ରହସ୍ୟମୟ ସାମୁଦ୍ରିକ ଜୀବ ଅଲିଭ ରିଡଲେ, ଜାଣନ୍ତୁ ଗହୀରମଥାର କିଛି ଗହନ କଥା

ନୀଳ ଜଳରାଶିର ବିଶାଳ ସମୁଦ୍ର। କେଉଁଠି ଶାନ୍ତ ତ ଆଉ କେଉଁଠି ଭୀଷଣ ଗର୍ଜନରେ ମତ୍ତ। ଅତ୍ୟନ୍ତ ରହସ୍ୟମୟ। ଯାହା ଭୂଭାଗ ଠାରୁ ବି ଅଧିକ ବ୍ୟାପିଛି। ଆଉ ତା ଭିତରେ ବାସ କରୁଥିବା ଜୀବଙ୍କ ରହସ୍ୟ ମଧ୍ୟ କିଛି କମ୍‌ ନୁହେଁ। ଆସନ୍ତୁ ଜାଣିବା ସେଇ ରହସ୍ୟମୟ ସାମୁଦ୍ରିକ ଜୀବ ବିଷୟରେ କିଛି ଅଜଣା କଥା …

ଶୀତ ଋତୁ ଆସିଲେ କଇଁଛମାନେ ଦଳ ଦଳ ହୋଇ ସମୁଦ୍ର ବକ୍ଷରେ ଭାସି ଆସନ୍ତି। ହଜାର ହଜାର ମାଇଲ ପାର କରି ପହଁରି ଆସି ପହଞ୍ଚି ଯାଆନ୍ତି ଓଡ଼ିଶାର ଉପକୂଳରେ । କେଇ ମାସ ପାଇଁ ସାମୁଦ୍ରିକ କଇଁଛ ଅଲିଭ ରିଡଲେ ଓଡ଼ିଶାର ଅତିଥି ପାଲଟି ଯାଆନ୍ତି। କାହିଁ କେଉଁ ଅନାଦି କାଳରୁ ସେମାନଙ୍କର ଲୀଳାଖେଳା ଜାରି ରଖିଛନ୍ତି ଗହୀର ମଥାର ନୀଳ ଜଳରାଶିରେ । କଅଁଳ ଶୀତର ଆଗମନରେ ପ୍ରତି ବର୍ଷ ନଭେମ୍ବର ୧ରୁ ଜୁନ ମାସ ପର୍ଯ୍ୟନ୍ତ କଇଁଛମାନଙ୍କ ପ୍ରଜନନ ପ୍ରକ୍ରିୟା ହୋଇଥାଏ। ଏହି ସମୟରେ ଲକ୍ଷ ଲକ୍ଷ ଅଲିଭ ରିଡଲେ ମା’ ଓ ପୁରୁଷ କଇଁଛ ମିଳନ ପର୍ବ ଘଟିଥାଏ। ପରେ ମା’ କଇଁଛମାନେ ବେଳାଭୂମିର ନରମ ବାଲୁକା ରାଶିରେ ପାଦ ରଖିଥାନ୍ତି। ବେଳାଭୂମିରେ ୩ରୁ ୪ଫୁଟ ଲମ୍ବର ଗାତ ନିଜ ଗୋଡରେ ଖୋଳି ଏଥିରେ ଅଣ୍ଡାଦାନ କରନ୍ତି । ପ୍ରାୟ ୮୦ରୁ ଶହେ ପର୍ଯ୍ୟନ୍ତ ଅଣ୍ଡା ଦେଇ ପୁଣି ଫେରିଯାଆନ୍ତି। ଆଗନ୍ତୁକ ଅଲିଭ ରିଡଲେଙ୍କ ପାଇଁ ଗହୀରମଥା ଅଭୟାରଣ୍ୟ ପାଲଟିଯାଏ ଏନ୍ତୁଡ଼ିଶାଳ। ସେମାନେ ସମୂହ ଭାବେ ଅଣ୍ଡାଦାନ କରନ୍ତି । ପୁଣି ସମୁଦ୍ର ଭିତରକୁ ଚାଲି ଯାଆନ୍ତି । ଅତି ଅଜବ ଏମାନଙ୍କ ଜୀବନ ଶୈଳୀ । ଏମାନେ ଚାଲିଯିବା ପରେ ଅଣ୍ଡାରୁ ଛୁଆ ଫୁଟେ । ଆଉ ସେମାନେ ମଧ୍ୟ ସମୂହ ଭାବେ ସମୁଦ୍ର ମୁହାଁ ହୁଅନ୍ତି । ଆଉ ସେ ଦୃଶ୍ୟ ଯିଏ ଥରେ ଦେଖିଛି ଜୀବନରେ କେବେବି ଭୁଲିବ ନାହିଁ । ହେଲେ ଏମାନେ କେଉଁଠୁ ଆସନ୍ତି ? ପୁଣି ଛୁଆମାନେ ଏକା ଏକା କେମିତି ଓ କୁଆଡ଼େ ଯାଆନ୍ତି ? ଅନ୍ୟ ଜାଗାରେ ରହୁଥିବା ଏହି ବିରଳ ଜୀବ କାହିଁକି ଏଠାକୁ ଆସି ଅଣ୍ଡା ଦିଅନ୍ତି ? ଏମିତି ଅନେକ ପ୍ରଶ୍ନର ଉତ୍ତର ଏବେବି ଖୋଜୁଛନ୍ତି ଜୀବ ବିଜ୍ଞାନୀମାନେ ।

