ଫ୍ରାନ୍ସର ନୂଆ ନିୟମ, ଏବେ ପିଲାଙ୍କ ନାମ ଆଗରେ ଲାଗିପାରିବ ମାଆଙ୍କ ସରନେମ୍‌

ସମାନତା ଅଧିକାରକୁ ଗୁରୁତ୍ୱ ଦେଇ ଫ୍ରାନ୍ସ ସରକାର ଏକ ନୂଆ ଆଇନ ପ୍ରଣୟନ କରିଛନ୍ତି। ଏହି ନିୟମ ଅନ୍ତର୍ଗତ ଏବେ ଦେଶରେ ପିଲାମାନେ ୧୮ ବର୍ଷ ହେବା ପରେ ନିଜ ମାଆଙ୍କ ପାରିବାରିକ ନିୟମକୁ ବ୍ୟବହାର କରିପାରିବେ। ଏହାକୁ ନେଇ ତାଙ୍କୁ ମିଳିବ ପୂର୍ଣ୍ଣ ସ୍ୱାଧୀନତା। ମାନେ ଏବେ ପିଲାମାନେ ନିଷ୍ପତ୍ତି ନେବେ ଯେ ସେମାନେ ନିଜ ନାମ ଆଗରେ ବାପାଙ୍କ ସରନେମ୍‌ ବା ଟାଇଟେଲ୍‌ ଯୋଡ଼ିବେ ନା ନାହିଁ।

ଫ୍ରାନ୍ସର ଏହି ନୂଆ ଆଇନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଖୁବ ଜୋର ଧରିଛି। ସାଧାରଣତଃ ସୁବଠି ପିଲାମାନଙ୍କ ନାମ ଆଗରେ ନିଜ ବାପାଙ୍କ ସରନେମ୍‌ ଲାଗିଥାଏ। ସେମିତି ବିବାହ ପରେ ମହିଳାଙ୍କ ସରନେମ୍‌ ସେମାନଙ୍କ ସ୍ୱାମୀଙ୍କ ଟାଇଟେଲ ଅନୁଯାୟୀ ରଖାଯାଏ। କିନ୍ତୁ ଏବେ ଫ୍ରାନ୍ସ ସରକାର ପିଲାଙ୍କୁ ଏହାର ନିଷ୍ପତ୍ତି ନେବାର ସୁଯୋଗ ଦେବ। ଏଥିପାଇଁ ପିଲାଙ୍କୁ ୧୮ ବର୍ଷ ହେବା ଜରୁରୀ।

ଏହାକୁ ନେଇ ଫ୍ରାନ୍ସ ସରକାର ଏବେ କାନୁନ ତିଆରି କରିବେ। ଦେଶର ନ୍ୟାୟ ମନ୍ତ୍ରୀ ଏରିକ୍‌ ଡୁପଣ୍ଡ ମରେଟି ଏହାକୁ ନେଇ ଏକ ପ୍ରସ୍ତାବ ଜାରୀ କରିଛନ୍ତି। ଏହି ନିୟମରେ ୧୮ ବର୍ଷ ହେବା ପରେ ପିଲା ବିନା କୌଣସି ସମସ୍ୟାରେ ନିଜ ପାରିବାରିକ ନାମ ପରିବର୍ତ୍ତନ କରିପାରିବେ।

children
pc: the guardian

ଖବର ଅନୁଯାୟୀ, ସତ୍ତାରୁଢ଼ LREM ପାର୍ଟିର ବିଧାୟକ ପୋଟ୍ରିକ ବିଗ୍ରଲ ଏହି ପ୍ରସ୍ତାବ ଦେଇଛନ୍ତି। କାନୁନ ମନ୍ତ୍ରୀଙ୍କ କହିବା ଅନୁଯାୟୀ ସରକାର ଏହା ଉପରେ ମୋହର ଲଗାଇଲେ ଦେଶରେ ଏହି ନିୟମକୁ ଲାଗୁ କରାଯିବ। ଏହାଦ୍ୱାରା ପିଲାମାନେ ନିଜ ଟାଇଟେଲ୍‌ ପରିବର୍ତ୍ତନ ପାଇଁ କିଛି କାରଣ ଦେବାକୁ ପଡ଼ିବ ନାହିଁ। କାନୁନ୍‌ ମାଧ୍ୟମରେ ସେ ଏହାକୁ ସହଜରେ ପରିବର୍ତ୍ତନ କରିପାରିବେ।

ତେବେ ଆଗରୁ ଏହି ଦେଶରେ ଲୋକ ମଧ୍ୟ ନିଜ ପାରିବାରିକ ନାମ ପରିବର୍ତ୍ତନ କରୁଥିଲେ। କିନ୍ତୁ ଏହାର ପ୍ରକ୍ରିୟା ଜଟିଳ ଥିଲା। ଏହାକୁ ସହଜ କରିବା ପାଇଁ ନୂଆ କାନୁନ ତିଆରି ହେଉଛି। ଏହି ନିୟମରେ ପିଲା ଚାହିଁଲେ ନିଜ ବାପାଙ୍କ ସରନେମ୍‌ କିମ୍ବା ମାଆଙ୍କ ସରନେମ୍‌ ଲଗାଇପାରିବେ। ଅଥବା ଉଭୟଙ୍କ ସରନେମ୍‌ ବି ବ୍ୟବହାର କରିପାରିବେ।

ତେବେ ଯଦି କୌଣସି ପରିସ୍ଥିତିରେ ପିତା ନିଜ ପିଲା ଛୁଆ ଓ ସ୍ତ୍ରୀକୁ ମାରପିଟ୍‌ କରେ ତେବେ ପିଲାମାନେ ମଧ୍ୟ ନିଜ ନାମ ଆଗରେ ବାପାଙ୍କ ସରନେମ୍‌ ପରିବର୍ତ୍ତେ ମାଆଙ୍କ ସରନେମ୍‌ କୁ ବ୍ୟବହାର କରିପାରିବେ।