ବଗିଚାରେ ଛଟପଟ ହେଉଥିବା ଚଢ଼େଇକୁ ଦେଖି ପାପା ଧୋନିଙ୍କୁ ଡାକି ଚଢ଼େଇର ଜୀବନ ବଞ୍ଚାଇଲା ଝିଅ ଜିଭା

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସୋସିଆଲ ମିଡିଆରେ ଏତେଟା ଆକ୍ଟିଭ୍‌ ରହୁନଥିଲେ ମଧ୍ୟ ତାଙ୍କ ଝିଅ ଜିଭା ଓ ପତ୍ନୀ ସାକ୍ଷୀ ସବୁବେଳେ ଆକ୍ଟିଭ୍‌ ରହିଥାନ୍ତି। ସେମାନେ ଧୋନିଙ୍କର ଅଧିକାଂଶ ଭିଡିଓ ଓ ଫଟୋ ସେୟାର କରିଥାନ୍ତି। ଏଥରକ ଜିଭା ଧୋନିଙ୍କ ଫଟୋ ସେୟାର କରି କହିଛନ୍ତି ପାପା କେମିତି ଏକ ଛୋଟ ଚଢ଼େଇର ଜୀବନ ବଞ୍ଚାଇଛନ୍ତି। ଫଟୋରେ ଧୋନି ଏକ ଛୋଟ ଚଢ଼େଇକୁ ଧରି ପାଣି ପିଆଉଛନ୍ତି।

ଜିଭା ଫଟୋ ସେୟାର କରି ଲେଖିଛନ୍ତି ଆଜି ସନ୍ଧ୍ୟାରେ ମୁଁ ଲନ୍‌ରେ ଏକ ଆହତ ଚଢ଼େଇ ଦେଖିଥିଲି। ମୁଁ ମମି ପାପାଙ୍କୁ ଚିଲ୍ଲାଇ ଚିଲ୍ଲାଇ ଡାକିଥିଲି। ପାପା ତାକୁ ହାତରେ ଧରି ପାଣି ପିଆଇଥିଲେ। କିଛି ସମୟ ପରେ ସେ ଆଖି ଖୋଲିଥିଲା। ତାକୁ ସୁସ୍ଥ ହେଉଥିବା ଦେଖି ଆମେ ବି ଆଶ୍ୱସ୍ତ ହୋଇଥିଲୁ। ଆମେ ଗଛରେ ହିଁ ତା ପାଇଁ ଘର ତିଆରି କଲୁ। ମମି କହିଲେ ଯେ ଏହା କ୍ରିସମସ୍‌ ବ୍ରେଷ୍ଟେଡ୍‌ ବାରବେଟ୍‌ ଓ ଏହାକୁ କପରସ୍ମିଥ ମଧ୍ୟ କୁହନ୍ତି। କିଛି ସମୟ ପରେ ଚଢ଼େଇ ଉଡ଼ିଗଲା। ମୁଁ ତାକୁ ଅଟକାଇବାକୁ ଚାହୁଁଥିଲି। କିନ୍ତୁ ମମି କହିଲେ ସେ ତା ମମି ପାଖକୁ ପଳେଇଲା। ତାକୁ ମୁଁ ପୁଣି ଦେଖିବି ବୋଲି ଆଶା କରୁଛି।

MS Dhoni Helps Daughter Ziva Rescue an Injured Bird

ସୂଚନାଯୋଗ୍ୟ ଯେ ଲକ୍‌ଡାଉନ୍‌ ଯୋଗୁ ଧୋନି ଏବେ ନିଜ ଫାର୍ମ ହାଉସରେ ପରିବାର ସହ ସମୟ କାଟୁଛନ୍ତି। ସେ କେତେବେଳେ ବଗିଚାରେ ବୁଲୁଛନ୍ତି ତ ଆଉ କେତେବେଳେ ଗାର୍ଡେନରେ ବାଇକରେ ବୁଲୁଥିବା ଦେଖିବାକୁ ମିଳୁଛି। ନିକଟରେ ସେ ଏକ ଟ୍ରାକ୍ଟର କିଣିଛନ୍ତି। ଧୋନି ଟ୍ରାକ୍ଟର ଚଲାଉଥିବା ଭିଡିଓ ଖୁବ୍‌ ଭାଇରାଲ ହୋଇଥିଲା। ଏବେ ଚଢ଼େଇକୁ ବଞ୍ଚାଇବା ଫଟୋ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.