FIFA ବିଶ୍ୱକପ୍‌ କଭର କରିବା ସମୟରେ ଆମେରିକୀୟ ସାମ୍ବାଦିକଙ୍କ ମୃତ୍ୟୁ; LGBTQ ସମର୍ଥନରେ ପିନ୍ଧିଥିଲେ ରେନ୍‌ବୋ ଟି-ଶାର୍ଟ

କତରରେ ଚାଲିଥିବା ଫିଫା ବିଶ୍ୱକପ୍‌ ପ୍ରଥମ ଦିନରୁ ହିଁ ଚର୍ଚ୍ଚାରେ ରହିଛି। ଏବେ ଫିଫା କଭର କରିବାକୁ ଯାଇଥିବା ଜଣେ ଆମେରିକୀୟ ସାମ୍ବାଦିକଙ୍କ ସନ୍ଦେହଜନକ ମୃତ୍ୟୁ ପୂରା ବିଶ୍ୱକୁ ଦୋହଲାଇ ଦେଇଛି। ମୃତ ସାମ୍ବାଦିକ ହେଲେ, ଗ୍ରାଣ୍ଟ ଓ୍ଵାହଲ। କତରରେ ତାଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଏଥି ପୂର୍ବରୁ କତର ପୋଲିସ ତାଙ୍କୁ LGBTQ ସମର୍ଥନରେ ରେନ୍‌ବୋ ଟି-ଶାର୍ଟ ପିନ୍ଧିବା ପାଇଁ ଗିରଫ କରିଥିଲା।

ମୃତ ଆମେରିକୀୟ ସାମ୍ବାଦିକଙ୍କ ଭାଇ ଏରିକ ଏହି ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି। ଏରିକ ନିଜ ଭାଇଙ୍କ ସନ୍ଦେହଜନକ ମୃତ୍ୟୁ ଉପରେ ପ୍ରଶ୍ନ ଉଠାଇ କତର ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି। କହି ରଖୁଛୁ, ଆମେରିକୀୟ ସାମ୍ବାଦିକ ଗ୍ରାଣ୍ଟ ଓ୍ଵାହଲା ୯ ଡିସେମ୍ବରରେ ଲୁସୈଲ ଆଇକୋନିକ୍‌ ଷ୍ଟାଡିୟମ୍‌ରେ ଆର୍ଜେଣ୍ଟିନା ଓ ନେଦରଲାଣ୍ଡ ମଧ୍ୟରେ ଖେଳା ଯାଉଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ କଭର କରୁଥିଲେ। ମ୍ୟାଚ୍‌ ସମୟରେ ହିଁ ସେ ହଠାତ୍‌ ନିଜ ସିଟ୍‌ରୁ ତଳେ ପଡ଼ି ଯାଇଥିଲେ।

ମୃତକଙ୍କ ଭାଇ କତର ସରକାରଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି, ‘ମୋ ଭାଇକୁ ମାରି ଦିଆଯାଇଛି ଏବଂ ମୁଁ ସାହାଯ୍ୟ ପାଇଁ ଭିକ୍ଷା ମାଗୁଛି। ମୋ ଭାଇ ସ୍ୱାସ୍ଥ୍ୟବାନ ଥିଲା। ସେ ମୋତେ କହିଥିଲା କି, ତାକୁ ଜୀବନରୁ ମାରିଦେବାକୁ ଧମକ ମିଳିଛି। ମୁଁ ବିଶ୍ୱାସ କରୁଛି, ତାଙ୍କୁ ମାରି ଦିଆଯାଇଛି’। ଏରିକ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟରେ ଏହି କଥା ଉଲ୍ଲେଖ କରିଛନ୍ତି।

ମୃତ ସାମ୍ବାଦିକଙ୍କ ଭାଇ ଆହୁରି ମଧ୍ୟ କହିଛନ୍ତି ଯେ ‘ମୋ ନାମ ଏରିକ ଓ୍ଵାହଲ। ମୁଁ ଓ୍ଵାଶିଂଟନର ସିଏଟଲରେ ରହୁଛି ଏବଂ ମୁଁ ଗ୍ରାଣ୍ଟ ଓ୍ଵାହଲଙ୍କ ଭାଇ। ମୁଁ ସମଲିଙ୍ଗିକ। ମୋ ଯୋଗୁ ହିଁ ମୋ ଭାଇ ବିଶ୍ୱକପ୍‌ରେ ରେନ୍‌ବୋ ଟି-ଶାର୍ଟ ପିନ୍ଧିଥିଲା। ସେ ମୋତେ କହିଥିଲା ଯେ ତାକୁ ଜୀବନରୁ ମାରିଦେବାକୁ ଧମକ ମିଳିଛି। ଆମେ ଏବେ ବି ପତ୍ତା ଲଗାଇବାକୁ ଚେଷ୍ଟା କରୁଛୁ’। ସେପଟେ ଆମେରିକା ଫୁଟ୍‌ବଲ ତରଫରୁ ଗ୍ରାଣ୍ଟଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.