ନିର୍ବାଚନ ଲଢ଼ି ପାରିବେ ନାହିଁ ମଦ୍ୟପ! ମଦ ନିଷେଧକୁ ନେଇ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ବିହାର ସରକାର

ବିହାରରେ ଏବେ ମଦ ପିଇବା ମନା। ଏପରି କି, ମଦ ବିକ୍ରି କଲେ ମଧ୍ୟ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ବର୍ତ୍ତମାନ ରାଜ୍ୟ ସରକାର ମଦ୍ୟପାନ କରୁଥିବା ଏବଂ ମଦ ବିକୁଥିବା ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ବିଚାର କରୁଛନ୍ତି। ଏମିତି କି, ସେମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ କରାଯିବା ଉପରେ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ଏଭଳି ଲୋକଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମଧ୍ୟ ଦିଆଯିବ ନାହିଁ। ଅର୍ଥାତ୍‌ ମଦ୍ୟପାନ କରୁଥିଲେ କେହି ବି ନିର୍ବାଚନ ଲଢ଼ି ପାରିବେ ନାହିଁ। ଏବେ ଏମିତି ହିଁ କିଛି ପଦକ୍ଷେପ ନେବା ଉପରେ ବିଚାର କରୁଛନ୍ତି ବିହାର ସରକାର। ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଇ ସମ୍ପୃକ୍ତ ବିଭାଗ ଏଭଳି ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ପାଟନାରେ ମଦ ନିଷେଧ ବିଭାଗ ମଦ୍ୟପାନ କରୁଥିବା ଲୋକଙ୍କୁ ସରକାରୀ ଯୋଜନାର ଲାଭ ସାଙ୍ଗକୁ ନିର୍ବାଚନ ଲଢ଼ିବା ଉପରେ ମଧ୍ୟ ରୋକ୍‌ ଲଗାଇବ। ବିଭାଗୀୟ ଅତିରିକ୍ତ ମୁଖ୍ୟ ସଚିବ ଏହି ପ୍ରସଙ୍ଗରେ ନିର୍ବାଚନ, ପଞ୍ଚାୟତିରାଜ, ପରିବହନ, ଶିକ୍ଷା, ସ୍ୱାସ୍ଥ୍ୟ, ଉଦ୍ଦ୍ୟୋଗ ଆଦି ମନ୍ତ୍ରାଳୟର ବରିଷ୍ଠ ପଦାଧିକାରୀମାନଙ୍କ ସହିତ ଏକ ବୈଠକ ଆୟୋଜନ କରିଥିଲେ, ଯେଉଁଥିରେ ମଦ ନିଷେଧ କରାଯିବା ଉପରେ ସମ୍ପୃକ୍ତ ଅଧିକାରୀମାନଙ୍କ ରାୟ ମଗାଯାଇଛି। ତେବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଏମିତି ଲୋକଙ୍କ ଉପରେ କୌଣସି ପ୍ରତିବନ୍ଧକ ଲାଗିବ କି ନାହିଁ ବୋଲିି ବୈଠକରେ ପ୍ରଶ୍ନ ଉଠିଥିଲା। ରିପୋର୍ଟ ମୁତାବକ, ବିଭିନ୍ନ ମନ୍ତ୍ରାଳୟରୁ ରାୟ ମିଳିବା ପରେ ଫାଇନାଲ ଡ୍ରାଫ୍ଟ ପ୍ରସ୍ତୁତ କରାଯିବ। ଏହା ପରେ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ପାଇଁ ପଠାଯିବ।

ମଦ ନିଷେଧ ଆଇନରେ ସଂଶୋଧନ ପରେ ଯଦିଓ ପ୍ରଥମ ଥର ମଦ ପିଇ ଧରା ପଡ଼ିଲେ ଜରିମାନା ଦେଇ ମୁକୁଳିବାର ବ୍ୟବସ୍ଥା ରହିଛି, କିନ୍ତୁ ଜରିମାନା ଦେଇ ମୁକୁଳି ଯାଉଥିବା ମଦ୍ୟପମାନେ ବି ଆଇନ ଅନୁସାରେ ଦୋଷୀ ସାବ୍ୟସ୍ତ ହେବେ। ସେମାନଙ୍କୁ ମଧ୍ୟ ସରକାରୀ ଯୋଜନାଗୁଡ଼ିକର ଲାଭ ମିଳିବ ନାହିଁ। ମଦ ନିଷେଧ ଆଇନ ଅଧୀନରେ ଯେଉଁ ଲୋକ ପୂର୍ବରୁ ବି ଧରା ପଡ଼ିଛନ୍ତି, ସେମାନଙ୍କୁ ମଧ୍ୟ ସରକାରୀ ଯୋଜନାଗୁଡ଼ିକରୁ ବଞ୍ଚିତ ରଖିବା ପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି। ସୂଚନାଥାଉ କି, ବିହାର ସରକାରଙ୍କ ମଦ ନିଷେଧ ଆଇନ ୨୦୧୬ର ଧାରା ୬୫ରେ ନିୟମ ରହିଛି ଯେ ଯଦି ସରକାର ଚାହିଁବେ, ତେବେ କୌଣସି ବି ଧାରା ଅଧୀନରେ ଅଭିଯୁକ୍ତଙ୍କୁ ଯେ କୌଣସି ସୁବିଧାରୁ ବଞ୍ଚିତ କରି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.