ବେକାରୀକୁ ନେଇ ସରଗରମ ରାଜନୀତି : ହିସାବ ମାଗିଲା ବିଜେଡି, ଗତ ୫ ବର୍ଷରେ କେତେ ଓଡ଼ିଆଙ୍କୁ ନିଯୁକ୍ତି ଦେଇଛନ୍ତି ମୋଦି ସରକାର

ଭୁବନେଶ୍ବର : ବିଧାନସଭାରେ ବେକାରୀ ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକଙ୍କ ତମ୍ବିତୋଫାନ । ଗୃହରେ ଶାସକ ଓ ବିରୋଧୀଙ୍କ ନାରାବାଜି । ବେକାରୀ ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ ବିଜେପି ଭୂଆଁ ବୁଲାଉଛି ବୋଲି ଅଭିଯୋଗ କରିଛି ବିଜେଡି । ଏନେଇ ବିଜେଡି ବିଧାୟକମାନେ ଶୋଭାଯାତ୍ରାରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ୨୦୧୪ ନିର୍ବାଚନ ବେଳେ ବିଜେପି ପ୍ରତିଶ୍ରୁତି ଦେଇଥିଲା ବର୍ଷକୁ ୨ କୋଟି ଲେଖାଏଁ ନିଯୁକ୍ତି ମିଳିବ । ହେଲେ ମୋଦି ସରକାର କେତେ ଓଡ଼ିଆଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ପ୍ରଶ୍ନ କରିଛି ବିଜେଡି । ଏହି ସମୟ ମଧ୍ୟରେ ପାଖାପାଖି ଲକ୍ଷେ ଲୋକଙ୍କୁ ସରକାରୀ ଚାକିରୀରେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ସେହିପରି ଶିଳ୍ପ ଓ ଏମଏମଏସଇ କ୍ଷେତ୍ରରେ ପାଖାପାଖି ୧୫ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହୋଇଛି ।

ଅନ୍ୟପକ୍ଷରେ ବିଜେପି ଗତକାଲି ବେକାରୀ ପ୍ରସଙ୍ଗକୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲା। ବିଧାନସଭା ଘେରାଉ ପାଇଁ ଦଳ ଉଦ୍ୟମ କରିଥିଲା। ବିଜେପି ଅଭିଯୋଗ କରିଛି ଗଲା ୧୦ ବର୍ଷ ଭିତରେ ରାଜ୍ୟରେ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଚରେ ୨୨ ଲକ୍ଷ ୫୭ ହଜାର ବେକାର ଯୁବକଯୁବତୀ ନାମ ପଞ୍ଜିକରଣ କରିଛନ୍ତି। ମାତ୍ର ଏଥିରୁ ୨୬ ହଜାର ୪୫୦ ଜଣଙ୍କୁ ନିଯୁକ୍ତି ମିଳିଛି। ସେହିପରି ଶିଳ୍ପଭିତ୍ତିକ ନିଯୁକ୍ତି ବାବଦରେ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ବିଜେପି ପ୍ରଶ୍ନ କରିଛି। ସେପଟେ କଂଗ୍ରେସ ମଧ୍ୟ ବେକାରୀ ପ୍ରସଙ୍ଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି।

ବେକାରୀ ପ୍ରସଙ୍ଗରେ କିଏ କହୁଛି ଠିକ୍‌ । ବିଜେଡି ନା ବିଜେଡି। ଆଗକୁ ନିର୍ବାଚନ, ତା ପୂର୍ବରୁ ବେକାରୀ ପ୍ରସଙ୍ଗ ଉଠାଇ ଯୁବ ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ପ୍ରତିଯୋଗିତା ଏକପ୍ରକାର ଆରମ୍ଭ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.