Below header

ସୀମା ଟପିଛି ସମସ୍ତ ଗଣତାନ୍ତ୍ରିକ ମୂଲ୍ୟବୋଧ, ଶୀର୍ଷରେ ନେତାଙ୍କ ପରସ୍ପର ବିରୋଧୀ ଆରୋପ ପ୍ରତ୍ୟାରୋପ

ଭୋଟ ହାତେଇବାକୁ ରାଜନୈତିକ ପ୍ରତିଦ୍ୱନ୍ଦୀମାନେ କିଛି ବି ଅଭିଯୋଗ ଆଣିଥାନ୍ତି। ୨୦୧୯ ସାଧାରଣ ନିର୍ବାଚନରେ କିନ୍ତୁ ଏହା ସୀମା ଲଙ୍ଘିଛି। ଆରମ୍ଭ ହୋଇଥିଲା ଚୌକିଦାର ଚୋର ହୈରୁ। ଆଉ ମୋଦି ଟ୍ଵିଟର ଆକାଉଣ୍ଟରେ ନିଜ ନାଁ ପୂର୍ବରୁ ଯୋଡିଲେ ଚୌକିଦାର। ଏପରିକି ସମସ୍ତ ବିଜେପି ନେତା ମଧ୍ୟ ନାଁ ପୂର୍ବରୁ ଚୌକିଦାର ଯୋଡ଼ିଲେ। ସେପଟେ ସବୁ ପଳାତଙ୍କ ନାଁରେ କାହିଁକି ମୋଦି ଯୋଡ଼ି ହୋଇଛି ବୋଲି ପ୍ରଶ୍ନ କଲେ ରାହୁଲ। ତେଜିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆରମ୍ଭ କଲେ ବ୍ୟକ୍ତିଗତ ଆକ୍ଷେପ। କେବଳ ଗାନ୍ଧି ପରିବାର ବର୍ତ୍ତମାନର ସଦସ୍ୟ ନୁହନ୍ତି ତାଙ୍କ ଆକ୍ରମଣରୁ ବାଦ ପଡ଼ିଲେନି ନେହେରୁ, ଇନ୍ଦିରା ଓ ରାଜୀବ।କହିଲେ, ମିଷ୍ଟର କ୍ଲିନ କହି ତାଙ୍କୁ ତାଙ୍କ ଚାଟୁକାର ରାଜନୀତିକୁ ଆଣିଥିଲେ। କିନ୍ତୁ ଭଷ୍ଟ୍ରଚାରୀ ନମ୍ବର ୱାନ ହୋଇ ମଲେ।

ଚଳିତ ନିର୍ବାଚନରେ କିନ୍ତୁ ମୋଦି-ଦିଦିଙ୍କ ବାକଯୁଦ୍ଧ ବେଶ ତଳ ସ୍ତରକୁ ଖସି ଯାଇଛି। ଦିଦିଙ୍କୁ ସ୍ପିଡ ବ୍ରେକର କହି ଆକ୍ଷେପ କରିଥିଲେ ମୋଦି। ପାଲଟା କ଼ଡ଼ା ଜବାବରେ ମୋଦିଙ୍କୁ ଏକ୍ସପାଇର୍‌ଡ ପିଏମ କହିଥିଲେ ମମତା। ତୃଣମୂଳ କଂଗ୍ରେସ ନେତାଙ୍କୁ ଗାର୍ଟେଟ କରି ମୋଦି କହିଥିଲେ ଟିଏମସି ନେତାମାନେ କୋଇଲା ମାଫିଆ। ଦିଦି ମାଗିଥିଲେ ଏହାର ପ୍ରମାଣ। ପ୍ରମାଣ ନଦେଇ ପାରିଲେ ମୋଦି ସର୍ବସମୁଖରେ ବସଉଠ ହୁଅନ୍ତୁ ବୋଲି ଆହ୍ଵାନ କରିଥିଲେ ମମତା। ମୋଦିଙ୍କୁ ନିଜ କର୍ମଫଳ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି ମମତା । ମୋଦି ପଶ୍ଚିମବଙ୍ଗର ଅପମାନ କରିଚାଲିଛନ୍ତି, ଏହାର ଇଞ୍ଚ ଇଞ୍ଚର ପ୍ରତିଶୋଧ ନିଆଯିବ। ଆଜି ନିଜର କର୍ମଫଳକୁ ଆସନ୍ତାକାଲି ଭୋଗିବାକୁ ପଡ଼ିବ ବୋଲି କହିଛନ୍ତି ଦିଦି।

