କ୍ୟାମେରା ସମ୍ମୁଖରେ ବନ୍ଧୁକ ହଲାଇ ନାଚିଲେ ଆପ୍‌ ପ୍ରାର୍ଥୀ! ଭିଡିଓ ଭାଇରାଲ ପରେ ଦିଲ୍ଲୀ ପୋଲିସ କଲା ମାମଲା ରୁଜୁ

ଦିଲ୍ଲୀ ନଗର ନିଗମ (MCD) ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ସ୍ୱରୂପ ନଗର ପ୍ରାର୍ଥୀ ଯୋଗିନ୍ଦ୍ର ସିଂ ଓରଫ୍‌ ବଣ୍ଟିଙ୍କ ବିରୋଧରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଛି। ତାଙ୍କ ନାମରେ ଆର୍ମସ୍ ଆକ୍ଟ ଅଧୀନରେ ମାମଲା ରୁଜୁ କରାଯାଇଛି। ବାସ୍ତବରେ, ଯୋଗିନ୍ଦ୍ର ସିଂଙ୍କର ଏକ ଭିଡିଓ ନଭେମ୍ବର ୨୯ରେ ଭାଇରାଲ ହୋଇଥିଲା, ଯେଉଁଥିରେ ଆପ୍‌ ପ୍ରାର୍ଥୀ ନିଶାରେ ଚୁର୍‌ ହୋଇ ଡ୍ୟାନ୍ସ କରୁଥିଲେ ଏବଂ ନିଜ ପ୍ୟାଣ୍ଟ ପକେଟରୁ ବନ୍ଧୁକ ବାହାର କରି କ୍ୟାମେରା ସାମ୍ନାରେ ହଲାଉଥିଲେ।

ଭିଡିଓ ଲୋକଲୋଚନକୁ ଆସିବା ପରେ ସ୍ୱରୂପ ନଗର ଥାନାରେ ବଣ୍ଟିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି। ଏହି ଭିଡିଓ ଭାଇରାଲ ହେବା ପରେ ଆମ୍ ଆଦମୀ ପାର୍ଟି ତରଫରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।

ଯୋଗିନ୍ଦ୍ର ସିଂ ଆମ୍ ଆଦମୀ ପାର୍ଟି ଟିକେଟରେ ସ୍ୱରୂପ ନଗରର ୱାର୍ଡ ନମ୍ବର ୧୯ରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପୋଲିସ ବର୍ତ୍ତମାନ ତଦନ୍ତ କରିବ କି, ଭିଡିଓଟି କେବେକାର।

ସେପଟେ ଏହି ମାମଲାରେ ଦିଲ୍ଲୀ ପୋଲିସ ଏକ ଟ୍ଵିଟ୍‌ କରିଛି, ଯେଉଁଥିରେ ଲେଖା ହୋଇଛି, ‘ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଯେଉଁ ବ୍ୟକ୍ତି ନାଚୁଛନ୍ତି ଏବଂ ବନ୍ଧୁକ ହଲାଉଛନ୍ତି, ତାଙ୍କ ବିଷୟରେ ତଥ୍ୟ ସଂଗ୍ରହ କରାଯାଇଛି। ଅଭିଯୁକ୍ତ MCD ନିର୍ବାଚନରେ ଏକ ରାଜନୈତିକ ଦଳର ପ୍ରାର୍ଥୀ। ଉପଯୁକ୍ତ ଧାରା ଅନୁସାରେ ତାଙ୍କ ନାମରେ ଥାନାରେ ମାମଲା ରୁଜୁ କରାଯାଇଛି ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି’।

ସୂଚନାଥାଉ କି, ୨୫୦ ୱାର୍ଡ ପାଇଁ ଦିଲ୍ଲୀ ନଗର ନିଗମର ନିର୍ବାଚନ ୪ ଡିସେମ୍ବରରେ ଅନୁଷ୍ଠିତ ହେବ। ଏହି ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାରେ ବିଜେପି, କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ଜୋର୍‌ଦାର ଟକ୍କର ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.