KAINCHA-2

ଏହି ରହସ୍ୟମୟ ଜୀବର ଆଚରଣ ସମସ୍ତଙ୍କ ଚିନ୍ତା କରିବାକୁ ବାଧ୍ୟ କରିଛି। ଏମାନେ ପ୍ରାୟ ୨ ଫୁଟ ଲମ୍ବ ଓ ୫୦ କିଲୋ ପର୍ଯ୍ୟନ୍ତ ଓଜନର ହୋଇଥାନ୍ତି । ପିଠିର ଆକାର ଓ ରଙ୍ଗ ଯୋଗୁଁ ଏହାର ନାଁ ହୋଇଛି ଅଲିଭ ରିଡଲେ । ଏମାନଙ୍କ ସମୂହ ଅଣ୍ଡାଦାନକୁ ‘ଏରିବାଡା’ କୁହାଯାଏ। ଯାହା ଏକ ସ୍ପାନିସ ଶବ୍ଦ । ଏହାର ଅର୍ଥ ହେଉଛି ସମୁଦ୍ରର ପଥିକ। ଉଭୟ ମାଈ ଓ ଅଣ୍ଡିରା ଅଲିଭ ରିଡଲେ ସମୁଦ୍ର ପଥରେ ଆସିଥାନ୍ତି । ସମୁଦ୍ର ଭିତରେ ହିଁ ସେମାନଙ୍କର ମିଳନ ହୁଏ ଆଉ ତାପରେ ମାଈ କଇଁଛମାନେ ବେଳାଭୂମିକୁ ଆସି ଅଣ୍ଡା ଦିଅନ୍ତି । ଅଣ୍ଡାଗୁଡ଼ିକୁ ଛାଡ଼ି ଫେରି ଯାଆନ୍ତି ପୁଣି ନିଜ ବାଟରେ।

