Below header

ଏକଜିଟ୍‌ ପୋଲ୍‌ କେତେ ସତ? ଏକଜାଟ୍‌ ରେଜଲ୍ଟ ସହ କେତେ ଖାଇଥାଏ ମେଳ ? ଦେଖନ୍ତୁ ଗତ ୨୦ ବର୍ଷର ଆକଳନ

ଏକଜିଟ୍‌ ପୋଲ୍‌ ଓ ଏକଜାଟ୍‌ ପୋଲ୍‌ । କେତେ ସତ, କେତେ ଭୁଲ୍‌ । ୧୯୯୮ରୁ ୨୦୧୪ ପର୍ଯ୍ୟନ୍ତ କିଛି ରିପୋର୍ଟ ଉପରେ ନଜର ପକାନ୍ତୁ । ୧୯୯୮ ସାଧାରଣ ନିର୍ବାଚନର ଏକଜିଟ୍‌ ପୋଲ୍‌ ରିପୋର୍ଟ କହୁଥିଲା ଏନଡିଏକୁ ୨୩୫ରୁ ୨୪୯ ଆସନ ମିଳିପାରେ । କିନ୍ତୁ ଫଳାଫଳ ଆସିଥିଲା ଓଲଟା । ବଢ଼ିଥିଲା ଏନଡିଏର ସିଟ୍‌ ସଂଖ୍ୟା । ଏନଡିଏ ଖାତାରେ ପଡ଼ିଥିଲା ୨୫୨ ଆସନ । ୟୁପିଏକୁ ୧୬୬ ଓ ଅନ୍ୟାନ୍ୟଙ୍କୁ ମିଳିଥିଲା ୧୧୯ ସିଟ୍‌। ତେବେ ୧୯୯୯ ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଭୁଲ୍‌ ପ୍ରମାଣିତ ହୋଇଥିଲା ଏକଜିଟ୍‌ ପୋଲ୍‌ ରିପୋର୍ଟ । ୧୯୯୯ ମସିହାରେ ବିଭିନ୍ନ ସଂସ୍ଥା ଏନଡିଏକୁ ସ୍ପଷ୍ଟ ବହୁମତ ଦେଇଥିଲେ। ୩ଶହରୁ ଅଧିକ ଆସନ ଦେଇଥିଲେ। ଇଣ୍ଡିଆ ଟୁଡେ-ଇନସାଇଟ୍‌ ଏନଡିଏକୁ ୩୩୬, ୟୁପିଏକୁ ୧୪୬ ଓ ଅନ୍ୟାନ୍ୟଙ୍କୁ ଦେଇଥିଲା ୮୦ ଆସନ। ସେହିପରି ହିନ୍ଦୁସ୍ଥାନ ଟାଇମ୍ସ-ନେଲସନ୍‌ ଏନଡିଏକୁ ୩୦୦, ୟୁପିଏକୁ ୧୪୬ ଓ ଅନନ୍ୟାନ୍ୟ ଦଳଙ୍କୁ ୯୫ ଆସନ ମିଳିବ ବୋଲି ଆକଳନ କରିଥିଲେ । ଆଉଟ୍ଲୁକ-ସିଏମ୍‌ଏସ୍‌ ଏନଡିଏକୁ ୩୨୯ ସିଟ୍‌ ଦେଇଥିବା ବେଳେ ୟୁପିଏ ୧୪୫ ଓ ଅନ୍ୟାନ୍ୟ ୩୯ ସିଟରେ ବାଜି ମାରି ପାରନ୍ତି ବୋଲି କହିଥିଲେ। ଟାଇମ୍ସପୋଲ୍‌-ଡିଆରଏସ୍‌ ଏନଡିଏକୁ ୩୩୨ ସିଟ୍‌ ଓ ୟୁପିଏକୁ ଦେଇଥିଲେ ୧୩୮ ଆସନ। କିନ୍ତୁ ଏକଜିଟ୍‌ ପୋଲ୍‌ ଚିତ୍ର ଏକଜାଟ୍‌ ପୋଲ୍‌ରେ ବଦଳିଗଲା । ଏନଡିଏକୁ ମିଳିଥିଲା ୨୯୬, ୟୁପିଏକୁ ୧୩୪ ଓ ଆନ୍ୟାନ୍ୟଙ୍କ ଖାତାରେ ପଡ଼ିଥିଲା ୧୧୩ ସିଟ୍‌ ।

