ଅକାଳରେ ପ୍ରାଣ ହାରୁଛନ୍ତି ଛାତ୍ରଛାତ୍ରୀ: ୨୦୧୯-୨୧ ମଧ୍ଯରେ ନିଜ ଜୀବନ ନେଇଛନ୍ତି ୩୫ ହଜାରରୁ ଅଧିକ ବିଦ୍ୟାର୍ଥୀ

ଭାରତରେ ଆତ୍ମହତ୍ୟା ସଂଖ୍ୟା ବଢୁଛି ଏବଂ ଏଥିରେ କିଶୋର କିଶୋରୀ ମାନଙ୍କ ହାର ବେଶ୍ ଅଧିକ । କେବଳ ୨୦୧୯ରୁ ୨୦୨୧ ମଧ୍ୟରେ ଦେଶରେ ଆତ୍ମହତ୍ୟା କରିଛନ୍ତି ୩୫ ହଜାରରୁ ଅଧିକ ଛାତ୍ରଛାତ୍ରୀ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଏ. ନାରାୟଣସ୍ବାମୀ ।

ନୂଆଦିଲ୍ଲୀ : ଭାରତରେ ଆତ୍ମହତ୍ୟା ସଂଖ୍ୟା ବଢୁଛି ଏବଂ ଏଥିରେ କିଶୋର କିଶୋରୀ ମାନଙ୍କ ହାର ବେଶ୍ ଅଧିକ । କେବଳ ୨୦୧୯ରୁ ୨୦୨୧ ମଧ୍ୟରେ ଦେଶରେ ଆତ୍ମହତ୍ୟା କରିଛନ୍ତି ୩୫ ହଜାରରୁ ଅଧିକ ଛାତ୍ରଛାତ୍ରୀ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଏ. ନାରାୟଣସ୍ବାମୀ । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା ଏନସିଆରବି ତଥ୍ୟକୁ ଆଧାର କରି ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ରିପୋର୍ଟରେ ଦର୍ଶାଯାଇଛି ଯେ ଆତ୍ମହତ୍ୟା କରିଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୨୬ ପ୍ରତିଶତ ହେଉଛନ୍ତି ଦିନ ମଜୁରିଆ। ଗତ ୫ ବର୍ଷ ହେଲା ମୋଟ ଆତ୍ମହତ୍ୟାରେ ଏମାନଙ୍କ ସଂଖ୍ୟା ଓ ଅଂଶ ନିରନ୍ତର ଭାବେ ବଢ଼ୁଛି। ପାରିବାରିକ ସମସ୍ୟା ଏବଂ ଅସୁସ୍ଥତା ଆତ୍ମହତ୍ୟାର ମୁଖ୍ୟ କାରଣ ପାଲଟିଛି। ଅଧାରୁ ଅଧିକ ଆତ୍ମହତ୍ୟା ଏଥିପାଇଁ ହୋଇଛି। ଏହା ପଛକୁ ପ୍ରେମ ଓ ବିବାହ ସମସ୍ୟା ଅଛି। ୯.୩ ପ୍ରତିଶତ ଆତ୍ମହତ୍ୟା ପ୍ରେମ ଓ ବିବାହ ସମସ୍ୟାରୁ ହୋଇଛି। ଦେବାଳିଆ ଏବଂ ଋଣବୋଝ ଯୋଗୁ ୪.୧ ପ୍ରତିଶତ ଆତ୍ମହତ୍ୟା ହୋଇଛି।

ଏନ୍‌ସିଆର୍‌ବି ତଥ୍ୟରୁ ଜଣାଯାଇଛି ଯେ ଦେଶରେ ୧.୭ ଲକ୍ଷ ଲୋକ ଆତ୍ମହତ୍ୟା କରିଛନ୍ତି। ୨୦୨୧ ତୁଳନାରେ ଏହା ୪.୨ ପ୍ରତିଶତ ଅଧିକ ଏବଂ ୨୦୧୮ ତୁଳନାରେ ୨୭ ପ୍ରତିଶତ ଅଧିକ। ତଥ୍ୟରୁ ଏହା ମଧ୍ୟ ଜଣାଯାଇଛି ଯେ ପ୍ରତି ଲକ୍ଷେ ଲୋକରେ ଆତ୍ମହତ୍ୟା ସଂଖ୍ୟା ୨୦୨୨ରେ ୧୨.୪କୁ ବୃଦ୍ଧି ପାଇଛି। ୫ ବର୍ଷ ପୂର୍ବେ ଏହା ୧୦.୨ ଥିଲା।