ଅଲିଭ ରିଡଲେ କଇଁଛ ପ୍ରକୃତିର ଏକ ମହତ ଦାନ କହିଲେ ଭୁଲ ହେବ ନାହିଁ । କାରଣ ଏମାନେ ସମୁଦ୍ରର ପରିବେଶକୁ ସ୍ୱଚ୍ଛ ରଖିଥାନ୍ତି । ପୁଣି ଏମାନଙ୍କ ଯୋଗୁଁ ମାଛ ବଂଶ ବୃଦ୍ଧି ପାଇଥାଏ । ତେବେ ଅତି ଆଶ୍ଚର୍ଯ୍ୟର କଥା ହେଉଛି ଏମାନେ ନିଜର ବଂଶବୃଦ୍ଧି କରିବା ପାଇଁ ମାଇଲ୍‌ ମାଇଲ୍‌ ବାଟ ସମୁଦ୍ର ପଥରେ ଚାଲି ଆସିଥାନ୍ତି। ହେଲେ ଏହି ପ୍ରଜନନ ସମୟରେ ହିଁ ମାଛ ମାଫିଆମାନେ ଅଘଟଣ ଘଟାନ୍ତି। ନିଷିଦ୍ଧାଞ୍ଚଳରେ ପ୍ରବେଶ କରି ବେଆଇନ ଭାବେ ମାଛ ଧରିଥାନ୍ତି । ସେମାନେ ବ୍ୟବହାର କରୁଥିବା ଶକ୍ତିଶାଳୀ ଟ୍ରଲର ମାଡରେ ନିରୀହ କଇଁଛମାନଙ୍କର ମୃତ୍ୟୁ ହୁଏ । ଆଉ ତା ସହିତ ମରିଯାଆନ୍ତି ମା କଇଁଛ ପେଟରେ ଅଣ୍ଡା ରୂପରେ ଥିବା ହଜାର ହଜାର କଇଁଛ ଶାବକ । ଜନ୍ମ ପୂର୍ବରୁ ଏମାନଙ୍କ ମୃତ୍ୟୁ ଘଟେ । ଆଉ ନିଜର ସ୍ୱାର୍ଥ ପାଇଁ ଏଇ ମାଫିଆମାନେ କେବଳ କଇଁଛ ନୁହେଁ ମଣିଷକୁ ମାରିବାକୁ ବି ପଛାନ୍ତି ନାହିଁ। ସେଥିପାଇଁ ଏହି ସମୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । କଡ଼ା କଟକଣା ରହିଛି ମାଛ ମାରିବା ଉପରେ। ବନ ବିଭାଗର ସମସ୍ତ ପଦକ୍ଷେପ ସତ୍ତ୍ୱେ ଚାଲିଛି ମାଛ ମରା ଆଉ ସେମାନଙ୍କ ଯୋଗୁଁ ମରୁଛନ୍ତି ଅଲିଭ ରିଡଲେ । ବେଳେ ବେଳେ ବେଳାଭୂମି ପାଲଟି ଯାଉଛି ଏଇ କଇଁଛଙ୍କ ଶ୍ମଶାନ ଭୂମି ।

ଗହୀରମଥାକୁ ସୁରକ୍ଷିତ ମନେ କରି ବଂଶବୃଦ୍ଧି କରିବା ପାଇଁ ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ ମହାସାଗର ଏବଂ ପୃଥିବୀର ଅନ୍ୟ କେତେକ ସ୍ଥାନରୁ ଏମାନେ ଚାଲି ଆସନ୍ତି । ୧୯୯୭ରେ ଗହୀରମଥାକୁ ସାମୁଦ୍ରିକ ଅଭୟାରଣ୍ୟ ଭାବେ ମାନ୍ୟତା ମିଳିଥିଲା । ହଜାର ହଜାର ନଟିକାଲ ମାଇଲ ଅତିକ୍ରମ କରି ଆସିଥାନ୍ତି କେବଳ ପ୍ରଜନନ ପାଇଁ । ହେଲେ କଣ ପାଇଁ ପ୍ରକୃତରେ ଏମାନେ ଏତେ ଦୂର ଆସିଥାନ୍ତି ? କେବଳ ଅଣ୍ଡା ଦେବା ପାଇଁ ନା ଆଉ କିଛି କାରଣ ରହିଛି ଏହା ପଛରେ ? ଏବେବି ସେଇ ରହସ୍ୟ ସମ୍ପୂର୍ଣ୍ଣ ଭାବେ ଉନ୍ମୋଚନ ହୋଇ ପାରିନାହିଁ । ତଥାପି କିଛି ବିଶେଷଜ୍ଞ ଏହାର କାରଣ କହିଛନ୍ତି ଯେ ଏମାନେ ଶାନ୍ତ ଏବଂ ନାତିଶୀତୋଷ୍ଣ ପରିବେଶ ଖୋଜନ୍ତି ଅଣ୍ଡା ଦେବାକୁ ଯାହା ଗହୀରମଥା, ଋଷିକୂଲ୍ୟା ମୁହାଣ ଆଦି ଅଞ୍ଚଳରେ ରହିଛି। ସେହିପରି ଆଉ ଏକ ଆଶ୍ଚର୍ଯ୍ୟ କଥାକୁ କିଛି ମାତ୍ରାରେ ସମାଧାନ କରିଛନ୍ତି ବିଶେଷଜ୍ଞମାନେ । ମାଈ କଇଁଛ ଅଣ୍ଡା ଦେଇ ନିଜ ବାଟରେ ଫେରି ଯାଆନ୍ତି। ତେବେ ଅଣ୍ଡାରୁ ଛୁଆ ଫୁଟିବା ପରେ ଅଲିଭ ରିଡଲେ ଶାବକମାନେ କିଭଳି ସେହି ବାଟ ଦେଇ ଫେରି ଯାଆନ୍ତି ତାହା ଏକ ଚମତ୍କାର କହିଲେ ଭୁଲ ହେବ ନାହିଁ। ପୁଣି ଏହା ମଧ୍ୟ କୁହାଯାଏ କି ଏଇମାନେ ପ୍ରାୟ ୧୩ ବର୍ଷ ପରେ ପୁଣି ନିଜ ଜନ୍ମସ୍ଥାନକୁ ଆସି ମିଳିତ ହୁଅନ୍ତି ଏବଂ ମାଈ କଇଁଛମାନେ ଅଣ୍ଡା ଦେଇଥାନ୍ତି । କୁହାଯାଏ ଏମାନଙ୍କ ସ୍ମୃତି ଶକ୍ତି ଓ ଆଘ୍ରାଣ ଶକ୍ତି ଅତି ପ୍ରଖର। ତେଣୁ ସେମାନେ ସମୁଦ୍ର ଜଳରେ ପହଁରି ପୁଣି ନିଜ ଜନ୍ମ ସ୍ଥାନକୁ ଫେରି ପାରନ୍ତି । ସେହିପରି ଆର୍ଥର ମ୍ୟାଗନେଟିକ୍‌ ଫିଲଡ ଯୋଗୁଁ ଏହା ସମ୍ଭବ ହୁଏ ବୋଲି ମଧ୍ୟ କୁହାଯାଏ। ତେବେ ଏ ନେଇ ଅଧିକ ଗବେଷଣା ହେଲେ ଯାଇ ଅଲିଭରିଡଲେଙ୍କ ଏଇ ରହସ୍ୟ ଉପରକୁ ପରଦା ହଟିପାରିବ ।

