କାଶ୍ମୀରର ମଧ୍ୟସ୍ଥତା ନେଇ ଟ୍ରମ୍ପଙ୍କୁ ଅନୁରୋଧ କରିନାହାନ୍ତି ପ୍ରଧାନମନ୍ତ୍ରୀ : ଏସ୍‌.ଜୟଶଙ୍କର

କାଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବାଦୀୟ ମନ୍ତବ୍ୟ ଉପରେ ଲୋକସଭା ଓ ରାଜ୍ୟସଭାରେ ସ୍ୱଷ୍ଟୀକରଣ ରଖିଲେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର । କହିଛନ୍ତି କାଶ୍ମୀରର ମଧ୍ୟସ୍ଥତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପଙ୍କୁ ଅନୁରୋଧ କରିନାହାନ୍ତି । କାଶ୍ମୀର ପ୍ରସଙ୍ଗ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବ ବୋଲି ସେ ସ୍ୱଷ୍ଟ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ନେଇ ଟ୍ରମ୍ପ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ସଂପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ଜୟଶଙ୍କର । ବୈଦେଶିକ ମନ୍ତ୍ରୀଙ୍କ ମନ୍ତବ୍ୟ ପରେ ରାଜ୍ୟସଭା ଓ ଲୋକସଭାରେ ହଟ୍ଟଗୋଳ ହୋଇଛି । ଏହା ଉପରେ ପ୍ରଧାନମନ୍ତ୍ରୀ ବିବୃତ୍ତି ରଖନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ପ୍ରଥମେ ଦିନ ୧୨ଟା ଯାଏ ରାଜ୍ୟସଭାକୁ ମୁଲତବୀ ରଖାଯାଇଥିଲା । ପରେ ଗୃହ ଆରମ୍ଭ ହେବା ମାତ୍ରେ ପୁଣି ଥରେ ହଙ୍ଗାମା ହେବାରୁ ଦିନ ୨ଟା ଯାଏଁ ଗୃହ ମୁଲତବୀ ହୋଇଛି । ସେପଟେ ଲୋକସଭାରେ ବିରୋଧୀ କକ୍ଷତ୍ୟାଗ କରିଛନ୍ତି ।

ହ୍ଵାଇଟ୍‌ ହାଉସ୍‌ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍‌ରାନ୍‌ ଖାନ୍‌ଙ୍କ ଭେଟିବା ଅବସରରେ ଟ୍ରମ୍ପ କହିଛନ୍ତି, ଉଭୟ ଦେଶ ଚାହିଁଲେ, ସେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ରାଜି ଅଛନ୍ତି । ଏହି ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଦୁଇ ବର୍ଷ ତଳେ ନିବେଦନ କରିଥିଲେ ବୋଲି କହିଛନ୍ତି ଟ୍ରମ୍ପ । ଆମେରିକା ରାଷ୍ଟ୍ରପତିଙ୍କ ଏପରି ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କୁ ଏପରି କୌଣସି ଅନୁରୋଧ କରିନଥିବା କହିଛନ୍ତି ରବିଶ କୁମାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.