ଅଶୋକ ପଟ୍ଟନାୟକ ଶ୍ରାଦ୍ଧ ଦିବସରେ ଓସଜା ପକ୍ଷରୁ ଆଇରନ୍ ମ୍ୟାନ୍ ସୌଭାଗ୍ୟ କୁମାରଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର (କେ ନ୍ୟୁଜ୍) : ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ଓସ୍ଜା ପକ୍ଷରୁ ଆଜି ସ୍ୱର୍ଗତ କ୍ରୀଡ଼ା ସାମ୍ବାଦିକ ଅଶୋକ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଛି । ତାଙ୍କ ସ୍ମୃତିରେ ପାଳନ କରାଯାଉଥିବା ଏହି ଦିବସରେ ଆଜି ଆଇରନ୍ ମ୍ୟାନ୍ ଭାବେ ପରିଚିତ ସୌଭାଗ୍ୟ କୁମାର ରଥଙ୍କୁ ତାଙ୍କର କ୍ରୀଡ଼ା ସଫଳତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଟ୍ରାୟାଥଲନ୍ରେ ବିଶ୍ୱସ୍ତରରେ ସୌଭାଗ୍ୟ ଲଗାତର ସଫଳତା ଅର୍ଜନ କରି ଚାଲିଛନ୍ତି । ଶ୍ରୀଲଙ୍କାରେ ଅନୁଷ୍ଠିତ ଆନ୍ତର୍ଜାତିକ ପ୍ରତିଯୋଗିତାରେ ସେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ । ଜର୍ମାନୀ ବିଶ୍ୱ ଚାମ୍ପିଅନ୍ସିପ୍ରେ ‘ଆଇରନ୍ ମ୍ୟାନ୍’ ଉପାଧି ହାସଲ କରିଛନ୍ତି । ହମ୍ବର୍ଗରେ ଅନୁଷ୍ଠିତ ଏହି ବିଶ୍ୱ ଚମ୍ପିଅନ୍ସିପରେ ସେ ୨୬୫୦ ଜଣଙ୍କ ମଧ୍ୟରେ ସେ ପ୍ରଥମ ହୋଇଥିଲେ । ଆଇରନ୍ ମ୍ୟାନ୍ ହେବା ପାଇଁ ୧୫ ଘଣ୍ଟା ୫୦ ମିନିଟ୍ ସମୟ ମଧ୍ୟରେ ବିଭିନ୍ନ ଇଭେଣ୍ଟ ସାରିବାକୁ ନିର୍ଦ୍ଧାରିତ କରାଯାଇଥିବା ବେଳେ ସୌଭାଗ୍ୟ ଏହାକୁ ପାଖାପାଖି ୧୫ ଘଣ୍ଟା ୨୭ ମିନିଟ୍ରେ ଶେଷ କରିଥିଲେ ।
ଭୁବନେଶ୍ୱର ସହିଦ ସ୍ପୋର୍ଟିଂ କ୍ଲବ୍ ଦେବାଶିଷ ମହାନ୍ତି ଷ୍ଟାଣ୍ଡରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବରିଷ୍ଠ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓସ୍ଜାର ସଭାପତି ସନ୍ଦୀପ ମିଶ୍ର, କାର୍ଯ୍ୟକାରୀ ସଭାପତି କେ. ରବି, ପୂର୍ବତନ ସାଧାରଣ ସମ୍ପାଦକ ସନାତନ ପାଣି ଏବଂ ସଂଗଠନର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଥିରେ ଡ. ଅଶୋକ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରାଯାଇଥିଲା ଏବଂ ‘ଓଡ଼ିଶା ସହ ଧ୍ୟାନଚାନ୍ଦଙ୍କ ସମ୍ପର୍କ’ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ମୁଖ୍ୟଅତିଥି ଅଶୋକ ମହାନ୍ତି ଧ୍ୟାନଚାନ୍ଦଙ୍କ ସହ ନିଜ ସାକ୍ଷାତ ଓ ଅନୁଭୂତି ସମ୍ପର୍କରେ ସୂଚନା ଦେଇଥିଲେ । ଓସ୍ଜା ସାଧାରଣ ସମ୍ପାଦକ ସମ୍ବିତ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁ ଏବଂ ସିଦ୍ଧାନ୍ତ ପଟ୍ଟନାୟକଙ୍କ ବିୟୋଗରେ ମଧ୍ୟ ନିରବ ପ୍ରାର୍ଥନା କରାଯାଇଥିଲା ।