KAINCHA-1

ଏହି କଇଁଛମାନେ ମାଂସାଶୀ। ଏମାନେ ସମୁଦ୍ରରୁ ଜେଲିଫିସ୍‌ ଖାଇ ଜୀବନଧାରଣ କରିଥାନ୍ତି। ଏହା ବ୍ୟତୀତ କଙ୍କଡ଼ା, ଚିଙ୍ଗୁଡ଼ି ଓ ଶାମୁକା ଆଦି ମଧ୍ୟ ଖାଇଥାନ୍ତି । ଯାହା ଫଳରେ ସାମୁଦ୍ରିକ ପରିବେଶରେ ସନ୍ତୁଳନ ସମ୍ଭବ ହୁଏ । ଆଉ ଏକ ଗହନ କଥା ରହିଛି ଏମାନଙ୍କ ଜନ୍ମ ଓ ଲିଙ୍ଗଭେଦ ନେଇ । ଜୀବ ବିଜ୍ଞାନୀଙ୍କ ମତରେ ସୂର୍ଯ୍ୟଙ୍କ ତାପରେ କଇଁଛ ଅଣ୍ଡା ଫୁଟିଥାଏ । ତାପ ଅଧିକରେ ଫୁଟୁଥିବା ଅଣ୍ଡାରୁ ମାଈ ଏବଂ ଶୀତଳ ପରିବେଶରେ ଅଣ୍ଡିରା କଇଁଛଙ୍କ ଜନ୍ମ ହୁଏ । ପରିବେଶ ପ୍ରଦୂଷଣ ସହ ବେଆଇନ୍‌ ଟ୍ରଲର ହେଉଛନ୍ତି ଏମାନଙ୍କ ଶତ୍ରୁ । ଆଉ ବେଳାଭୂମିରେ ଅଣ୍ଡାଗୁଡ଼ିକୁ ମଧ୍ୟ କାଉ, କୁକୁର ଖାଇଯାଆନ୍ତି । ତେଣୁ ଏସବୁର ସୁରକ୍ଷା ପାଇଁ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଇଛି ।

