ଲଙ୍କା ବ୍ୟାଟରଙ୍କୁ ଧୂଳି ଚଟାଇଲେ ସାମି ଓ ସିରାଜ, ୩୦୨ ରନରେ ଜିତି ସେମିରେ ସ୍ଥାନ ପକ୍କା କଲା ଭାରତ

ମାତ୍ର ୫୫ ରନ୍‌ କରି ଅତି ଶୋଚନୀୟ ଭାବେ ୩୦୨ ରନରେ ପରାସ୍ତ ହୋଇଛି ଶ୍ରୀଲଙ୍କା ଦଳ ।

ମୁମ୍ବାଇ : ଭାରତୀୟ ପେସ୍‌ ବୋଲରଙ୍କ ତୋଫାନୀ ବୋଲିଂରେ ତାସ୍‌ ଘର ଭଳି ଭୁଶୁଡ଼ି ପଡ଼ିଲା ଶ୍ରୀଲଙ୍କାର ବ୍ୟାଟିଂ ଦୁର୍ଗ । ବୁମରା, ସିରାଜ ଓ ସାମି ଏଭଳି ଭୟଙ୍କର ବୋଲିଂ କଲେ ଯେ ମାତ୍ର ୪ ରନ୍‌ରେ ଲଙ୍କା ଦଳ ୩ଟି ଓ୍ଵିକେଟ୍‌ ହରାଇ ବିପର୍ଯ୍ୟୟର ସାମନା କରିଥିଲା । ଆଉ ତା ପରେ ଆଗକୁ ଯିବାକୁ ଯେମିତି ଦଳର ସମ୍ପୂର୍ଣ୍ଣ ମନୋବଳ ଭାଙ୍ଗି ଯାଇଥିଲା । ଆଉ ମାତ୍ର ୫୫ ରନ୍‌ କରି ଅତି ଶୋଚନୀୟ ଭାବେ ୩୦୨ ରନରେ ପରାସ୍ତ ହୋଇଛି ଶ୍ରୀଲଙ୍କା ଦଳ । ଚଳିତ ବିଶ୍ୱକପ୍‌ରେ ଲଗାତର ସପ୍ତମ ବିଜୟ ହାସଲ କରି ଟିମ୍‌ ଇଣ୍ଡିଆ ସେମିଫାଇନାଲ୍‌୍‌ରେ ସ୍ଥାନ ପକ୍କା କରିଛି ।
ବିଶ୍ୱକପ୍‌ କ୍ରିକେଟ୍‌୍‌ରେ ନୂଆ ଇତିହାସ ଲେଖିଲା ଭାରତୀୟ । ଭାରତର ବୃହତ ବିଜୟ । ଶ୍ରୀଲଙ୍କାର ଶୋଚନୀୟ ପରାଜୟ । ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବୋଲିଂ ନେଇଥିଲା । ପ୍ରଥମ ବଲରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଦ୍ୱିତୀୟ ବଲରେ ଆଉଟ୍‌ ହେବା ପରେ ବିରାଟ କୋହଲି ଓ ଶୁବମନ ଗିଲ ଇନିଂସ୍‌ ସମ୍ଭାଳି ନେଇଥିଲେ । ଗିଲ୍‌ ୯୨, କୋହଲି ୮୮ ଏବଂ ପରେ ଶ୍ରେୟଶ ଆୟର ୮୨ ଓ ରବୀନ୍ଦ୍ର ଜାଡେଜା ୩୫ ରନ୍‌ କରିବା ଫଳରେ ଭାରତ ୫୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୩୫୭ ରନ୍‌ କରିଥିଲା । ଶ୍ରୀଲଙ୍କା ବୋଲର ମଦୁଶଙ୍କା ୮୦ ରନ୍‌ ଦେଇ ୫ଟି ଓ୍ଵିକେଟ୍‌ ନେଇଥିଲେ ।

ଏହାପରେ ଲାଗୁଥିଲା ଶ୍ରୀଲଙ୍କା ଭଲ ଫାଇଟ୍‌ ଦେବ । ହେଲେ ଭାରତୀୟ ପେସ୍‌ ବୋଲରଙ୍କ ତୀବ୍ର ଆକ୍ରମଣରେ ସବୁ କିଛି ଓଲଟ ପାଲଟ ହୋଇଗଲା । ବୁମରା ପ୍ରଥମ ବଲରେ ଫର୍ମରେ ଥିବା ଲଙ୍କା ଓପ୍ନର ପଥୁମ ନିଶଙ୍କଙ୍କୁ ଆଉଟ୍‌ କରି ଦେଇଥିଲେ । ପରବର୍ତ୍ତୀ ଓଭରରେ ସିରାଜ କରୁଣାରତ୍ନେ ଓ ସମରବିକ୍ରମାଙ୍କ ଓ୍ଵିକେଟ୍‌ ନେବା ଫଳରେ ଶ୍ରୀଲଙ୍କାର ପ୍ରଥମ ଭାଗକୁ ବଡ଼ ଝଟକା ଲାଗିଥିଲା । ପୁଣି ଚତୁର୍ଥ ଓଭରରେ ସିରାଜ କୁଶଲ ମେଣ୍ଡିସଙ୍କ ଓ୍ଵିକେଟ୍‌ ଦଖଲ କରି ନେଇଥିଲେ । ତାଙ୍କ ପରେ ଦଶମ ଓଭରରେ ମହମ୍ମଦ ସାମି ଆସି ଲଗାତର ଦୁଇଟି ବଲରେ ୨ଟି ଓ୍ଵିକେଟ୍‌ ନେବା ଫଳରେ ମାତ୍ର ୧୪ ରନରେ ଲଙ୍କା ଦଳ ତାର ୬ଟି ଓ୍ଵିକେଟ୍‌ ହରାଇ ସାରିଥିଲା । ଛଅ ନମ୍ବର ବ୍ୟାଟର ଆଞ୍ଜେଲୋ ମାଥ୍ୟସ ଗୋଟିଏ ପଟେ ଠିଆ ହୋଇଥିବା ବେଳେ ବାକି ଖେଳାଳିମାନେ ପାଭିଲିଅନ ଫେରି ଚାଲିଥାନ୍ତି । ତେବେ ମାଥ୍ୟୁସ ୧୨ ରନ୍‌ କରଥିବା ବେଳେ ସାମି ତାଙ୍କୁ କ୍ଲିନ୍‌ ବୋଲଡ କରି ଦେଇଥିଲେ ।

ଏହାପରେ ମହିଶ ତୀକ୍ଷଣା ଅପରାଜିତ ୧୨ ଏବଂ କାସୁନ ରଜିଥା ୧୪ ରନ୍‌ କରିଥିଲେ । ବାସ୍‌ ଏ ତିନି ଜଣ ହିଁ ଥିଲେ ଦଳର ଦୁଇ ଅଙ୍କରେ ପହଞ୍ଚିଥିବା ବ୍ୟାଟର । ମୋଟ ୧୯.୪ ଓଭରରେ ୫୫ ରନ୍‌ କରି ଅଲଆଉଟ୍‌ ହାଇ ଯାଇଥିଲା ଶ୍ରୀଲଙ୍କା ଦଳ । ଭାରତ ପକ୍ଷରୁ ସାମି ୧୮ ରନରେ ୫ଟି ଏବଂ ସିରାଜ ୧୬ ରନରେ ୩ଟି ଓ୍ଵିକେଟ୍‌ ଦଖଲ କରିଥିଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.