ପୁଣି ଶିଶୁଙ୍କ ଯୋଡ଼ା ଶରୀରକୁ ଅଲଗା କଲେ ଦିଲ୍ଲୀ ଏମ୍‌ସର ଡାକ୍ତରୀ ଟିମ୍‌, ସଫଳ ହେଲା ସର୍ଜରୀ

ଏମ୍‌ସର ଏକ ଡାକ୍ତରୀ ଟିମ୍‌ ପ୍ରାୟ ୧୨ ଘଣ୍ଟା ଧରି ଅପରେସନ୍‌ କରି ସେମାନଙ୍କ ଯୋଡ଼ା ଦେହକୁ ଅଲଗା କରିଥିଲେ । ସେମାନଙ୍କ ଛାତି ଲାଗି ରହିଥିଲା । ଡାକ୍ତର ମିନୁ ବାଜପେୟୀଙ୍କ ନେତୃତ୍ୱରେ ଏମ୍‌ସର ଶିଶୁ ବିଭାଗ ଡାକ୍ତରମାନେ ଏହି ଅପରେସନ୍‌ କରିଥିଲେ ।

ଓଡ଼ିଶାର ଯୋଡ଼ାମୁଣ୍ଡ ଶିଶୁ ଜଗା ବଳିଆଙ୍କ କଥା ମନେ ପକାଇ ଦେଲା ଆଉ ଏକ ସଫଳ ଅପରେସନ୍‌ । ଦିଲ୍ଲୀ ଏମ୍‌ସରେ ପୁଣି ଏକ ସଫଳ ଅପରେସନ୍‌ ହୋଇଛି ଯାଆଁଳା ଶିଶୁଙ୍କର । ଏହି ଯାଆଁଳା ଝିଅ ହେଉଛନ୍ତି ବର୍ଷକର ରିଦ୍ଧି ଓ ସିଦ୍ଧି । ଏମ୍‌ସର ଏକ ଡାକ୍ତରୀ ଟିମ୍‌ ପ୍ରାୟ ୧୨ ଘଣ୍ଟା ଧରି ଅପରେସନ୍‌ କରି ସେମାନଙ୍କ ଯୋଡ଼ା ଦେହକୁ ଅଲଗା କରିଥିଲେ । ସେମାନଙ୍କ ଛାତି ଲାଗି ରହିଥିଲା । ଡାକ୍ତର ମିନୁ ବାଜପେୟୀଙ୍କ ନେତୃତ୍ୱରେ ଏମ୍‌ସର ଶିଶୁ ବିଭାଗ ଡାକ୍ତରମାନେ ଏହି ଅପରେସନ୍‌ କରିଥିଲେ । ପିଲା ଦୁଇଟି ଗତ ବର୍ଷ ଜୁଲାଇ ୭ ତାରିଖରେ ଜନ୍ମ ହୋଇଥିଲେ ।

ଜନ୍ମ ପରେ ୫ ମାସ ଧରି ଆଇସିୟୁରେ ରହିଥିଲେ । ଗତ ଜୁନ୍‌ ୮ ତାରିଖରେ ସେମାନଙ୍କର ଯୋଡ଼ି ହୋଇଥିବା ଶରୀରକୁ ଅଲଗା କରାଯାଇଥିଲା । ଉତ୍ତର ପ୍ରଦେଶ ବରେଲିର ଅଙ୍କୁର ଗୁପ୍ତାଙ୍କ ପତ୍ନୀ ରିଙ୍କୁ ଗୁପ୍ତା ଏହି ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ସେ ଚାରି ମାସର ଗର୍ଭବତୀ ଥିବା ବେଳେ ତାଙ୍କ ପେଟରେ ଯାଆଁଳା ଶିଶୁ ରହିଥିବା ଜଣାପଡ଼ିଥିଲା । ଏହା ସହିତ ସେମାନଙ୍କ ଦେହ ଯୋଡ଼ି ହୋଇଥିବା ମଧ୍ୟ ସ୍ପଷ୍ଟ ହୋଇଥିଲା । ସେବେଠାରୁ ଏମସ ଡାକ୍ତରୀ ଟିମ୍‌ ଏହି ପିଲାଙ୍କ ଜନ୍ମ ଏବଂ ପରବର୍ତ୍ତୀ ସମୟରେ ଅପରେସନ୍‌ ପାଇଁ ଯୋଜନା କରି ସାରିଥିଲେ ।