ତେବେ ଏହି କଇଁଛମାନଙ୍କର ଆଗମନକୁ ଆଖିରେ ରଖି ଗହୀର ମଥାକୁ ସରକାର ୧୯୯୭ ମସିହାରେ ସାମୁଦ୍ରିକ ଅଭୟାରଣ୍ୟ ଘୋଷଣା କରିଥିଲେ। ଏହା ଓଡ଼ିଶାର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ । ନଭେମ୍ବର ୧ ତାରିଖଠାରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ଧାମରାଠାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ର କୂଳଠାରୁ ୨୦ କିମି ପର୍ଯ୍ୟନ୍ତ ଯନ୍ତ୍ରଚାଳିତ ଡଙ୍ଗା ଚାଲିବା ଏବଂ ମାଛ ମାରିବା ଉପରେ କଟକଣା କଡାକଡି ଭାବେ ଜାରି କରାଯାଇଥାଏ । ଅଲିଭ ରିଡଲେ କଇଁଛ ନାଶି-୧, ନାଶି-୨, ବାବୁବାଲି, ଏକକୂଳା, ସାତଭାୟା, ପେଣ୍ଠ, ବରୁଣେଇ ମୁହାଣରେ ସମୂହ ଅଣ୍ଡାଦାନ କରିଥାନ୍ତି । ଏନେଇ ବନବିଭାଗ, ମତ୍ସ୍ୟ ବିଭାଗ, ତଟରକ୍ଷୀ ବାହିନୀ, ସାମୁଦ୍ରିକ ଥାନା ସୁରକ୍ଷାରେ ନିୟୋଜିତ ଥାନ୍ତି ।

ଅପରପକ୍ଷରେ ଏହି ସମୟରେ ଗହୀର ମଥା ଉପକୂଳରେ ପ୍ରଚୁର ପରିମାଣରେ ମାଛ ମିଳୁ ଥିବାରୁ କିଛି ମାଛ ମାଫିଆ କଟକଣା ନମାନି ବେଆଇନ ଭାବେ ନିଷିଦ୍ଧାଞ୍ଚଳ ମଧ୍ୟରେ ପ୍ରବେଶ କରି ମାଛ ମାରିଥାନ୍ତି । ଫଳରେ ଟ୍ରଲର ମାଡ଼  ଏବଂ ଜାଲରେ ଛନ୍ଦି ହୋଇ ହଜାର ହଜାର କଇଁଛଙ୍କ ମୃତ୍ୟୁ ଘଟିଥାଏ। କେବଳ କଇଁଛମାନଙ୍କ ସୁରକ୍ଷା ପାଇଁ ପାରମ୍ପରିକ ମତ୍ସ୍ୟଜୀବୀ ଆହୁଲା ମରା ଛୋଟ ଡଙ୍ଗା ନିୟମକୁ ମାନୁଛନ୍ତି । ହେଲେ ବଡ଼ ବଡ଼ ଟ୍ରଲର ଗୁଡିକ ସମସ୍ତ ନିୟମକାନୁନକୁ ଜଳାଞ୍ଜଳି ଦେଇ ଗହୀରମଥାର ନିଷିଦ୍ଧାଞ୍ଚଳରେ ମାଛ ଧରୁଛନ୍ତି । ଆଉ ପାଲଟିଛନ୍ତି କଇଁଛମାନଙ୍କ ମୃତ୍ୟୁର ସୌଦାଗର । ପୂର୍ବରୁ ଟ୍ରଲର ଗୁଡିକ ଧରା ପଡିଲେ ସଫେଇ ଦିଅନ୍ତି ଆମେ ଗହୀର ମଥାର ସୀମା ଜାଣି ନପାରି ପଶି ଯାଇଛୁ । ଫ୍ଲୋଟିଂବୟ ଦ୍ୱାରା ଗଭୀର ସମୁଦ୍ରରେ ମାତ୍ର ୨ବର୍ଷ ସୀମା ନିର୍ଦ୍ଧାରଣ କରାଯାଇଛି । ଏହା ପରେ ବି ନିଷିଦ୍ଧାଞ୍ଚଳରେ ପଶି ଟ୍ରଲରମାନେ ମାଛ ଧରୁଛନ୍ତି । ଆଉ ଟ୍ରଲର ମାଡ଼ରେ ମରୁଛନ୍ତି ଏହି ବିରଳ କଇଁଛ ।

