ଉତ୍ତର ପ୍ରଦେଶ: ବରଯାତ୍ରୀ ଧରି ଗୋଟିଏ ହିଁ କନ୍ୟା ଘରେ ପହଞ୍ଚିଗଲେ ଦୁଇଜଣ ବର, ଲୋକେ ହେଲେ ଚକିତ, ଶେଷରେ ଏମିତି ବାହାରିଲା ସମାଧାନ ବାଟ

କେବେ ଆପଣ ଶୁଣିଛନ୍ତି କି, କୌଣସି ବିବାହ ସମାରୋହରେ ଜଣେ କନ୍ୟାକୁ ବିବାହ କରିବା ପାଇଁ ଦୁଇ ଦୁଇଜଣ ବର ପହଞ୍ଚିଛନ୍ତି? ହଁ, ଏମିତି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର କନୌଜରେ। ଏଠାରେ କକଲାପୁର ଗାଁରେ ଜଣେ କନ୍ୟାକୁ ବିବାହ କରିବା ପାଇଁ ଦୁଇ ଦୁଇଜଣ ବର ପହଞ୍ଚି ଯାଇଥିଲେ। ଆଶ୍ଚର୍ଯ୍ୟର କଥା, ଏହି ଦୁଇ ବରଙ୍କ ମଧ୍ୟରୁ ଜଣେ ଯୁବତୀଙ୍କ ପ୍ରେମିକ ଥିବା ବେଳେ ଅନ୍ୟ ଜଣଙ୍କୁ ଯୁବତୀଙ୍କ ବାପା, ମାଆ ହିଁ ଚୟନ କରିଥିଲେ। ମଣ୍ଡପରେ ଦୁଇଜଣ ବର ପହଞ୍ଚିବା ଖବର ଚର୍ଚ୍ଚାର ବିଷୟ ହୋଇଥିଲା।

ଘଟଣାରୁ ଜଣାପଡିଛି, ଜଣେ ବର ବରଯାତ୍ରୀ ଧରି କନ୍ୟା ଘରେ ପହଞ୍ଚିବା ପରେ ମଣ୍ଡପରେ ବିବାହ ଆୟୋଜନ ହୋଇଥିଲା। ଏହାରି ଭିତରେ ଯୁବତୀଙ୍କ ପ୍ରେମିକ ବି ବରଯାତ୍ରୀ ଧରି ସେଠାରେ ପହଞ୍ଚିଥିଲା। ନିଜ ପ୍ରେମିକକୁ ଦେଖି ଯୁବତୀ ଖୁସି ହୋଇଯିବା ସହିତ ବାପା, ମାଆ ଚୟନ କରିଥିବା ବରପାତ୍ରକୁ ବିବାହ କରିବାକୁ ମନା କରି ଦେଇଥିଲା। ଏହା ପୂର୍ବରୁ କିଛି ହେବା ଆଗରୁ ଉପସ୍ଥିତ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଉଭୟ ପ୍ରେମିକ ଓ ଯୁବତୀଙ୍କୁ ହେପାଜତକୁ ନେଇଥିଲା ଏବଂ ଉଭୟ ପକ୍ଷକୁ ବୁଝାଶୁଝା କରିଥିଲା।

ସେପଟେ ପ୍ରେମିକର ବି ଅନ୍ୟ ଜାଗାରେ ବାହାଘର ଠିକ ହୋଇଯାଇଥିଲା। ସେହି କନ୍ୟା ଘର ଲୋକ କୌଣସି ମତେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଏହି ବିବାହକୁ ବିରୋଧ କରିଥିଲେ। ଘଣ୍ଟା ଘଣ୍ଟା ଧରି ପଞ୍ଚାୟତ ବସିବା ପରେ ଶେଷରେ ଯୁବତୀଙ୍କ ପରିବାର ବରଯାତ୍ରୀ ଧରି ଆସିଥିବା ଉକ୍ତ ବରର ଜିନିଷ ଫେରାଇ ଦେଇଥିଲେ ଏବଂ ବର ଘରଲୋକ ମଧ୍ୟ ଯୌତୁକ ବାଇକ ଫେରାଇ ଦେଇଥିଲେ।

ଅନ୍ୟପଟେ ଯୁବତୀଙ୍କ ପ୍ରେମିକ ମଧ୍ୟ ଯେଉଁଠି ତାଙ୍କର ବିବାହ ସ୍ଥିର ହୋଇଥିଲା, ସେହି ପରିବାରକୁ ଧନରାଶି ଫେରାଇ ଦେଇଥିଲେ। ତିନି ପକ୍ଷ ନିଜ ନିଜ ବୁଝାମଣାପତ୍ର ପୋଲିସକୁ ହସ୍ତାନ୍ତର କରିବା ପରେ ଯୁବତୀଙ୍କ ବିବାହ ତାଙ୍କ ପ୍ରେମିକ ସହିତ ପୋଲିସ ଉପସ୍ଥିତିରେ କରାଇ ଦିଆଯାଇଥିଲା।

ସେପଟେ ବରଯାତ୍ରୀ ଧରି ଆସିଥିବା ବର ବିବାହ ନ ହୋଇପାରିବାରୁ ଉଦାସ ଥିଲା। ଏହା ଦେଖି ଉକ୍ତ ଗାଁର ଏକ ପରିବାର ତାଙ୍କ ଝିଅକୁ ବିବାହ କରିବାର ପ୍ରସ୍ତାବ ବର ସାମ୍ନାରେ ରଖିଥିଲେ। ବର ମଧ୍ୟ ଏହି ପ୍ରସ୍ତାବରେ ରାଜି ହୋଇଥିଲା। ଏହାପରେ ସଙ୍ଗେ ସଙ୍ଗେ ସେହି ରାତିରେ ହିଁ ଦୁଇଜଣ କନ୍ୟାଙ୍କର ବିବାହ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.