ତାଲିବାନ୍‌ ରାଜ୍‌କୁ ବର୍ଷେ: ଆଫ୍‌ଗାନ୍‌ରେ ବନ୍ଦ ହୋଇଗଲାଣି ଅଧିକାଂଶ ମିଡିଆ ହାଉସ୍‌, ୨୦୦୦ ସାମ୍ବାଦିକ ବେରୋଜଗାର

ଆଫଗାନିସ୍ତାନରେ ତାଲିବାନ ଶାସନକୁ ବର୍ଷେ ପୂରିଛି। ତାଲିବାନୀଙ୍କ ଶାସନର ୧ ବର୍ଷ ପୂରଣ ହେବା ପରେ ସେଠାରେ ମିଡିଆ ବଞ୍ଚି ରହିବା ପାଇଁ ସଂଘର୍ଷ ଚଳାଇଛି। ରିପୋର୍ଟରଙ୍କ କହିବାନୁସାରେ, ବର୍ତ୍ତମାନ ସମୟରେ ମିଡିଆ ପାଇଁ କୌଣସି ଆଇନ୍‌ କାନୁନ୍‌ ନାହିଁ। ତାଲିବାନ୍‌ ରାଜ୍‌ରେ ଆଫଗାନିସ୍ତାନରେ ମିଡିଆ ଉପରେ ପ୍ରବଳ ପ୍ରତିବନ୍ଧକ ଲଗାଯାଇଛି। ତାଲିବାନ୍‌ ଦେଶରେ ଶାସନ ଗାଦି ସମ୍ଭାଳିବା ପରେ ଇଣ୍ଟର ନ୍ୟାସନାଲ ଫେଡେରେସନ୍‌ ଅଫ୍‌ ଜର୍ଣ୍ଣାଲିଷ୍ଟସ୍‌ ପକ୍ଷରୁ ଆଫଗାନ୍‌ ନ୍ୟାସନାଲ ଜର୍ଣ୍ଣାଲିଷ୍ଟ ୟୁନିୟନ୍‌ ସହ ଯୋଗାଯୋଗ କରାଯାଇଥିଲା। ତାହାର ଏକ ରିପୋର୍ଟ ମୁତାବକ, ଆଫଗାନିସ୍ତାନର ୪୦୦ ମିଡିଆ ସଂଗଠନ ମଧ୍ୟରୁ ୧୬୦କୁ ବନ୍ଦ କରିବାକୁ ପଡ଼ିଛି। ସେଥିରେ ୧୦୦ଟି ରେଡିଓ ଷ୍ଟେସନ୍‌ ରହିଛି।

ରିପୋର୍ଟ ମୁତାବକ, ବର୍ତ୍ତମାନ ସମୟରେ ଆଫଗାନିସ୍ତାନରେ ଯେଉଁ ମିଡିଆ ହାଉସ୍‌ ଖୋଲା ଅଛି, ସେମାନେ କ’ଣ ପ୍ରସାରିତ କରିବେ କ’ଣ ପ୍ରସାରିତ ନ କରିବେ, ତାହାକୁ ନୂଆ ଶାସକ ସ୍ଥିର କରିଛନ୍ତି। ପତ୍ରକାର ସଂଘର ରିସର୍ଚ୍ଚ ମୁତାବକ, ଗତ ୧ ବର୍ଷରେ ୨୦୦୦ରୁ ଅଧିକ ସାମ୍ବାଦିକ ରୋଜଗାର ହରାଇଛନ୍ତି। ସେମାନଙ୍କ ମଧ୍ୟରେ ୭୦ ପ୍ରତିଶତ ମହିଳା ଅଛନ୍ତି। ତାଲିବାନ୍‌ ମହିଳାଙ୍କ କାମ କରିବା ନେଇ କଡ଼ା ନିୟମ ତିଆରି କରିଛି। ଏମାନଙ୍କ ମଧ୍ୟରେ ଅନେକ ମହିଳା ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ଥିଲେ।

ଜୁଲାଇ ୨୦୨୧ରେ ୩ ଜଣ ମହିଳା ଟେଲିଭିଜନ୍‌ ରିପୋର୍ଟରଙ୍କ ଉପରେ ଆକ୍ରମଣ କରି ତାଙ୍କୁ ହତ୍ୟା କରାଯାଇଥିଲା। ଏହାପରେ ଅଗଷ୍ଟରେ ତାଲିବାନ୍‌ ଶାସନଗାଦିକୁ ଆସିବା ପରେ ମହିଳାଙ୍କୁ ସାମୂହିକ ରୂପେ ଚାକିରି ଛାଡ଼ିବାକୁ ବାଧ୍ୟ କରାଯାଇଥିଲା।

ଗତ ବର୍ଷେ ଭିତରେ ଆଫଗାନିସ୍ତାନରେ ୧୨୦ ଜଣ ସାମ୍ବାଦିକଙ୍କୁ ଅଟକ ରଖା ଯାଇଛି। ସେଥିରୁ ୪୮ ଜଣଙ୍କୁ କାବୁଲରେ ଅଟକ ରଖାଯାଇଥିଲା। ସେଠାରେ ଅଧିକାଂଶ ଖବରକାଗଜ ଆଉ ପ୍ରିଣ୍ଟ ହେଉନାହିଁ ଓ ପ୍ରାୟତଃ ସବୁ ଅନ୍‌ଲାଇନ୍‌ ହୋଇଯାଇଛି।

Also Read: ଛାତ୍ରୀଙ୍କ ପାଇଁ ସ୍କଲାରସିପ୍‌ ଘୋଷଣା କଲା କୋଟାକ୍‌ ମହିନ୍ଦ୍ରା ଗ୍ରୁପ୍‌, ମିଳିବ ୧.୫ ଲକ୍ଷ ଟଙ୍କା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.