ଗତ ୫ ବର୍ଷ ଭିତରେ ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସୁଥିବା ଅଲିଭ ରିଡଲେ କଇଁଛଙ୍କ ସଂଖ୍ୟା କମି କମି ଚାଲିଛି । ସେହି ଅନୁପାତରେ ପୂର୍ବ ତୁଳନାରେ ସେମାନଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି । ତେବେ ଆଶ୍ଚର୍ଯ୍ୟଜନକ ଭାବେ ଅଣ୍ଡାଦାନ ସଂଖ୍ୟା ବଢ଼ିବାରେ ଲାଗିଛି । ୨୦୧୬-୧୭ରେ ୬ ଲକ୍ଷ ୩ ହଜାର ୯୬୨ କଇଁଛ ଏଠାକୁ ଆସିଥିଲେ । ସେମାନେ ୨୦ ଲକ୍ଷ ୨୨ ହଜାର ଅଣ୍ଡାଦାନ କରିଥିଲେ । ସେହି ବର୍ଷ ୧୨୪୭ଟି ଅଲିଭରିଡଲେଙ୍କ ମୃତ୍ୟୁ ଘଟିଥିଲା । ୨୦୧୭-୧୮ରେ ୬ ଲକ୍ଷ ୬୪ ହଜାର ୮୯୭ କଇଁଛ ଆସିଥିବା ବେଳେ ଅଣ୍ଡା ଦେଇଥିଲେ ୩୦ ଲକ୍ଷ ୩୯ ହଜାର ୪୮୮ । ସେଥର ମୃତ୍ୟୁସଂଖ୍ୟା ଥିଲା ୭୮୮ । ସେହିପରି ୨୦୧୮-୧୯ରେ ଆସିଥିଲେ ୪ ଲକ୍ଷ ୫୦ ହଜାର ୯୪୯ କଇଁଛ । ଏମାନେ ୧ କୋଟି ୯୫ ଲକ୍ଷ ୭୧ ହଜାର ୬୫୫ ଅଣ୍ଡା ଦାନ କରିଥିଲେ । ଆଉ ମରିଥିଲେ ୧୦୧୫ଟି କଇଁଛ । ୨୦୧୯-୨୦୨୦ରେ ଗହୀରମଥାକୁ ଆସିଥିଲେ ୪ ଲକ୍ଷ ୭ ହଜାର ୨୦୪ଟି ଅଲିଭରିଡଲେ । ୨ କୋଟି ୫ ଲକ୍ଷ ୯୬ ହଜାର ୫୬୭ ଅଣ୍ଡା ମିଳିଥିଲା । ମୃତ୍ୟୁ ଘଟିଥିଲା ୯୬୨ଟିର । ୨୦୨୦-୨୧ରେ ୩ ଲକ୍ଷ ୪୯ ହଜାର ୬୪୯ କଇଁଛ ଆସିଥିବା ବେଳେ ସେମାନେ ୧ କୋଟି ୭୧ ଲକ୍ଷ ୮୧ ହଜାର ୭୧୦ଟି ଅଣ୍ଡା ଦେଇଥିଲେ । ଏମାନଙ୍କ ମଧ୍ୟରୁ ୫୧୭ଟି କଇଁଛଙ୍କ ମୃତ୍ୟୁ ଘଟିଛି। ଗତ ୫ ବର୍ଷ ଭିତରେ ଶହ ଶହ ବେଆଇନ୍‌ ଟ୍ରଲର ଏବଂ ମାଛ ଧରାରେ ବ୍ୟବହୃତ ସରଞ୍ଜାମ ଜବତ ହୋଇଛି । ବନବିଭାଗ ଏବଂ ମେରାଇନ୍‌ ପୋଲିସ୍‌ ଦ୍ୱାରା ନିୟମିତ ପାଟ୍ରୋଲିଂ କରାଯାଉଛି । ତଥାପି ରୋକି ହେଉନି ମାଫିଆଙ୍କୁ।