ରାଜ୍ୟଗୁଡ଼ିକୁ ଦେଖିଲେ ସର୍ବାଧିକ ଆତ୍ମହତ୍ୟା ମହାରାଷ୍ଟ୍ର (୨୨,୭୪୬)ରେ ହୋଇଛି। ଏହା ପଛକୁ ତାମିଲନାଡ଼ୁ ଏବଂ ମଧ୍ୟପ୍ରଦେଶ ରହିଛନ୍ତି। ମହାରାଷ୍ଟ୍ର, ତାମିଲନାଡ଼ୁ, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗରେ ଦେଶର ଅଧାରୁ ଅଧିକ ଆତ୍ମହତ୍ୟା ହୋଇଛି। ସେହିଭଳି ସର୍ବାଧିକ କୃଷକ ଆତ୍ମହତ୍ୟା ମଧ୍ୟ ମହାରାଷ୍ଟ୍ରରେ ହୋଇଛି। ଏହା ପଛକୁ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଓ ମଧ୍ୟପ୍ରଦେଶ ରହିଛନ୍ତି। ଗତବର୍ଷ ଦେଶରେ ୧୫୦ଟି ଗଣ ଆତ୍ମହତ୍ୟା ବା ପରିବାର ଆତ୍ମହତ୍ୟା ହୋଇଛି। ଏଥିରେ ୩୨୫ ଜଣ ସେମାନଙ୍କ ଜୀବନ ହରାଇଛନ୍ତି। ଏହାକୁ ରୋକିବା କ୍ଷେତ୍ରରେ ଅଭିଭାବକ ଓ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ରହିଛି ଗରୁତ୍ବପୂର୍ଣ ଭୂମିକା । ଏ ଦିଗରରେ ଛାତ୍ରଛାତ୍ରୀଙ୍କର କାଉନସେଲିଂ ଆବଶ୍ୟକ ହୋଇପଡିଛି ।

କାହିଁକି ଆତ୍ମହତ୍ୟା ସଂଖ୍ୟା ବଢୁଛି ? ଏହା ପଛର କାରଣ କଣ ? କିପରି ଏହାକୁ ରୋକାଯାଇ ପାରିବ ? କାହିଁକି ଅଧିକରୁ ଅଧିକ ଛାତ୍ରଛାତ୍ରୀ ହେଉଛନ୍ତି ଅବସାଦଗ୍ରସ୍ତ? ସ୍କୁଲ ପାଠ, କୋଚିଂ, ଟ୍ୟୁସନର ମାତ୍ରାଧିକ ଚାପ ନା ମୋବାଇଲର ଅତ୍ୟଧିକ ବ୍ୟବହାରର କୁଫଳ? ସୋସିଆଲ ମିଡିଆରେ ଅଧିକରୁ ଅଧିକ ଛାତ୍ର ଛାତ୍ରୀ ବ୍ୟସ୍ତ ରହିବା ପ୍ରମୁଖ କାରଣ ପାଲଟିଛି । ବାପା ମାଆଙ୍କ କାର୍ଯ୍ୟବ୍ୟସ୍ତତା, ପିଲାଙ୍କୁ ସମୟ ନଦେବା ମଧ୍ୟ ଅନ୍ୟ ଏକ କାରଣ । ସ୍କୁଲ ସ୍ତରରୁ ଆରମ୍ଭ ହୋଇଯାଉଛି ପ୍ରତିଯୋଗିତା । ତା ସହିତ ଡିଜିଟାଲ ଦୁନିଆର ମାୟା ମଧ୍ୟ କିଶୋର କିଶୋରୀଙ୍କୁ ବାଟବଣା କରୁଛି । ତାକୁ ରୋକିବା ସମସ୍ତଙ୍କ ପାଇଁ ବଡ ଆହ୍ୱାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.