ଫିଫା ବିଶ୍ୱକପ ପାଇଁ ଭିତ୍ତିଭୂମି ପ୍ରସ୍ତୁତି ବେଳେ ୪୦୦ରୁ ୫୦୦ ଶ୍ରମିକଙ୍କ ମୃତ୍ୟୁ ହୋଇଛି: କତାର ଅଧିକାରୀ

କେନ୍ୟୁଜ୍ ବ୍ୟୁରୋ: ପୁଣି ଫିଫା ବିଶ୍ୱକପକୁ ନେଇ ବିବାଦ। ଫିଫା ବିଶ୍ୱକପ ପାଇଁ ପ୍ରସ୍ତୁତି ବେଳେ ୪୦୦ରୁ ୫୦୦ ଶ୍ରମିକଙ୍କ ମୃତ୍ୟୁ ହୋଇଛି ବୋଲି କତାରର ଜଣେ ଅଧିକାରୀ କହିଛନ୍ତି। କତାର ସରକାର କହିଛନ୍ତି, ଫିଫା ବିଶ୍ୱକପ ପାଇଁ ଷ୍ଟାଡିୟମ ନବୀକରଣ କାର୍ଯ୍ୟରେ ନିୟୋଜିତ ଥିଲେ ୩୦,୦୦୦ ବିଦେଶୀ ନାଗରିକ । ଅନେକ ବର୍ଷ ପୂର୍ବରୁ ଏହି ବିଶ୍ୱକପ ପାଇଁ ଷ୍ଟାଡିୟମ ଭିତ୍ତିଭୂମିର ଉନ୍ନତିକରଣ କାର୍ଯ୍ୟରେ ପ୍ରବାସୀ ଶ୍ରମିକମାନେ ନିୟୋଜିତ ହୋଇଥିଲେ। ବିଶ୍ୱକପ ପାଇଁ ମେଟ୍ରୋ ଲାଇନ ଏବଂ ଆବଶ୍ୟକ ଢ଼ାଞ୍ଚାରେ ଷ୍ଟାଡିୟମ ପ୍ରସ୍ତୁତିରେ ୨୦୦ ଆରବ ଡଲାରରୁ ଅଧିକ ଅର୍ଥ ଖର୍ଚ୍ଚ ହୋଇଛି । ରିପୋର୍ଟରେ କୁହାଯାଇଛି, ଏହି କାମରେ ନିୟୋଜିତ ହୋଇଥିବା ଶ୍ରମିକଙ୍କ ଭିତରୁ ଶହ ଶହ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମିଡିଆ ରିପୋର୍ଟ ଅନୁସାରେ, ଏହି ମୃତ୍ୟୁ ସଂଖ୍ୟା ହଜାରରୁ ଅଧିକ ବୋଲି କୁହାଯାଉଛି । ରିପୋର୍ଟ ମିଳିବା ପରେ ଏବେ କତାରକୁ ନେଇ ସବୁଆଡ଼େ ଆଲୋଚନା ହେଉଛି ।
କତାର ଅଧିକାରୀ କହିଲେ ମୃତ୍ୟୁର ପ୍ରକୃତ ସଂଖ୍ୟା:
ଅନେକ ସୂତ୍ରରୁ ମୃତ୍ୟୁ ସଂଖ୍ୟାର ଭିନ୍ନ ଭିନ୍ନ ଆକଳନ ଆସୁଥିବା ବେଳେ ଫିଫା ବିଶ୍ୱକପ ସହ ଜଡ଼ିତ କତାରର ଜଣେ ଅଧିକାରୀ ଏହାର ପ୍ରକୃତ ସଂଖ୍ୟା କହିଛନ୍ତି । ସେ କହିଛନ୍ତି, ଯେବେଠାରୁ ଷ୍ଟାଡିୟମ କାର୍ଯ୍ୟ ଆରମ୍ଭ ହୋଇଛି, ୪୦୦-୫୦୦ ବିଦେଶୀ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏକ ଅନ୍ତର୍ଜାତୀୟ ଖବରକାଗଜକୁ ଇଣ୍ଟରଭ୍ୟୁ ଦେବା ବେଳେ କତାରର ‘ଡେଲିଭରୀ ଏଣ୍ଡ ଲିଗାସି’ ସହ ଜଡ଼ିତ ଏକ ସମିତିର ଅଧିକାରୀ ହସନ-ଅଲ୍ ଥଓ୍ଵାଡ଼ି ଏହି ସୂଚନା ଦେଇଛନ୍ତି । ଇଣ୍ଟରଭ୍ୟୁ ନେଉଥିବା ସାମ୍ବାଦିକ ସୋସିଆଲ ମିଡିଆରେ ଏକ ଭିଡିଓ କ୍ଲିପ୍ ସେୟାର କରିଛନ୍ତି । ବଡ଼ କଥା ହେଉଛି, ଏହି ଘଟଣା ଉପରେ କତାର ସରକାର ଏ ପର୍ଯ୍ୟନ୍ତ ଚୁପ ରହିଛନ୍ତି।