୨୦୦୩ ମସିହାରେ ଗହୀର ମଥା ଇତିହାସରେ ପ୍ରଥମ ଘଟଣା ଘଟିଥିଲା। ଶାନ୍ତ ସ୍ନିଗ୍ଧ ନୀଳ ଜଳରାଶିରେ ଲାଗିଲା ରକ୍ତର ଛିଟା। ସେଦିନ ବନ ବିଭାଗର ଅଧିକାରୀ, କର୍ମଚାରୀମାନେ ନିଷିଦ୍ଧାଞ୍ଚଳରେ କଇଁଛମାନଙ୍କ ସୁରକ୍ଷା ପାଇଁ ପାଟ୍ରୋଲିଂ କରୁଥିଲେ । ଏତିକି ବେଳେ ବାଂଲା ଜଳଦସ୍ୟୁଙ୍କ ଗୋଟିଏ ଟ୍ରଲର ଜବତ କରିଥିଲେ । ଏହା ସହିତ ୧୩ଜଣ ଜଳଦସ୍ୟୁଙ୍କୁ ବାବୁବାଲି ଦ୍ୱୀପରେ ଅଟକ ରଖିଥିଲେ । ବନକର୍ମଚାରୀ ଶ୍ୟାମ ସିଂଙ୍କୁ ବୋଟରେ ଛାଡିଦେଇ ପୁନର୍ବାର ପାଟ୍ରୋଲିଂ ପାଇଁ ଅଧିକାରୀ ଓ କର୍ମଚାରୀମାନେ ଚାଲି ଯାଇଥିଲେ । ତେବେ ଏହି ସମୁଦ୍ର ମାଫିଆମାନେ କୌଶଳକ୍ରମେ ବନ ବିଭାଗର ହାଜତରୁ ଖସି ଫେରାର ହୋଇଗଲେ । ହେଲେ ତା ପୂର୍ବରୁ ଘଟାଇ ଗଲେ ଏକ ବଡ଼ ଅଘଟଣ ।  ବୋଟରେ ଥିବା ନିରସ୍ତ୍ର ବନରକ୍ଷୀ ଶ୍ୟାମ ସିଂ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଜଳଦସ୍ୟୁମାନେ ତାଙ୍କୁ ନିର୍ଘାତ ମାଡ ମାରି ହାତଗୋଡ ବାନ୍ଧି ସମୁଦ୍ରକୁ ଫିଙ୍ଗି ଦେଇଥିଲେ । ସାଥି କର୍ମଚାରୀ ବାମଦେବ ପ୍ରଧାନଙ୍କୁ ମଧ୍ୟ ନିସ୍ତୁକ ମାଡମାରି ମଝି ସମୁଦ୍ର ଦ୍ୱୀପରେ ଛାଡିଦେଇ ଫେରାର ହୋଇଗଲେ । ସେହି କାଳ ରାତ୍ରିର ଆଉ ରକ୍ତାକ୍ତ ସଂଘର୍ଷର କଥା ଏବେବି ଭୁଲି ନାହାନ୍ତି ଭୁକ୍ତଭୋଗୀ ବନ କର୍ମଚାରୀ ବାମଦେବ ପ୍ରଧାନ। ଏହି ଘଟଣା ସେତେବେଳେ କେବଳ ଆଞ୍ଚଳିକସ୍ତରରେ ନୁହେଁ ବରଂ ଜାତୀୟ ସ୍ତରରେ ଶିରୋନାମା ପାଲଟିଥିଲା । ବନ୍ୟପ୍ରାଣୀ ଇତିହାସରେ ଶ୍ୟାମ ସିଂଙ୍କୁ ବିଶ୍ୱର ପ୍ରଥମ ସହିଦର ଆଖ୍ୟା ଦିଆଯାଇଥିଲା ।

ଏ ପୃଥିବୀରେ ସବୁକ୍ଷେତ୍ରରେ ଭାରସାମ୍ୟ ରଖିବା ପାଇଁ ବୋଧହୁଏ ଈଶ୍ୱର ସୃଷ୍ଟି କରିଛନ୍ତି ଅନେକ ଜୀବଜନ୍ତୁ ଓ ଗଛଲତା । ସେଥିଲାଗି ତ ଆମ ପୁରାଣରେ ଦଶାବତାରର ଅନ୍ୟତମ ଅବତାର ହେଉଛନ୍ତି କୁର୍ମ ବା କଇଁଛ । ଯିଏକି ଏ ପୃଥିବୀକୁ ନିଜ ପିଠି ଉପରେ ରଖି ରକ୍ଷା କରିଥିଲେ । ଏବେ ସେଇ ପୃଥିବୀର ଲୋକେ ତାର ଶତ୍ରୁ ପାଲଟିଛନ୍ତି । ତେଣୁ ଏହି ବିରଳ ଜୀବଙ୍କୁ ବଞ୍ଚାଇ ରଖିବା ଆମ ସମସ୍ତଙ୍କର ବଡ଼ ଦାୟିତ୍ୱ।

– କେନ୍ଦ୍ରାପଡ଼ା ରାଜନଗରରୁ ଦୋଳ ଗୋବିନ୍ଦ ଜେନା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.