ଟି-୨୦ ବିଶ୍ୱକପ୍‌ ୨୦୨୨: ଦ୍ୱିତୀୟ ସେମିଫାଇନାଲରେ ୧୦ ଓ୍ଵିକେଟ୍‌ରେ ଟିମ୍‌ ଇଣ୍ଡିଆର ଶୋଚନୀୟ ପରାଜୟ; ଫାଇନାଲରେ ଇଂଲଣ୍ଡ

ଅଷ୍ଟ୍ରେଲିଆର ଏଡିଲେଡ ଓଭାଲ ଗ୍ରାଉଣ୍ଡରେ ଗୁରୁବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଇଂଲଣ୍ଡ ହାତକୁ ଯାଇଛି। ୧୦ ଓ୍ଵିକେଟ୍‌ରେ ଟିମ୍‌ ଇଣ୍ଡିଆର ଶୋଚନୀୟ ପରାଜୟ ହୋଇଛି। ଫଳରେ ଫାଇନାଲରେ ସହଜରେ ପ୍ରବେଶ କରିଛି ଇଂଲଣ୍ଡ ଟିମ୍‌। ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର୍ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ରେ ବହୁତ ଭଲ ବ୍ୟାଟିଂ କରିଥିଲେ। ସେ ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ।

ଟି-୨୦ ବିଶ୍ୱକପ୍‌ ଦ୍ୱିତୀୟ ସେମିଫାଇନାଲରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ସାମ୍ନାରେ ୧୬୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା (୬୩) ଓ ବିରାଟ କୋହଲି (୫୦)ଙ୍କ ଜବରଦସ୍ତ ଇଂନିସ୍ ସହାୟତାରେ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ୍ ହରାଇ ୧୬୮ ରନ୍ ସ୍କୋର କରିଥିଲା। ଏହାର ଜବାବରେ ଇଂଲଣ୍ଡ ଟିମ୍‌ ଜବରଦସ୍ତ ବ୍ୟାଟିଂ କରି ସହଜରେ ବିଜୟ ହାସଲ କରି ନେଇଥିଲା। ଦଳ ବିନା କୌଣସି ଓ୍ଵିକେଟ୍‌ ହରାଇ ନିର୍ଦ୍ଧାରିତ ରନ୍‌ ହାସଲ କରିଥିଲା। ଇଂଲଣ୍ଡର ମୁକାବିଲା ଏବେ ୧୩ ନଭେମ୍ବରରେ ପାକିସ୍ତାନ ସହ ଫାଇନାଲରେ ହେବ।

ଏହି ମ୍ୟାଚ୍‌କୁ ଜିତିବା ପାଇଁ ଇଂଲଣ୍ଡ ଟିମ୍‌କୁ ୨୦ ଓଭରରେ ୧୬୯ ରନ୍‌ କରିବାର ଥିଲା। ଇଂଲଣ୍ଡ ଟିମ୍‌ ଏହି ଟାର୍ଗେଟ୍‌କୁ ବିନା କୌଣସି ଓ୍ଵିକେଟ୍‌ ହରାଇ ହାସଲ କରି ନେଇଥିଲା। ଜୋସ୍‌ ବଟଲର ଅପରାଜିତ ୮୦ ରନ୍‌ ଏବଂ ଏଲେକ୍ସ ହେଲ୍ସ ଅପରାଜିତ ୮୬ ରନ୍‌ର ଇଂନିସ୍‌ ଖେଳିଥିଲେ। ଟି-୨୦ ବିଶ୍ୱକପ୍‌ ୨୦୨୨ର ଫାଇନାଲ ମ୍ୟାଚ୍‌ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ।

ଟିମ୍‌ ଇଣ୍ଡିଆ ଏହି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା। କିନ୍ତୁ ପ୍ରଥମରୁ ହିଁ ଟିମ୍‌ର ପ୍ରଦର୍ଶନ ଖରାପ ରହିଥିଲା। କେଏଲ୍‌ ରାହୁଲ ମାତ୍ର ୫ ରନ୍‌ କରି ପ୍ୟାଭେଲିୟନ ଫେରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଫିନିସରର ଭୂମିକା ନିଭାଇ ୩୩ ବଲ୍‌ରେ ୬୩ ରନ୍‌ କରିଥିବା ବେଳେ ବିରାଟ କୋହଲି ମଧ୍ୟ ୪୦ ବଲ୍‌ରେ ୫୦ ରନ୍‌ କରିଥିଲେ। ଉଭୟଙ୍କ ଇଂନିସ୍‌ ସହାୟତାରେ ଟିମ୍‌ ସମ୍ମାନଜନକ ସ୍କୋର ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା। ଶେଷ ୪ ଓଭରରେ ଭାରତ ୫୮ ରନ୍‌ ଯୋଡ଼ିଥିଲା, ଯେଉଁଥିରେ ୪ଟି ଚଉକା ସହିତ ପାଣ୍ଡ୍ୟାଙ୍କର ୫ଟି ଛକା ସାମିଲ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.