୨୦୦୪ରେ କ୍ଷମତାକୁ ଫେରିଥିଲେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର । ସେତେବେଳେ ବିଭିନ୍ନ ଏକଜିଟ୍‌ ପୋଲ୍‌ ରିପୋର୍ଟ ଏନଡିଏକୁ ବହୁମତ ପାଖାପାଖି ଆସନ ଦେଇଥିଲେ । ଆଉଟଲୁକ୍‌-ଏମଡିଆରଏ ଏନଡିଏକୁ ୨୯୦ ସିଟ୍‌ ଦେଇଥିବା ବେଳେ ୟୁପିଏକୁ ୧୬୯ ଓ ଅନ୍ୟାନ୍ୟଙ୍କୁ ଦେଇଥିଲେ ୯୯ ଆସନ। ଆଜ ତକ୍‌-ଓଆର୍‌ଜି ମାର୍ଗର ଆକଳନ କହୁଥିଲା ଏନଡିଏକୁ ୨୪୮, ୟୁପିଏକୁ ୧୯୦ ଓ ଅନ୍ୟାନ୍ୟ ଦଳ ୧୦୫ ଆସନରେ ଜିତିବେ। ସେହିପରି ଏନଡିଟିଭି-ଇଣ୍ଡିଆନ୍‌ ଏକ୍ସପ୍ରେସର ଏକଜିଟ ପୋଲ୍‌ କହିଥିଲା ୨୦୦୪ରେ ଏନଡିଏ ୨୫୦ ଆସନ ପାଇବାକୁ ଥିବା ବେଳେ ୟୁପିଏ ୨୦୫ ଓ ଅନ୍ୟାନ୍ୟ ୧୨୦ ଆସନ ପାଇବେ । ସେହିପରି ଷ୍ଟାର ଓ ସିଭୋଟର ସର୍ଭେ କହିଥିଲା ଏନଡିଏ ୨୭୫, ୟୁପିଏ ୧୮୬ ଓ ଅନ୍ୟାନ୍ୟ ୯୮ ଆସନରେ ଜିତିବେ। କିନ୍ତୁ ଫଳାଫଳ ଓଲଟା ଆସିଥିଲା। କାହାରିକୁ ବହୁମତ ମିଳି ନଥିବା ବେଳେ ୟୁପିଏ ଖାତାରେ ଅଧିକ ୨୨୨ ଆସନ ପଡ଼ିଥିଲା । ଏକଜାଟ୍‌ ରେଜଲ୍ଟରେ ଏନଡିଏର ସିଟ୍‌ ସଂଖ୍ୟା କମି ୧୮୯ରେ ସୀମିତ ରହିଥିଲା। ଅନ୍ୟାନ୍ୟଙ୍କୁ ମିଳିଥିଲା ୧୩୨ ଆସନ।

୨୦୦୯ରେ ବି ଏକଜିଟ୍‌ ଓ ଏକଜାଟ୍‌ ପୋଲ୍‌ ଭିନ୍ନ ଚିତ୍ର ପ୍ରତିପାଦନ କରିଥିଲା। ଷ୍ଟାର୍‌ ନ୍ୟୁଜ୍‌-ନେଲସନ୍‌ ଏକଜିଟ୍‌ ପୋଲରେ ଏନଡିଏକୁ ୧୯୭, ୟୁପିଏକୁ ୧୯୯ ଓ ଅନ୍ୟାନ୍ୟାଙ୍କୁ ଦେଇଥିଲେ ୧୩୬ ସିଟ୍‌। ଟାଇମ୍ସ ନାଓ ଏନଡିଏ ୧୮୩, ୟୁପିଏ ୧୯୮ ଓ ଅନ୍ୟାନ୍ୟ ୧୬୨ ଆସନରେ ବାଜି ମାରିବ ବୋଲି କହିଥିଲା। ଏନଡିଟିଭି ତାର ଏକଜିଟ୍‌ ପୋଲ୍‌ ରିପୋର୍ଟରେ କହିଥିଲା ଏନଡିଏ ୧୭୭, ୟୁପିଏକୁ ୨୧୫ ଓ ଅନ୍ୟାନ୍ୟଙ୍କ ଖାତାକୁ ୧୫୦ ଆସନ ଯାଇପାରେ। ସେହିପରି ହେଡଲାଇନ୍ସ ଟୁଡେ ନିଜ ଏକଜିଟ୍‌ ପୋଲ୍‌ରେ ଦର୍ଶାଇଥିଲା ଯେ, ଏନଡିଏ ୧୮୦, ୟୁପିଏ ୧୯୧ ଓ ଅନ୍ୟାନ୍ୟ ପାଇବେ ୧୭୨ ଆସନ। ଚୂଡ଼ାନ୍ତ ରେଜଲ୍ଟରେ ଏନଡିଏ ୧୫୯ ସିଟ୍‌ ପାଇଥିଲା । ୟୁପିଏ ୨୬୨ ଆସନରେ ଜିତିଥିବା ବେଳେ ଅନ୍ୟାନ୍ୟ ମାତ୍ର ୭୯ ଆସନରେ ସନ୍ତୁଷ୍ଟ ହୋଇଥିଲେ।