ଦିଲ୍ଲୀ ଏମ୍ସ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ ଏହି ଅପରେସନ କରିବା ପାଇଁ ୧୨ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ଯୋଡ଼ା ଶରୀର ଅଲଗା କରିବା ପାଇଁ ହୋଇଥିବା ଅପରେସନ୍‌ରେ ୫ ଜଣ ସିନିୟର ଡାକ୍ତର, ୬ ଜଣ ରେସିଡେଣ୍ଟ ଡାକ୍ତର, ୬ ଜଣ ଆନାସ୍ଥେସିଆ ବିଶେଷଜ୍ଞ, ୧୨ ଜଣ ନର୍ସିଂ ଷ୍ଟାଫ୍‌, ୨ ଜଣ ଓଟି ଟେକନିସିଆନ୍‌ ଏହିପରି ମୋଟ ୩୧ ଜଣିଆ ଟିମ୍‌ ଲାଗିଥିଲା ।

ଜୁନରେ ଅପରେସନ ସରିବା ପରେ ଡାକ୍ତରଙ୍କ ଟିମ ଶିଶୁଙ୍କ ଉପରେ ଲଗାତାର ନଜର ରଖିଥିଲେ । ଅପରେସନ ହେବା ପରେ ମଧ୍ୟ ଦୁଇ ଶିଶୁଙ୍କ ଓଜନ ୧୫ କିଲୋଗ୍ରାମ ଥିଲା ଯାହା ପରେ ମଧ୍ୟ କମିନଥିଲା । ଡାକ୍ତରଙ୍କ ପାଇଁ ଏହା ଏକ ଆରାମଦାୟକ ବିଷୟ । ଏହି ଶିଶୁ ଦୁଇଜଣ ପରସ୍ପର ମୁହଁକୁ ଏବେ ଦେଖିପାରୁଛନ୍ତି । ଏହି ଶିଶୁକନ୍ୟା ଦୁଇଜଣ ବର୍ତ୍ତମାନ ଏକ ବର୍ଷର ହୋଇ ସାରିଛନ୍ତି । ନିଜ ଜନ୍ମ ଦିବସକୁ ପାଳନ କରିବା ପାଇଁ ଏମାନେ ପ୍ରସ୍ତୁତ ହୋଇ ସାରିଛନ୍ତି ।

ଏହି ଶିଶୁ ଦୁଇ ଜଣଙ୍କର ଛାତି ଯୋଡ଼ି ହୋଇ ରହିଥିବା ବେଳେ ଏମାନଙ୍କର ଗୋଟିଏ ଲିଭର ଥିଲା । ଏହା ବ୍ୟତୀତ ଏମାନଙ୍କ ହାର୍ଟକୁ କଭର କରୁଥିବା ତ୍ୱଚାର ଲେୟର ମଧ୍ୟ ଗୋଟିଏ ଥିଲା । ଏଥିପାଇଁ ଏହି ଅପରେସନ କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ ଥିଲା । ତେବେ ନିଜର ଏକ୍ସପେରିଏନ୍ସ ପାଇଁ ଡକ୍ତରମାନେ ସଫଳତାର ସହ ଏହି ଅପରେସନ ସାରିଥିଲେ । ତେବେ ପୂର୍ବରୁ ମଧ୍ୟ ଓଡ଼ିଶା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା ବଳିଆଙ୍କର ଦିଲ୍ଲୀ ଏମ୍‌ସରେ ସଫଳ ଅପରେସନ୍‌ ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ବଳିଆର ମୃତ୍ୟୁ ହୋଇଥିବା ବେଳେ ଏବେ ଜଗା ସୁସ୍ଥ ଅଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.