ସୁପ୍‌ ବନାଇବା ପାଇଁ କାଟିଥିଲେ ନାଗସାପ, ୨୦ ମିନିଟ୍‌ ପରେ ଚୋଟ ପକାଇଲା କଟା ମୁଣ୍ଡ, ଘଟଣାସ୍ଥଳରେ ଶେଫ୍‌ଙ୍କ ମୃତ୍ୟୁ

ସର୍ପ ଦଂଶନରେ ଲୋକର ମୃତ୍ୟୁ ହେବା ସାଧାରଣ କଥା। କିନ୍ତୁ ଦକ୍ଷିଣ ଚୀନରେ ଏମିତି ଏକ ଘଟଣା ଘଟିଛି, ଯାହା ବିଷୟରେ ଶୁଣିଲେ ଆପଣ ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ଏକ ରେଷ୍ଟୁରାଣ୍ଟର ଶେଫ୍‌ ନାଗ ସାପର ମୁଣ୍ଡ କାଟି ଅଲଗା ରଖି ଦେଇଥିଲେ। ଏହାପରେ ସେ ସାପର ସୁପ୍‌ ବନାଇବା ପ୍ରସ୍ତୁତିରେ ଲାଗି ପଡ଼ିଥିଲେ। ପାଖାପାଖି ୨୦ ମିନିଟ୍‌ ପରେ ଶେଫ୍‌ ସେହି କଟା ମୁଣ୍ଡକୁ ଫିଙ୍ଗିବା ପାଇଁ ଯେମିତି ହିଁ ଉଠାଇଥିଲେ, ତ ତାଙ୍କୁ ଜୋର୍‌ଦାର ଝଟକା ଲାଗିଥିଲା। କାହିଁକିନା, କଟା ହୋଇଥିବା ସେହି ନାଗ ସାପର ମୁଣ୍ଡ ଶେଫ୍‌ଙ୍କୁ ଚୋଟ ପକାଇଥିଲା, ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଦକ୍ଷିଣ ଚୀନର ଗ୍ଵାଙ୍ଗ୍‌ଡୋଙ୍ଗ୍‌ ଅଞ୍ଚଳର ଫୋଶାନ ସିଟିରେ ରହୁଥିବା ଶେଫ୍‌ ପେଙ୍ଗ୍‌ ଫ୍ୟାନ ଇଣ୍ଡୋଚାଇନିଜ୍‌ ସ୍ପିଟିଙ୍ଗ୍‌ କୋବ୍ରା ସାପର ମାଂସରୁ ସୁପ୍‌ ପ୍ରସ୍ତୁତ କରୁଥିଲେ। ସେତିକି ବେଳେ ସାପର କଟା ମୁଣ୍ଡ ଫଣା ଟେକି ତାଙ୍କୁ ଚୋଟ ପକାଇଥିଲା। ସାଧାରଣତଃ ଚୀନରେ ବିଷାକ୍ତ ନାଗ ସାପର ମାଂସରୁ ପ୍ରସ୍ତୁତ ସୁପ୍‌କୁ ବହୁତ ପସନ୍ଦ କରାଯାଇଥାଏ। ଅଧିକାଂଶ ରେଷ୍ଟୁରାଣ୍ଟରେ ଏହି ସୁପ୍‌ ମିଳିଥାଏ।

ତେବେ ଶେଫ୍‌ ପେଙ୍ଗ୍‌ ଫ୍ୟାନ ସ୍ପିଟିଙ୍ଗ୍‌ କୋବ୍ରାର ମୁଣ୍ଡ କାଟିବା ପରେ ସୁପ ବନାଇବାରେ ୨୦ ମିନିଟ୍‌ ସମୟ ନେଇଥିଲେ। ଏହାପରେ ସେ ରୋଷେଇ ଘର ସଫା କରିବାକୁ ଲାଗିଥିଲେ। କିଛି ସମୟ ପରେ ଶେଫ୍‌ ସାପର କଟା ମୁଣ୍ଡକୁ ଯେତେବେଳେ ଅଳିଆ ଡବାରେ ଫିଙ୍ଗିବା ପାଇଁ ଉଠାଇଥିଲେ, ତ ହଠାତ୍‌ ଏହି ଘଟଣା ଘଟିଥିଲା।

ରେଷ୍ଟୁରାଣ୍ଟର ଅତିଥି ୪୪ ବର୍ଷୀୟ ଲିନ୍‌ ସନ କହିଛନ୍ତି କି, ‘ସ୍ତ୍ରୀଙ୍କ ଜନ୍ମଦିନ ଯୋଗୁ ଆମେ ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଉଥିଲୁ। ଠିକ୍‌ ସେତିକି ବେଳେ ବହୁତ ଜୋର୍‌ରେ ପାଟି ଶୁଣିବାକୁ ମିଳିଥିଲା। ଆମକୁ ଜଣା ନ ଥିଲା କି, କ’ଣ ହେଉଛି। କିନ୍ତୁ ରୋଷେଇ ଘରୁ ଚିଲ୍ଲାଇବାର ଶବ୍ଦ ଶୁଣିବାକୁ ମିଳୁଥିଲା’। ଖବର ନେବାରେ ଜଣାପଡ଼ିଥିଲା କି, ଶେଫ୍‌ଙ୍କୁ ସାପ କାମୁଡ଼ି ଦେଇଛି। ତେବେ ଡାକ୍ତରଙ୍କୁ ଏ ନେଇ ଖବର ଦିଆଯାଇଥିଲା, କିନ୍ତୁ ସେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଶେଫ୍‌ଙ୍କ ମୃତ୍ୟୁ ଘଟି ସାରିଥିଲା।

ଅନ୍ୟପକ୍ଷରେ ଏହି ମାମଲାରେ ବିଶେଷଜ୍ଞଙ୍କ କହିବା ହେଲା, ସାପ ଏବଂ ଅନ୍ୟାନ୍ୟ ସରୀସୃପ ମରିଯିବାର ଏକ ଘଣ୍ଟା ପରେ ବି ପ୍ରତିକ୍ରିୟାଶୀଳ ହରକତ କରିପାରି ଥାଆନ୍ତି। କୋବ୍ରାର ଥୁକ ବହୁତ ବିଷାକ୍ତ ହୋଇଥାଏ। ଏଥିରେ ନ୍ୟୁରୋଟକ୍ସିନ୍‌ ରହିଥାଏ, ଯାହାକି ବ୍ୟକ୍ତିକୁ ୩୦ ମିନିଟ୍‌ ଭିତରେ ମାରିପାରିଥାଏ। ନଚେତ୍‌ ଅକର୍ମଣ୍ୟ କରି ଦେଇଥାଏ। କହି ରଖୁଛୁ, ବିଶ୍ୱର କିଛି ଦେଶରେ ଏମିତି ବିଶ୍ୱାସ ରହିଛି କି, ସାପ ମାଂସ ଖାଇଲେ ଉତ୍ତମ ସ୍ୱାସ୍ଥ୍ୟ ଲାଭ ହୋଇଥାଏ, ଯେଉଁ କାରଣରୁ ସାପର କେତେକ ପ୍ରଜାତି ଏବେ ବିଲୁପ୍ତ ହେବାରେ ଲାଗିଛନ୍ତି। ଚୀନରେ ଇଣ୍ଡୋଚାଇନିଜ୍‌ ସ୍ପିଟିଙ୍ଗ୍‌ କୋବ୍ରାର ଶିକାର କରାଯାଇଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.