ଐତିହାସିକ ମ୍ୟାଚ୍‌ରେ ଐତିହାସିକ ବିଜୟ : ପିଙ୍କ୍‌ ବଲ୍‌ ଟେଷ୍ଟରେ ଭାରତ ଏକ ଇନିଂସ୍‌ ଓ ୪୬ ରନ୍‌ରେ ବିଜୟୀ

କୋଲକାତା : ଭାରତୀୟ କ୍ରିକେଟ୍‌ ଦଳ ଆଜି ପିଙ୍କ୍‌ବଲ୍‌ ଟେଷ୍ଟରେ ବାଂଲାଦେଶକୁ ଏକ ଇନିଂସ୍‌ ଓ ୪୬ ରନ୍‌ରେ ପରାସ୍ତ କରି ଦୁଇଟିକଆ ଟେଷ୍ଟ ସିରିଜ୍‌କୁ ୨-୦ରେ ଜିତି ନେଇଛି । ଘରୋଇ ମାଟିରେ ଇଏ ହେଉଛି ଭାରତର କ୍ରମାଗତ ଦ୍ୱାଦଶ (୧୨) ସିରିଜ୍‌ ବିଜୟ । ଏହା ସହିତ ବିଶ୍ୱ ରେକର୍ଡ଼ କରିଛି ବିରାଟ ବାହିନୀ । ପ୍ରଥମ ଦଳ ଭାବେ ଭାରତ ଲଗାତର ଭାବେ ୪ଟି ଟେଷ୍ଟରେ ଇନିଂସ୍‌ ବିଜୟ ହାସଲ କରିଛି ।


ଆଜି ତୃତୀୟ ଦିନରେ ଖେଳ ଆରମ୍ଭ ହେବାର ୫୦ ମିନିଟ୍‌ ଭିତରେ ଭାରତ ତାର ବାକିଆ କାମ ଶେଷ କରି ଦେଇଥିଲା । ବାଂଲାଦେଶର ବଳକା ୪ଟି ଓ୍ଵିକେଟ୍‌ ନେଇ ଏହାକୁ ଦ୍ୱିତୀୟ ଇନିଂସ୍‌ରେ ୧୯୫ ରନ୍‌ରେ ଅଲ୍‌ଆଉଟ୍‌ କରି ଦେଇଥିଲା । ପ୍ରଥମ ଇନିଂସ୍‌ରେ ଇଶାନ୍ତ ଶର୍ମାଙ୍କ ଭଳି ଦ୍ୱିତୀୟ ଇନିଂସ୍‌ରେ ଭାରତର ଅନ୍ୟତମ ପେସ୍‌ ବୋଲର୍‌ ଉମେଶ ଯାଦବ ୫ ଓ୍ଵିକେଟ୍‌ ନେଇଥିଲେ । ବାଂଲାଦେଶ ପକ୍ଷରୁ ମୁସଫିକର ରେହମାନ ଗତକାଲି ଠାରୁ ଅପରାଜିତ ରହି ଭାରତର ବିଜୟକୁ ବିଳମ୍ବ କରିଥିଲେ । ମୁସିଫିକର ୭୪ ରନ୍‌ କରି ଆଉଟ୍‌ ହେବା ପରେ ବାଂଲାଦେଶ ଦ୍ୱିତୀୟ ପାଳିର ଶୀଘ୍ର ପତନ ଘଟିଥିଲା । ଆଜି ମାତ୍ର ୮.୪ ଓଭର୍‌ ଖେଳରେ ଭ୍ରମଣକାରୀ ଦଳର ବାକି ୪ଟି ଓ୍ଵିକେଟ୍‌ ପଡ଼ି ଯାଇଥିଲା ।

INDIA TEAM-1ଏହି ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ରେ ପ୍ରଥମ ପାଳିରେ ବାଂଲାଦେଶ ମାତ୍ର ୧୦୬ ରନ୍‌ କରିବା ପରେ ଭାରତ ୯ ଓ୍ଵିକେଟ୍‌ରେ ୩୭୪ ରନ୍‌ କରି ପାଳି ଘୋଷଣା କରିଥିଲା । ଭାରତର ପ୍ରଥମ ଇନିଂସ୍‌ରେ ଗତକାଲି ଅଧିନାୟକ ବିରାଟ କୋହଲିଙ୍କ ୨୭ତମ ଟେଷ୍ଟ ଶତକ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । ମୋଟ୍‌ରେ ଆନ୍ତର୍ଜାତିକ କ୍ରିକେଟ୍‌ରେ ବିରାଟଙ୍କର ଇଏ ଥିଲା ୭୦ତମ ଶତକ । ମ୍ୟାଚ୍‌ରେ ଦୁଇ ଭାରତୀୟ ପେସ୍‌ ବୋଲର୍‌ ସର୍ବାଧିକ କମାଲ ଦେଖାଇଥିଲେ । ଇଶାନ୍ତ ମୋଟ୍‌ ୯ଟି ଏବଂ ଯାଦବ ୮ଟି ଓ୍ଵିକେଟ୍‌ ହାସଲ କରିଥିଲେ । ଫଳରେ ଭାରତ ଲଗାତର ଭାବେ ୭ଟି ଟେଷ୍ଟ ମ୍ୟାଚ୍‌ ଜିତି ପାରିଛି ।


ଆଜି ସିରିଜ୍‌ ଜିତିବା ପରେ ବିରାଟ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ବାଂଲାଦେଶର ନଜମୁଲ ହାସନଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ । ଆଜିର ବିଜୟ ସହ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ରେ ସର୍ବାଧିକ ୩୬୦ ପଏଣ୍ଟ ସହ ଶୀର୍ଷ ସ୍ଥାନ ବଜାୟ ରଖିଛି । ଭାରତ ଏପର୍ଯ୍ୟନ୍ତ ୭ଟି ଟେଷ୍ଟ ଖେଳିଥିବା ବେଳେ ୬ଟି ଟେଷ୍ଟ ଖେଳିଥିବା ଅଷ୍ଟ୍ରେଲିଆ ମାତ୍ର ୧୧୬ ପଏଣ୍ଟ ଦ୍ୱିତୀୟ ସ୍ଥାନରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.