ଆଜି ସୁପ୍ରିମକୋର୍ଟରେ ଚିଟଫଣ୍ଡ ଘୋଟାଲାର ଶୁଣାଣି, ୨୯ ଟି ମାମଲାରେ ୨୪୧ ଜଣଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି ସିବିଆଇ

କେନ୍ୟୁଜ (ବ୍ୟୁରୋ): ଆଜି ସୁପ୍ରିମକୋର୍ଟରେ ଓଡ଼ିଶାର ବହୁ ଚର୍ଚ୍ଚିତ ଚିଟଫଣ୍ଡ ଘୋଟାଲାର ଶୁଣାଣି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଗତକାଲି ସିବିଆଇ ଭୁବନେଶ୍ୱର ଶାଖା ପକ୍ଷରୁ ପ୍ରତିଜବାବ ଦାଖଲ କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ, ୨୯ ଟି ମାମଲାରେ ୨୪୧ ଜଣଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି ସିବିଆଇ । ୨୯ ଟି ମାମଲାରୁ ୧୭ ଟି ମାମଲାର ତଦନ୍ତ ଶେଷ ହୋଇଥିବା ବେଳେ ଅବଶିଷ୍ଟ ୧୨ ଟି ମାମଲାରେ ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ ହୋଇଛି । ସିବିଆଇ ଦ୍ୱାରା ଧରା ପଡିଥିବା ୨୪୧ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪୩ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଚିଟଫଣ୍ଡ ଠକେଇ ମାମଲାରେ ଗତ ଶୁକ୍ରବାର ସୁପ୍ରିମକୋର୍ଟ ସିବିଆଇ ଉପରେ ପ୍ରବଳ ବର୍ଷିବା ସହ ଶନିବାର ସୁଦ୍ଧା ପ୍ରତିଜବାବ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ ।

ଆଜି ଏହି ମାମଲାର ପରବର୍ତ୍ତୀ ଶୁଣାଣି ସୁପ୍ରିମକୋର୍ଟରେ ହେବ ବୋଲି ଧାର୍ଯ୍ୟ କରାଯାଇଛି । ଜମାକାରୀମାନେ ୧୦ ରୁ ୧୫ ବର୍ଷ ପର୍ଯ୍ୟନ୍ତ ଟଙ୍କା ଫେରି ପାଇବା ପାଇଁ କାହିଁକି ଅପେକ୍ଷା କରି ରହିଛନ୍ତି ବୋଲି ପ୍ରଶ୍ନ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ରାଜ୍ୟରେ ସବୁଠୁ ବଡ଼ ଠକେଇ ହେଉଛି ଚିଟଫଣ୍ଡ ଦୁର୍ନୀତି । ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ଇଓଡବ୍ଲୁରୁ ସିବିଆଇ, ସିବିଆଇରୁ ଏବେ ସୁପ୍ରିମକୋର୍ଟ । ହେଲେ ଜମାକାରୀ ଟଙ୍କା ଫେରିବା ବାଟକୁ ଏବେ ବି ଚାହିଁ ରହିଛନ୍ତି । ୨୦୧୨-୧୩ରେ ରାଜ୍ୟରେ ଚିଟଫଣ୍ଡ ମହାଠକେଇ ହୋଇଥିଲା । ୨୦୧୪ରେ ୪୪ଟି ଚିଟଫଣ୍ଡ କମ୍ପାନୀ ବିରୋଧରେ ତଦନ୍ତ ହୋଇଥିଲା ।

ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ରାଜ୍ୟ ସରକାର ୩ଶହ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରିଥିଲେ । ଅନ୍ୟପଟେ ଗଠନ ହୋଇଥିବା କମିଶନଙ୍କ କାର୍ଯ୍ୟକାଳ ଅନେକ ଥର ବଢିବା ସହିତ ଶେଷରେ ବନ୍ଦ ହୋଇଗଲା । ରାଜ୍ୟରେ ୫୦ହଜାର କୋଟି ଟଙ୍କାର ଚିଟଫଣ୍ଡ ଠକେଇ ହୋଇଥିବାର ଅଭିଯୋଗ ରହିଛି । ଏହି ମାମଲାର ଶୁଣାଣି କରି ଜଷ୍ଟିସ ଏମଆର ଶାହ ଏବଂ ଜଷ୍ଟିସ୍‌ ସି ଟି ରବିକୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଅର୍ଥ ଫେରସ୍ତରେ ବିଳମ୍ବକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.