ଏସିଆ କପ୍ ପୂର୍ବରୁ ଟିମ ଇଣ୍ଡିଆକୁ ଝଟକା, ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବେନି କେଏଲ ରାହୁଲ
ଟିମ ଇଣ୍ଡିଆ ଯାହାକୁ ନେଇ ଭୟ କରୁଥିଲା, ସେୟା ହିଁ ହେଲା । ଏସିଆ କପ୍ ୨୦୨୩ । ପ୍ରଥମ ଦୁଇଟି ମ୍ୟାଚ୍ରେ କେଏଲ ରାହୁଲ ଖେଳିବେନି ବୋଲି ହେଡ କୋଚ ରାହୁଲ ଦ୍ରାବିଡ କହିଛନ୍ତି । ତେବେ ଟିମରେ ସଞ୍ଜୁ ସାମସନଙ୍କୁ ସୁଯୋଗ ଦିଆଯାଇପାରେ ବୋଲି ଫ୍ୟାନ୍ସ ଆଶା କରୁଛନ୍ତି ।
ଏସିଆ କପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଲା ବଡ ଝଟକା । ଏସିଆ କପ୍ ୨୦୨୩ର ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବେନି କେଏଲ ରାହୁଲ । ପାକିସ୍ତାନ ଏବଂ ନେପାଳ ବିପକ୍ଷ ମ୍ୟାଚ୍ ଖେଳିନ ପାରନ୍ତି କେଏଲ ରାହୁଲ । ଟିମର ହେଡ କୋଚ ରାହୁଲ ଡ୍ରାବିଡ ଏ ନେଇ ସୂଚନା ଦେଇଛନ୍ତି ।
ବେଙ୍ଗାଲୁରୁ ଅଲୁରରେ ଚାଲିଥିବା ଏସିଆ କପ୍ ଟ୍ରେନିଂ କ୍ୟାମ୍ପ ସମୟରେ ରାହୁଲ ଦ୍ରାବିଡ କହିଛନ୍ତି, ଟୁର୍ଣ୍ଣାମେଣ୍ଟର ୨ଟି ମ୍ୟାଚ୍ ଖେଳିବେ ନାହିଁ କେଏଲ ରାହୁଲ । ପାକିସ୍ତାନ ଏବଂ ନେପାଳ ବିପକ୍ଷରେ ହେବାକୁ ଥିବା ୨ ସେପ୍ଟେମ୍ବର ଓ ୪ ସେପ୍ଟେମ୍ବର ମ୍ୟାଚ୍ ଖେଳିବେ ନାହିଁ କେଏଲ ରାହୁଲ ।
କେଏଲ ରାହୁଲଙ୍କ ଆଘାତଜନିତ ସମସ୍ୟା ଏପର୍ଯ୍ୟନ୍ତ ଠିକ୍ ହୋଇନାହିଁ । ଏସିଆ କପ ଟ୍ରେନିଂ କ୍ୟାମ୍ପରେ ସାମିଲ ରହିଥିବା ବେଳେ ଲଗାତାର ପ୍ରାକ୍ଟିସ ମଧ୍ୟ କରୁଛନ୍ତି । କିନ୍ତୁ ଖେଳ ବେଳେ ତାଙ୍କ ପ୍ରଦର୍ଶନ ଭଲ ଦେଖାଯାଉନାହିଁ । ଓ୍ଵିକେଟ କିପିଂ ଡ୍ରିଲ କରିବା ହେଉ କିମ୍ବା ବ୍ୟାଟିଂ ପ୍ରଦର୍ଶନରେ ଅଭାବ ଦେଖିବାକୁ ମିଳୁଛି । କେଏଲ ରାହୁଲ ଟିମରୁ ବାଦ୍ ପଡିଲେ ତାଙ୍କ ସ୍ଥାନରେ ଈଶାନ କିଶନଙ୍କୁ ଓ୍ଵିକେଟ କିପିଂ କରିବାକୁ ପଡିପାରେ । ଈଶାନ ମଧ୍ୟକ୍ରମରେ ବ୍ୟାଟିଂ କରିପାରନ୍ତି ନଚେତ ସଞ୍ଜୁ ସାମସନଙ୍କୁ ମଉକା ମିଳିପାରେ ।
ଆସନ୍ତାକାଲିରୁ ଏସିଆ କପ୍ ୨୦୨୩ ଆରମ୍ଭ ହେଉଛି । ଏସିଆ କପର ୪ଟି ମ୍ୟାଚ୍ ପାକିସ୍ତାନ ଏବଂ ୯ଟି ଶ୍ରୀଲଙ୍କାରେ ଖେଳାଯିବ । ଟିମ୍ ଇଣ୍ଡିଆ ସେପ୍ଟେମ୍ବର ୨ ତାରିଖରୁ ମ୍ୟାଚ ଖେଳିବ । ପ୍ରଥମେ ନିଜର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହିତ ହେବ । ଭାରତୀୟ ଟିମ ଖୁବଶୀଘ୍ର ଏଥିପାଇଁ ଶ୍ରୀଲଙ୍କା ଗସ୍ତ କରିବ ।