ଜୀବନ ନେଲା ପବଜି ଗେମ୍, ସାନ ଭାଇକୁ ତଣ୍ଟି ଚିପି ହତ୍ୟା କଲା ୧୬ ବର୍ଷର ସମ୍ପର୍କୀୟ ଭାଇ

ବର୍ତ୍ତମାନର ଯୁବପିଢ଼ିଠୁ ଆରମ୍ଭ କରି ପିଲାଙ୍କ ଯାଏଁ ସମସ୍ତଙ୍କୁ ପବଜି ଓ ଫ୍ରି ଫାୟାର ଗେମର ଏମିତି ନିଶା ଚଢ଼ିଛି ଯେ ସେମାନେ ଏହି ଖେଳ ପାଇଁ ଅପରାଧ କରିବାକୁ ବି ପଛଘୁଞ୍ଚା ଦେଉନାହାନ୍ତି। ସେମିତି ପୁଣି ଏକ ଅପରାଧ ଘଟିଛି ରାଜସ୍ଥାନରେ। ଏଠାରେ ଏକ ୧୬ ବର୍ଷର ବାଳକ ପବଜି ଓ ଫ୍ରି ଫାୟାର ଗେମ୍ ପାଇଁ ନିଜ ସମ୍ପର୍କୀୟ ୧୨ ବର୍ଷର ସାନ ଭାଇକୁ ଜୀବନରୁ ମାରି ଦେଇଛି। ସେ ତଣ୍ଟି ଚିପି ଭାଇକୁ ହତ୍ୟା କରିଛି। ହତ୍ୟା ପରେ ମୃତଦେହକୁ ମାଟି ତଳେ ପୋତିଦେଇଛି। ଏତିକିରେ ତା ନୃଶଂସତା ସରିନି। ଭାଇକୁ ମାରିବା ପରେ ସେ ତା’ ଅଙ୍କଲକୁ ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟରୁ ମେସେଜ କରି ୫ ଲକ୍ଷ ଟଙ୍କା ବି ଡିମାଣ୍ଡ କରିଛି।

ସୋମବାର ସକାଳେ ସ୍ଥାନୀୟ ପୋଲିସ ଅଭିଯୁକ୍ତ ଭାଇକୁ ଧରି ତା କହିବାନୁସାରେ ସ୍ଥାନକୁ ଯାଇ ମାଟି ତଳୁ ଗଳିତ ଶବ ଜବତ କରିଛି। ଶବକୁ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ବଡ଼ ମେଡ଼ିକାଲକୁ ପଠାଯାଇଥିବା ପୋଲିସ ସୂଚନା ଦେଇଛି।

କ’ଣ ରହିଛି ପୂରା ମାମଲା :

ପୋଲିସ କହିବାନୁସାରେ, ଡିସେମ୍ବର ୮ରେ ଧୁଡିଲା ଗାଁର ଏକ ୧୨ ବର୍ଷର ବାଳକ ଘରୁ ମା’ଙ୍କ ଫୋନ ନେଇ କୁଆଡ଼େ ଚାଲିଯାଇଥିଲା। ଏନେଇ ପିଲାର କକା ତା ପରଦିନ ଥାନାରେ ପୁତୁରା ନିଖୋଜ ଥିବା ନେଇ ଏତଲା ଦେଇଥିଲେ। ସେ କହିଥିଲେ ଯେ ପୁଅ ପବଜି ଓ ଫ୍ରି ଫାୟାର ଖେଳେ। ଏଣୁ ପୋଲିସ ସାଇବର ଏକ୍ସପର୍ଟଙ୍କ ସହାୟତାରେ ପିଲାକୁ ଖୋଜିବା ଆରମ୍ଭ କରିଥିଲା।

ଇତିମଧ୍ୟରେ ଆସାମରେ ରହୁଥିବା ନିଖୋଜ ବାଳକର ଅଙ୍କଲଙ୍କ ଆକାଉଣ୍ଟକୁ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ମେସେଜ ଆସିଥିଲା ଯେ ତୁମ ପୁଅ ମୋ ପାଖରେ ଦିଲ୍ଲୀରେ ଅଛି। ତାକୁ ଫେରିପାଇବାକୁ ୫ ଲକ୍ଷ ଟଙ୍କା ଦିଅ। ଏ ନେଇ ଅଙ୍କଲ ପୋଲିସକୁ ଜଣାଇଥିଲେ। ପୋଲିସ ସାଇବର ଟିମ୍ ସାହାଯ୍ୟରେ ଖୋଜିବାରୁ ଜାଣିବାକୁ ପାଇଥିଲା ଯେ ମେସେଜ ଆସିଥିବା ମୋବାଇଲର ଆଇପି ଓ ପିଲାଟି ଘରୁ ନେଇଥିବା ମା’ଙ୍କ ଫୋନର ଆଇପି ସମାନ। ଲୋକେସନ ମଧ୍ୟ ଗାଁ ଆଖପାଖ ଅଞ୍ଚଳର ଦେଖାଉଥିଲା।

ତେବେ ଏହି ମାମଲାରେ ପୁଅ ସହ ଗେମ୍ ଖେଳୁଥିବା ସମ୍ପର୍କୀୟ ଭାଇ ଉପରେ ପୋଲିସର ସନ୍ଦେହ ହୋଇଥିଲା। ତାକୁ ଡାକି ପଚାରିବାରୁ ସେ ସବୁ ସତ ମାନିଯାଇଥିଲା। ସେ କହିଥିଲା ଯେ ପବଜି ଓ ଫ୍ରି ଫାୟାର ଗେମ୍ ଯୋଗୁ ସେ କରଜରେ ବୁଡ଼ି ଯାଇଥିଲା। ଏଥିରୁ ମୁକ୍ତି ପାଇବାକୁ ପଇସା ଦରକାର ଥିଲା। ଏଣୁ ସେ ଭାଇକୁ ତଣ୍ଟି ଚିପି ମାରିଦେଇଥିଲା ଓ ତାଙ୍କ ଘରୁ ଟଙ୍କା ଡିମାଣ୍ଡ କରୁଥିଲା। ତେବେ ସବୁ ଜଣାପଡ଼ିବା ପରେ ପୋଲିସ ନାବାଳକ ଅଭିଯୁକ୍ତକୁ ସୁଧାରଗୃହ ପଠାଇଥିବା ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.