମିଛି। NCRB ମୁତାବକ, ୟୁପିରେ ଦୁଷ୍କର୍ମର ୫୭% ମାମଲାରେ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରାଯାଇଥାଏ। ପ୍ରାୟତଃ ଏଗୁଡ଼ିକ ସେହିଭଳି ମାମଲା ହୋଇଥାଏ, ଯେଉଁଥିରେ ପୀଡ଼ିତା ଏବଂ ଅଭିଯୁକ୍ତ ପୂର୍ବରୁ ପାରସ୍ପରିକ ସହମତି ଭିତ୍ତିରେ ଶାରୀରିକ ସମ୍ବନ୍ଧ ରଖି ଥାଆନ୍ତି। କିନ୍ତୁ ପରେ ଯୁବକ ଜଣକ ଯୁବତୀଙ୍କୁ ଆପଣାଇବାକୁ ମନା କରି ଦିଅନ୍ତି। ଏହା ବ୍ୟତୀତ ୩୭% ମାମଲାରେ ଦୁଷ୍କର୍ମ କରୁଥିବା ବ୍ୟକ୍ତି କୌଣସି ସମ୍ପର୍କୀୟ କିମ୍ବା ଜଣାଶୁଣା ହୋଇଥାଆନ୍ତି। କେବଳ ୬% ଦୁଷ୍କର୍ମ ଅଭିଯୁକ୍ତଙ୍କୁ ପୀଡ଼ିତା ଜାଣି ନ ଥାଆନ୍ତି। ଅର୍ଥାତ୍‌ ସେମାନଙ୍କୁ ଚିହ୍ନି ନ ଥାଆନ୍ତି।

ଆଇପିସି ଧାରା ୩୭୫ ଓ ୩୭୬ ଅଧୀନରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥାଏ। ଏଥିରେ ଦୁଷ୍କର୍ମ ଦଣ୍ଡ ବିଷୟରେ ବର୍ଣ୍ଣନା କରାଯାଇଛି। ଧାରା ୩୭୬ରେ ଦୋଷୀକୁ ଅତି କମ୍‌ରେ ୫ ବର୍ଷ କାରାଦଣ୍ଡ ଏବଂ ସର୍ବାଧିକ ୧୦ ବର୍ଷ ପର୍ଯ୍ୟନ୍ତ କଠୋର ଦଣ୍ଡ ଦିଆଯାଇଥାଏ। କିନ୍ତୁ ନିର୍ଭୟା କାଣ୍ଡ ପରେ ସମ୍ବିଧାନ ସଂଶୋଧନ ହୋଇଥିଲା। ଆଇପିସି ଧାରା ୩୭୬ ଇ ଅଧୀନରେ ଦୋଷୀମାନଙ୍କୁ ଆଜୀବନ ନଚେତ୍‌ ଫାଶି ବି ଦିଆଯାଇ ପାରିବ।

ୟୁପିରେ ମହିଳାଙ୍କ ସୁରକ୍ଷା ପାଇଁ ଆଣ୍ଟି ରୋମିଓ ସ୍କ୍ଵାଡ୍‌ ଗଠନ କରାଯାଇଥିଲା। କିନ୍ତୁ ଏହା ଅଧୀନରେ ଏ ପର୍ଯ୍ୟନ୍ତ କୌଣସି ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିନାହିଁ। ଗତ ୬ ବର୍ଷରେ ଦୁଷ୍କର୍ମ ଘଟଣା କମିବାରେ ଲାଗିଛି। ଅର୍ଥାତ୍‌ ଆଇନ ଦୁଷ୍କର୍ମକାରୀଙ୍କ ଉପରେ ଲଗାମ୍‌ ଲଗାଇବାରେ ସଫଳ ହୋଇଛି।

ୟୁପିର ଏଡିଜି ଆଶୁତୋଷ ପାଣ୍ଡେ କହିଛନ୍ତି, ମହିଳାମାନେ ଦୁଷ୍କର୍ମ ଭଳି ଜଘନ୍ୟ ଘଟଣା ଉପରେ ଏକଦମ୍‌ ଚୁପ୍‌ ରହିବା ଉଚିତ୍‌ ନୁହେଁ। ଦୁଷ୍କର୍ମ କରୁଥିବା ବ୍ୟକ୍ତି ତାଙ୍କ ଚିହ୍ନା ପରିଚିତ ହୋଇଥାଉ ନା କାହିଁକି, ସେମାନେ ଏ ନେଇ ପୋଲିସ ନିକଟରେ ନିଶ୍ଚୟ ଅଭିଯୋଗ କରିବା ଦରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.