ପଞ୍ଚାୟତ ନିର୍ବାଚନ ପାଇଁ ବଢ଼ିଲା ଖର୍ଚ୍ଚ ସୀମା: ଜାଣନ୍ତୁ କେଉଁ ପ୍ରାର୍ଥୀ କେତେ ଖର୍ଚ୍ଚ କରିପାରିବେ

ଭୁବନେଶ୍ବର(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନ ପାଇଁ ବଢ଼ିଲା ଖର୍ଚ୍ଚ ସୀମା । ଜିଲ୍ଲା ପରିଷଦ ପ୍ରାର୍ଥୀ ୫ ଲକ୍ଷ, ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀ ୨ ଲକ୍ଷ ଟଙ୍କା ଲେଖାଏ ଖର୍ଚ୍ଚ କରିପାରିବେ । ସେହିପରି ଭୋଟ୍‌ ଗ୍ରହଣ ସମୟ ସୀମା ବି ବୃଦ୍ଧି କରାଯାଇଛି । ସକାଳ ୭ଟାରୁ ଦିନ ଗୋଟାଏ ଯାଏ ମତଦାନ ଚାଲିବ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ସେହିପରି ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଓ ସରପଞ୍ଚ ପ୍ରାର୍ଥୀ ନିର୍ବାଚନରେ ଗାଡ଼ି ବ୍ୟବହାର ନେଇ ଜାରି ହୋଇଛି ନିର୍ଦ୍ଦେଶନାମା ।

ଜିଲ୍ଲା ପରିଷଦ ସଦସ୍ୟଙ୍କୁ ୫ଟି ଜିପ୍‌ ବା କାର୍‌ ଓ ୧୦ଟି ମୋଟର ସାଇକେଲ୍‌ ବ୍ୟବହାର ଅନୁମତି ଦିଆଯିବ । ପଞ୍ଚାୟତ ସମିତି ଓ ସରପଞ୍ଚ ୨ଟି କାର୍‌ ବା ଜିପ୍‌ ଓ ୫ଟି ଲେଖାଏ ବାଇକ୍‌ ବ୍ୟବହାର କରିପାରିବେ । ଜିଲ୍ଲା ପରିଷଦ ପ୍ରାର୍ଥୀ କେଉଁ ଗାଡ଼ି, ପଞ୍ଜିକରଣ ନମ୍ବର, ଗାଡ଼ି ମାଲିକଙ୍କ ନାଁ ଉପଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇବେ । ସେହିପରି ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀ ସ୍ଥାନୀୟ ବିଡିଓଙ୍କୁ ଜଣାଇବେ ।

ତିନିଟି ନକଲ ଦାଖଲ କରିବେ ପ୍ରାର୍ଥୀ । ଏଥିରୁ ଗୋଟିଏ ନକଲ ଉପଜିଲ୍ଲାପାଳ କିମ୍ବା ବିଡିଓ, ଆଉ ଗୋଟିଏ ନିକଟସ୍ଥ ମୋଟର ଯାନ କର୍ତ୍ତୃପକ୍ଷଙ୍କୁ ଦେବେ । ଗୋଟିଏ ନିଜ ପାଖରେ ରହିବେ ପ୍ରାର୍ଥୀ । ମୋଟର ଯାନ ଅଧିକାରୀ ଗୋଟିଏ ରେଜିଷ୍ଟରରେ ସବୁ ତଥ୍ୟ ରଖିବେ । ମୋଟର ଯାନ ସମ୍ପର୍କିତ ସମସ୍ତ ଖର୍ଚ୍ଚ ନିର୍ବାଚନ ଖର୍ଚ୍ଚ ମଧ୍ୟରେ ସୀମିତ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.