ଏ କୁନି ପିଲାଟିର ଦୁଃଖ ଶୁଣିଲେ ଆପଣଙ୍କ ମନ ବି ଓଦା ହୋଇଯିବ, ଥରେ ଦେଖନ୍ତୁ ଏ ଭିଡିଓ

ବାପା ନିଶ୍ଚୟ ଭଲ ହୋଇଯିବେ। ଆଉ ଭଲ ହୋଇଗଲେ ମୋ ପାଇଁ ନୂଆ ପ୍ୟାଣ୍ଟ ସାର୍ଟ ଆଣିଦେବେ। ମନରେ ଏମିତି କେତେ କଣ ଆଶା ରଖି ବାପାକୁ ଷ୍ଟ୍ରେଚରରେ ଠେଲି ଠେଲି ମେଡିକାଲ ବାହାରକୁ ନେଉଛି ଆଠ/ଦଶ ବର୍ଷର କୁନି ପିଲାଟି। ମାଆ ଆଗରେ ଟାଣୁଛି ଆଉ ପଛରୁ ଠେଲୁଛି ପୁଅ । ଆଉ ଷ୍ଟ୍ରେଚର ଉପରେ ଜୀବନ ନଥିଲା ଭଳି ପଡି ରହିଛି ମଣିଷଟିଏ।

ମନକୁ କଷ୍ଟ ଦେଉଥିବା ଏ ଦୃଶ୍ୟ ହେଉଛି ଭୁବନେଶ୍ୱର କ୍ୟାପିଟାଲ ହସପିଟାଲ ପରିସରର। ଷ୍ଟ୍ରେଚର ଉପରେ ଥିବା ବ୍ୟକ୍ତି ହେଉଛନ୍ତି ଭୁବନେଶ୍ୱର ବିଜେବି ନଗର ମଇଷାଖାଲ ବସ୍ତି ଅଞ୍ଚଳର ବାବୁନା ଦାସ। ପେସାରେ ଡ୍ରାଇଭର। ଗାଡି ଚଲାଇ ଯାହା ଦୁଇ ପଇସା ରୋଜଗାର ହେଉଥିଲା ସେଥିରେ ଚଳୁଥିଲେ ସ୍ତ୍ରୀ, ପୁଅ-ଝିଅ ମିଶି ଚାରି ପ୍ରାଣୀ କୁଟୁମ୍ବ । ସବୁକିଛି ଠିକ ଠାକ୍ ଥିଲା, ଦୁଃଖେକଷ୍ଟେ ଚାଲିଥିଲା ସଂସାର। କିନ୍ତୁ ବୋଧହୁଏ ବିଧାତା କିଛି ଅଲଗା ଚାହୁଁଥିଲା, ସେଥିପାଇଁ ହଠାତ୍ ଘୋଟି ଆସିଲା ଦୁଃଖର କଳା ବାଦଲ।

autoମେଡିକାଲରେ ବାପାକୁ ଷ୍ଟ୍ରେଚରରେ ଟାଣି ଯାଣି ନେଉଥିବା ଏହି କୁନି ପିଲାଟିକୁ ଦେଖି ଆମ ରିପୋର୍ଟର ରାଜା ତାକୁ ପ୍ରଶ୍ନ କଲେ। କଣ ହୋଇଛି ବାପାଙ୍କର ? ଏମିତି କାହିଁକି ଟାଣି ଟାଣି କୁଆଡେ ନେଉଛ? ପିଲାଟି କୋହଭରା କଣ୍ଠରେ କହିଲା, ବାପାଙ୍କ ପରିଶ୍ରା ନଳୀ ବଦଳାଇବାକୁ ଆସିଥିଲି। ପ୍ରତ୍ୟେକ ମାସ ଏମିତି ଆସିବାକୁ ପଡୁଛି । ତେବେ ପିଲାଟି ପାଖରୁ ଏହା ଶୁଣିସାରିବା ପରେ ଅଧିକ କିଛି ଖବର ପାଇଁ ଆମ ରିପୋର୍ଟର ପହଁଚିଥିଲେ ତାଙ୍କ ଘରେ। ଆଉ ସେଠାରୁ ସେ ଯାହା ଶୁଣିଲେ ଓ ଦେଖିଲେ ସେଥିରେ ସଂସାରର ଆଉ ଜଣେ ଦୁଃଖୀଙ୍କ କାହାଣୀ ଆସିଲା ପଦାକୁ ।

ଆଜକୁ ପ୍ରାୟ ଦୁଇ ବର୍ଷ ତଳେ ବାବୁନା ଡ୍ରାଇଭିଙ୍ଗ ପାଇଁ ଯାଉଥିବା ବେଳେ ଅଜଣା ଗାଡ଼ି ଧକ୍କାର ଶିକାର ହୋଇ ମେଡିକାଲରେ ପଡିଲେ। ଆଉ ଅଣ୍ଟା ଅଚଳ ହୋଇଗଲା । ସେବେ ଠାରୁ ଚିକିତ୍ସିତ ହେଉଛନ୍ତି ସତ ହେଲେ ଅଣ୍ଟା ଠାରୁ ତଳକୁ କାମ କରୁନି । ଅନେକ ଚେଷ୍ଟା ପରେ ବି ଭଲ ହୋଇ ପାରୁ ନାହାଁନ୍ତି ବାବୁନା। ଘରେ ଯାହା ଟଙ୍କା ପଇସା ଥିଲା ସବୁକିଛି ସ୍ୱାମୀଙ୍କ ଚିକିତ୍ସାରେ ଖର୍ଚ୍ଚ କରି ସାରିଲେଣି ବାବୁନାଙ୍କ ସ୍ତ୍ରୀ ରୁନୁ। ଏପଟେ ରୋଜଗାର ନାହିଁ, ଦୁଇ ପିଲା ଚଳିବେ କେମିତି ଖାଇବେ କଣ? ସେଥିପାଇଁ ସ୍ଵାମୀଙ୍କ ଏଭଳି ଅବସ୍ଥାରେ ରୁନୁ ପରଘରେ ବାସନ ମାଜି ପରିବାର ଚଳାଉଛନ୍ତି।

babunaକାହା ଆଗରେ ହାତ ପତାଇ ନାହାନ୍ତି । ତଥାପି ତାଙ୍କ ଦୁଃଖ ଦେଖି ହେବନାହିଁ । ସହାୟତା ପାଇଲେ ପରିବାରଟି ବଞ୍ଚିଯିବ । ବାବୁନାଙ୍କ ଚିକିତ୍ସା ହୋଇ ପାରିବ । ଏଇ ଆଶା ଅଛି, କେହି ନା କେହି ତ ଆଗେଇ ଆସିବେ ସାହାଯ୍ୟ ପାଇଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.