ଗଣମାଧ୍ୟମ ପ୍ରତିନିଧିଙ୍କୁ କ’ଣ କହିଲେ ହସନ:
ଅନ୍ତର୍ଜାତୀୟ ଗଣମାଧ୍ୟମ ପ୍ରତିନିଧି ପିୟର୍ସ ମୋର୍ଗାନ କତାର ଅଧିକାରୀ ହସନଙ୍କୁ ପଚାରିଥିଲେ, ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା କେତେ ? ଉତ୍ତରରେ ସେ କହିଥିଲେ, ମୋ ପାଖରେ ସଠିକ୍ ତଥ୍ୟ ନାହିଁ । କିନ୍ତୁ, ପାଖାପାଖି ୪୦୦ରୁ ୫୦୦ଜଣଙ୍କ ମୃତ୍ୟୁ ହୋଇଛି।
କତାରରେ ୨୦୨୧ ପର୍ଯ୍ୟନ୍ତ ୬,୫୦୦ ଲୋକଙ୍କ ମୃତ୍ୟୁ ହୋଇଛି:
କତାର ସରକାରଙ୍କ ରିପୋର୍ଟ ଅନୁସାରେ, ୨୦୧୯ରୁ ୨୦୨୧ ମଧ୍ୟରେ ୧୫,୦୨୧ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଏକ ରିପୋର୍ଟରୁ ଜଣାପଡ଼ିଛି, ଯେବେଠାରୁ କତାରକୁ ବିଶ୍ୱକପ ଆୟୋଜକ ଭାବରେ ଦାୟିତ୍ୱ ମିଳିଛି, ସେବେଠୁ ୨୦୨୧ ପର୍ଯ୍ୟନ୍ତ ୬,୫୦୦ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହି ସବୁ ଶ୍ରମିକ ଭାରତ, ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା, ନେପାଲର ଅଧିବାସୀ ।
କତାର ସରକାର ବିଶ୍ୱକପ ପାଇଁ ଷ୍ଟାଡିୟମ କାର୍ଯ୍ୟ କରିବା ଲାଗି ୩୦,୦୦୦ ଶ୍ରମିକଙ୍କୁ ନିୟୋଜିତ କରିଥିଲେ । ଏ ସବୁ ଭିତରେ ଅନ୍ତର୍ଜାତୀୟ ଶ୍ରମିକ ସଂଗଠନ ପାଖରେ ୨୦୨୦ରେ କାର୍ଯ୍ୟରତ ୫୦ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ୫୦୦ ଜଣ ଗମ୍ଭୀର ରୂପେ ଆହତ ହୋଇଛନ୍ତି ଏବଂ ୩୭, ୬୦୦ ଜଣ ଶ୍ରମିକ ଅଳ୍ପରୁ ମଧ୍ୟମ ଧରଣର ଆଘାତ ପାଇଛନ୍ତି ।
World Cup boss Hassan Al-Thawadi tells Piers Morgan 400-500 migrant workers have died as a result of work done on projects connected to the tournament.
“Yes, improvements have to happen.”@piersmorgan | @TalkTV | #PMUQatar pic.twitter.com/Cf9bgKCFZe
— Piers Morgan Uncensored (@PiersUncensored) November 28, 2022