ଭାରତୀୟ ଫୁଟବଲ ସଂଘ ଉପରୁ ବ୍ୟାନ ହଟାଇଲା ଫିଫା, ଭାରତରେ ଆୟୋଜନ ହେବ ୧୭ ବର୍ଷରୁ କମ ମହିଳା ବିଶ୍ଵକପ୍

ଭାରତୀୟ ଫୁଟବଲ୍‌ ପ୍ରେମୀଙ୍କ ପାଇଁ ଖୁସିର ଖବର। ୧୧ ଦିନ ପୂର୍ବରୁ ଉପୁଜିଥିବା ଦ୍ୱନ୍ଦ୍ୱ ଉପରୁ ପରଦା ହଟିଛି । ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫଏଫ) ଉପରେ ଲାଗିଥିବା କଟକଣାକୁ ଫିଫା ହଟାଇ ଦେଇଛି । ଏହା ଫଳରେ ଭାରତରେ ହେବାକୁ ଥିବା ଫିଫା ଜୁନିୟର ମହିଳା ବିଶ୍ୱକପ ଫୁଟବଲ ପାଇଁ ଥିବା ବାଧକ ହଟିଯାଇଛି।ଶୁକ୍ରବାର ଫିଫା ଏହାର ଘୋଷଣା କରିଛି।

ତେବେ ଏଆଇଏଫଏଫର କାର୍ଯ୍ୟକାରୀ କମିଟି ଦ୍ଵାରା ମାମଲାର ପୂର୍ଣ୍ଣ ନିୟନ୍ତ୍ରଣ ହାସଲ ପରେ ଫିଫା ଏହି ନିଷ୍ପତ୍ତି ନେଇଛି। ଫିଫା ଏବଂ ଏଏଫସି ଏଆଇଏଫଏଫର ଘଟଣାକ୍ରମ ଉପରେ ନଜର ରଖିବେ। ଏଥିସହ ନିର୍ଦ୍ଧାରିତ ସମୟରେ ନିର୍ବାଚନ କରାଇବାରେ ଏଆଇଏଫଏଫର ସମର୍ଥ କରିବେ। ଫିଫା ଭାରତରେ ୧୭ ବର୍ଷରୁ କମ ମହିଳା ବିଶ୍ଵ କପ୍ କରାଇବାର ଅଧିକାର ପୁନର୍ବାର ଏଆଇଏଫଏଫକୁ ପ୍ରଦାନ କରିଛି।

ଆସନ୍ତା ଅକ୍ଟୋବରରେ ଭୁବନେଶ୍ୱର ସମେତ ଦେଶର ୩ଟି ଭେନ୍ୟୁରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ। ସର୍ବଭାରତୀୟ ଫୁଟବଲ ମହାସଂଘରେ ତୃତୀୟ ପକ୍ଷର ମାତ୍ରାଧିକ ହସ୍ତକ୍ଷେପ ଦର୍ଶାଇ ସଙ୍ଗଠନ ଉପରେ ନିଲମ୍ବନ ଆଦେଶ ଦେଇଥିଲା ଫିଫା। AIFFର ଦୈନିକ କାର୍ଯ୍ୟକଳାପ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକଙ୍କ କମିଟି ଦ୍ୱାରା ପରିଚାଳିତ ହେଉଥିଲା। ଏହା ଫିଫା ନିୟମର ବିରୁଦ୍ଧାଚରଣ ବୋଲି ଦର୍ଶାଇ ସସ୍ପେଣ୍ଡ ଅନିର୍ଦ୍ଦେଶ ଜାରି କରିଥିଲା ଫିଫା।

ତେବେ ଇତିମଧ୍ୟରେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବାବେଳେ AIFFରେ ନିର୍ବାଚନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପଟେମ୍ବର ୨ରେ ନିର୍ବାଚନ ପାଇଁ କୋର୍ଟ ଧାର୍ଯ୍ୟ କରିବାପରେ ନିଲମ୍ବନ ଆଦେଶ ହଟାଇବାପାଇଁ ଫିଫାକୁ ଅନୁରୋଧ କରିଥିଲା AIFF।

ସୂଚନା ଯୋଗ୍ୟ ଅଗଷ୍ଟ ୧୬ରେ ଫିଫା ତୃତୀୟ ପକ୍ଷ ହସ୍ତକ୍ଷେପ କାରଣରୁ ଏଆଇଏଫଏଫକୁ ନିଲମ୍ବିତ କରିଥିଲା। ଫିଫା ନିୟମ ଏବଂ ସମ୍ବିଧାନର ଗମ୍ଭୀର ଉଲ୍ଲଂଘନ କାରଣରୁ ଏହି ନିର୍ଣ୍ଣୟ ନେଇଥିଲା। ଫଳରେ ଭାରତୀୟ ଫୁଟବଲ୍ ମହାସଂଘକୁ ନିଜର ୮୫ ବର୍ଷର ଇତିହାସରେ ପ୍ରଥମ ଥର ଫିଫା ଦ୍ଵାରା ନିଲମ୍ବନର ସମ୍ମୁଖୀନ ହେବାକୁ ପଡିଥିଲା। ଏପରିକି ଫିଫା ଭାରତ ହାତରୁ ୧୭ ବର୍ଷରୁ କମ ମହିଳା ବିଶ୍ଵ କପ୍ ଆୟୋଜନର ଅଧିକାର ଛଡାଇ ନେଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.