୨୦୧୪ର ବିଭିନ୍ନ ସଂସ୍ଥାର ଏକଜିଟ୍‌ ପୋଲ୍‌ ଏନଡିଏକୁ ଅଧିକ ଆସନ ପାଇଁ ସଙ୍କେତ ଦେଇଥିଲା । ଏବିପି ନେଲସନ୍‌ କହିଥିଲା ଏନଡିଏ ୨୮୧, ୟୁପିଏ ୯୭ ଓ ଅନ୍ୟାନ୍ୟଙ୍କୁ ୧୬୫ ଆସନ ମିଳିବ। ଟାଇମ୍ସ ନାଓର ସର୍ଭେ ରିପୋର୍ଟରେ ଏନଡିଏ ୨୪୯, ୟୁପିଏ ୧୪୮ ଆସନ ଜିତୁଥିବା ବେଳେ ଅନ୍ୟାନ୍ୟ ୧୪୬ ଆସନରେ ଜିତିବେ। ହେଡଲାଇନ୍ସ ଟୁଡେ-ସିସେରୋ ଏନଡିଏ ୨୭୨, ୟୁପିଏ ୧୧୫ ଓ ଅନ୍ୟାନ୍ୟ ୧୫୬ ଆସନରେ ଜିତିବେ ବୋଲି ଦର୍ଶାଇଥିଲେ। ଚାଣ୍ୟକ୍ୟ କହିଥିଲା ଏନଡିଏ ଏକାକୀ ୩୪୦, ୟୁପିଏ ୭୦ ଓ ଅନ୍ୟାନ୍ୟ ୧୩୩ ଆସନ ପାଇବେ। ଇଣ୍ଡିଆ ଟିଭି-ସି ଭୋଟର ୨୮୯ ଆସନ ଏନଡିଏକୁ ଦେଇଥିବା ବେଳେ ୟୁପିଏ ୧୦୧ ଓ ଅନ୍ୟାନ୍ୟ ୧୬୧ ସିଟ୍‌ ଦେଇଥିଲା। ଏନଡିଟିଭି ଏନଡିଏକୁ ୨୭୯, ୟୁପିଏକୁ ୧୦୩ଟି ଆସନ ଦେଇଥିବା ବେଳେ ଅନ୍ୟାନ୍ୟ ୧୬୧ ଆସନରେ ବିଜୟୀ ହେବେ ବୋଲି କହିଥିଲା। କିନ୍ତୁ ରେଜଲ୍ଟରେ ବିଜେପିକୁ ଆଶାତୀତ ସଫଳତା ମିଳିଥିଲା। ଏକାକୀ ୩୩୬ ଆସନ ପୋଛି ନେଇଥିଲା ଏନଡିଏ ମେଣ୍ଟ। ୟୁପିଏ ଖାତାରେ ପଡ଼ିଥିଲା ମାତ୍ର ୫୯ ଓ ଅନ୍ୟାନ୍ୟ ୧୪୮ ଆସନରେ ଜିିତିଥିଲେ। ବିଜେପିର ଏପରି ବିଜୟ ଓ କଂଗ୍ରେସର ଶୋଚନୀୟ ପରାଜୟକୁ କେହି ଆକଳନ କରି ପାରିନଥିଲେ।

ବିଗତ ଦିନର ଏକଜିଟ୍‌ ପୋଲ୍‌ ସର୍ଭେ କହୁଛି ଏକଜାଟ୍‌ ପୋଲ୍‌ ଶହ ଏହାର କୌଣସି ତାଳମେଳ ରହି ନାହିଁ। ୧୯୯୮ରୁ ୨୦୧୪ ମଧ୍ୟରେ ଚାରିଟି ଏକଜିଟ୍‌ ପୋଲ୍‌ ରିପୋର୍ଟ ଭୁଲ୍‌ ପ୍ରମାଣିତ ହୋଇଛି। ୧୯୯୯ରେ ବିଭିନ୍ନ ସଂସ୍ଥା କହୁଥିଲେ ଅଟ୍ଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନଡିଏ ୩୧୫ରୁ ଅଧିକ ଆସନ ଜିତିବେ। କିନ୍ତୁ ମିଳିଥିଲା କେବଳ ୨୯୬। କେବଳ ୧୯୯୮ ଓ ୨୦୧୪ ରେଜଲ୍ଟ ସହ କିଛିକାଂଶରେ ଏକଜିଟ ପୋଲ୍‌ ରିପୋର୍ଟ ସହ ମେଳ ଖାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.