କଂଗ୍ରେସ ଉପରେ ମୋଦିଙ୍କ ବାରମ୍ବାର ଶାଣିତ ସ୍ୱର। ଦଳ ଏଥର ନିିର୍ବାଚନରେ ୪୦ଆସନରେ ମଧ୍ୟ ବିଜୟ ଲାଭ କରିପାରିବ ନାହିଁ ବୋଲି କହିଥିଲେ ମୋଦି। ଏହାର ପାଲଟା ଜବାବ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖର୍‌ଗେ। ପ୍ରଶ୍ନ କରିଛନ୍ତି, କଂଗ୍ରେସ ୪୦ରୁ ଅଧିକ ଲାଭ କଲେ ମୋଦି ନିଜକୁ ଫାଶୀ ଖୁଣ୍ଟରେ ଝୁଲାଇ ଦେବେ କି? ସେହିପରି କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁ ମୋଦିଙ୍କୁ କଳା ଇଂରେଜ କହିବା ସହ ସଂଜୟ ନିରୁପମ ମୋଦିଙ୍କୁ ଔରଙ୍ଗଜେବଙ୍କ ସହ ତୁଳନା କରିଥିଲେ।

ମୋଦିଙ୍କ ଗାର୍ଗେଟରୁ କେହି ବର୍ତ୍ତି ପାରିନାହାନ୍ତି। ୟୁପିଏ ଚେୟାରପର୍ସନ ସୋନିଆ ଗାନ୍ଧିଙ୍କ ଠାରୁ ନେଇ ଅଖିଳେଶ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ, ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବିରୋଧରେ ବ୍ୟକ୍ତିଗତ ଆକ୍ଷେପ କରିଛନ୍ତି ମୋଦି।

ବାରମ୍ବାର ମାୟାବତୀଙ୍କୁ ଟାର୍ଗେଟ କରିଆସିଛନ୍ତି ମୋଦି। ସଦ୍ୟ ଘଟଣା କ୍ରମରେ ରାଜସ୍ଥାନର ଅଲୱାର ଗଣଦୁଷ୍କର୍ମ ମାମଲାରେ କଂଗ୍ରେସ ସରକାରର ନିଷ୍କ୍ରିୟତାକୁ ବୁଆ କିଭଳି ଦଳିତ ବିରୋଧୀ ହୋଇପାରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ପ୍ରଧାନମନ୍ତ୍ରୀ। ଦଳିତଙ୍କୁ ନେଇ ମାୟାବତୀଙ୍କ କୁମ୍ଭୀର କାନ୍ଦଣା ଚଳିବ ନାହିଁ ବୋଲି କହିଥିଲେ ମୋଦି। ବୁଆଙ୍କ ଆକ୍ଷେପ ଥିଲା ରାଜନୈତିକ ସ୍ୱାର୍ଥ ପାଇଁ ନିଜ ସ୍ତ୍ରୀଙ୍କୁ ଛାଡ଼ିଦେଇଛନ୍ତି ଚୌକିଦାର। ସେ ନିଜେ ଗୁଜରାଟର ଉନ୍ନାଓ ମାମଲାକୁ ଭୁଲି ନଯାନ୍ତୁ ବୋଲି କହିଛନ୍ତି ମାୟା।

କେବଳ ମୋଦି ନୁହନ୍ତି ବିଜେପିର ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର, ସାକ୍ଷୀ ମହାରାଜ, ଯୋଗୀ ଆଦିତ୍ୟନାଥ ମଧ୍ୟ ବ୍ୟକ୍ତିଗତ ଆକ୍ଷେପର କରିବାକୁ ପଛେଇ ନାହାନ୍ତି ।

ସେପଟେ ବିଜେପି ନେତ୍ରୀ ଜୟପ୍ରଦାଙ୍କ ପ୍ରତି ଆଜମ ଖାନଙ୍କ ଅଶାଳୀନ ମନ୍ତବ୍ୟ ଚଳିତ ନିର୍ବାଚନ ଥିଲା ବିବାଦୀୟ ଆକ୍ଷେପ। ଆଉ ଏଥିପାଇଁ ଆଜମଙ୍କୁ ୭୨ଘଣ୍ଟା ପ୍ରଚାର ରୋକ ଲଗାଇଥିଲେ ନିର୍ବାଚନ କମିସନ।

ସାଉଥ ସୁପରଷ୍ଟାର ତଥା ଏମଏନଏମ ମୁଖ୍ୟ କମଲ ହାସନଙ୍କ ବୟାନ ଏବେ ବିବାଦରେ। ସ୍ୱାଧୀନ ଭାରଚର ପ୍ରଥମ ଆତଙ୍କବାଦୀ ହିନ୍ଦୁ ଓ ସେ ନାଥୁରାମ ଗଡସେ ବୋଲି କହିଛନ୍ତି କମଲ। ଏହାକୁ ତୀବ୍ର ବିରୋଧ କରାଯାଇଛି।

ତେବେ ଓଡ଼ିଶାର ରାଜନେତା ଗଣତାନ୍ତ୍ରିକ ମର୍ଯ୍ୟାଦା ରଖିବାରେ ସମର୍ଥ ହୋଇଛନ୍ତି । ନିର୍ବାଚନ ଶେଷ ଆଡ଼କୁ ନବୀନ ହଟିବେ ବୋଲି କହିଥିଲେ ମୋଦି। ଆଉ ସେପଟେ ନବୀନ ବିଜେଡିର ଶପଥ ଗ୍ରହଣ ଉତ୍ସବକୁ ଆସିବାକୁ ଆଗୁଆ ନିମନ୍ତ୍ରଣ ଦେଇ, ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.