ସୁବାସ କୁଅଁର ହତ୍ୟାକାଣ୍ଡ ଘଟଣାର ପର୍ଦାଫାସ୍: ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍

ଯାଜପୁର ଟାଉନ: ମଙ୍ଗଳପୁର ଥାନା ଇସମାଇଲପୁର ସୁବାସ କୁଅଁର ଓରଫ ଅଟଳ ହତ୍ୟାକାଣ୍ଡ ଘଟଣାର ପର୍ଦାଫାସ । ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ୍। ଗିରଫ ଯୁବକ ହେଲେ ମଂଗଳପୁର ଥାନା ଜାଫରପୁର ଅଞ୍ଚଳର ଅଜୟ ସାମଲ ଓ କୃଷ୍ଣ ସେଠୀ । ପୂର୍ବରୁ ଅଟଳଙ୍କ ପତ୍ନୀ ମମତା କୁଅଁର ଗିରଫ ହୋଇ ଜେଲରେ ଅଛନ୍ତି।

ଦୁଇ ଦିନ ମାରାଥନ ଜେରା ପରେ ସୁବାସ କୁଁଅର ଓରଫ ଅଟଳ ହତ୍ୟାକାଣ୍ଡର ପର୍ଦାଫାସ ହୋଇଛି । ଜାଫରପୁର ଅଂଚଳର ୨ ପୁରୁଷ ବନ୍ଧୁଙ୍କ ସହଯୋଗରେ ସ୍ୱାମୀ ଅଟଳଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ ପତ୍ନୀ ମମତା କୁଁଅର । ୨ ଦିନର ମାରାଥନ ଜେରା ସମୟରେ ହତ୍ୟାକାଣ୍ଡକୁ ନେଇ ଅଜୟ ସାମଲ ଏବଂ କୃଷ୍ଣ ସେଠୀ ପୋଲିସ ନିକଟରେ ସବୁ ତଥ୍ୟ ଉଗାଳିଛନ୍ତି । କେମିତି, କେଉଁ ଢଙ୍ଗରେ ଏବଂ କାହିଁକି ଅଟଳଙ୍କୁ ହତ୍ୟା କଲେ ତାହା ସହିତ ହତ୍ୟାକାଣ୍ଡ ପରେ କେଉଁଠାରେ ନିଜକୁ ଲୁଚାଇ ରଖିଥିଲେ , ସବୁ କଥା ମାନିଛନ୍ତି ଅଜୟ ଏବଂ କୃଷ୍ଣ ।

ଗତ ଜୁଲାଇ ମାସ ୧୯ ତାରିଖ ରାତିରେ ହୋଇଥିଲା ହତ୍ୟାକାଣ୍ଡ । ଏହି ଘଟଣାରେ ଏକ ମାତ୍ର ଅଭିଯୁକ୍ତ ଭାବେ ଅଟଳଙ୍କ ପତ୍ନୀ ମମତାଙ୍କୁ ଗିରଫ କରାଯାଇଥିଲା । ଏହି ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତ ଥିବା ଅଭିଯୋଗ ନେଇ ତୁରନ୍ତ ସେମାନଙ୍କୁ ଗିରଫ କରିବା ଦାବିକରି ଅଟଳଙ୍କ ପରିବାର ଲୋକେ ଏବଂ ଗ୍ରାମବାସୀ ଥାନା ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.