ଓଡ଼ିଆ ମହିଳାଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ସୋନୁ ସୁଦ୍, ବିମାନ ଯୋଗ ୧୭୦ ଜଣଙ୍କୁ ପଠାଇବେ ଓଡ଼ିଶା

ପରଦାରେ କେତେବେଳେ ହିରୋ ତ ଆଉ କେତେବେଳେ ଭିଲିଆନ୍ ଭୂମିକାରେ ଅଭିନୟ କରିଥିବା ସୋନୁ ସୁଦ୍ ରିୟଲ ଲାଇଫ୍ରେ କିନ୍ତୁ ପ୍ରକୃତରେ ଜଣେ ହିରୋ ଭଳି କାମ କରୁଛନ୍ତି। ଲକ୍ଡାଉନ୍ ଯୋଗୁ ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କ ପାଇଁ ସେ ଦେବଦୂତ ସାଜିଛନ୍ତି। ବାହା ରାଜ୍ୟରେ ଥିବା ପ୍ରବାସୀଙ୍କୁ ଘରକୁ ଫେରାଇ ଆଣିବା ପାଇଁ ସୋନୁ ସ୍ୱତନ୍ତ୍ର ଭାବେ ବସ୍ ଚଳାଉଛନ୍ତି। ଏଥିପାଇଁ ସେ ଏକ ଟିମ୍ ମଧ୍ୟ ଗଠନ କରିଛନ୍ତି। ତେବେ ବର୍ତ୍ତମାନ ସୋନୁ ଓଡ଼ିଶାର କିଛି ଲୋକଙ୍କୁ ମଧ୍ୟ ଘରକୁ ପଠାଇବାକୁ ପ୍ରସ୍ତୁତି କରିଥିବା ଜଣାଯାଇଛି।
ରିପୋର୍ଟ ମୁତାବକ, ଓଡ଼ିଶାର ୧୭୦ ଜଣ ମହିଳା ଲକ୍ଡାଉନ୍ ଯୋଗୁ କେରଳରେ ଫସିଯାଇଥିଲେ। ଦୀର୍ଘ ଦିନ ଧରି ଚେଷ୍ଟା କରିବା ପରେ ସେମାନେ କୌଣସି ସୁଫଳ ପାଇନଥିଲେ। ଏଣୁ ବାଧ୍ୟ ହୋଇ ଗଣମାଧ୍ୟମର ସାହାଯ୍ୟ ଲୋଡ଼ିଥିଲେ। ମହିଳାଙ୍କ ସମ୍ପର୍କରେ ଧାନ୍ୟ ରାଜେନ୍ଦ୍ରନ୍ ନାମ୍ନୀ ଜଣେ ସାମ୍ବାଦିକା ଟ୍ଵିଟ୍ କରିଥିଲେ। ସେ ଟ୍ଵିଟ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ ଟ୍ୟାଗ୍ କରିଥିଲେ। ମହିଳାଙ୍କୁ ଫେରାଇଆଣିବା ପାଇଁ ଅରୁଣ ବୋଥ୍ରା ସୋନୁ ସୁଦ୍ଙ୍କ ସହାୟତା ଲୋଡ଼ିଥିଲେ। ସୋନୁ ମଧ୍ୟ ତାଙ୍କୁ ସାହାଯ୍ୟ କରିବାକୁ କଥା ଦେଇଥିଲେ। ବୋଥ୍ରା ଓ ସୋନୁଙ୍କ ପ୍ରଚେଷ୍ଟାକ୍ରମେ ଆସନ୍ତାକାଲି ୧୭୦ ଜଣ ମହିଳା ବିମାନ ଯୋଗେ ଓଡ଼ିଶା ଫେରିବେ। ଫସିଥିବା ସମସ୍ତେ କେନ୍ଦ୍ରାପଡ଼ା ଜିଲ୍ଲାର ବୋଲି ଜଣାପଡ଼ିଛି।
Odisha women workers at Kerala’s Kitex factory resign to go home, but remain stranded. They want to go back to Odisha. @Naveen_Odisha @arunbothra https://t.co/orQRDWI1TQ
— Dhanya Rajendran (@dhanyarajendran) May 19, 2020
କେବଳ ଏହି ଗୋଟିଏ ଘଟଣା ନୁହେଁ ପୂର୍ବରୁ ମଧ୍ୟ ସୋନୁଙ୍କୁ ଟ୍ଵିଟ୍ ଯୋଗେ ଶତାଧିକ ଲୋକ ସାହାଯ୍ୟ ମାଗିଛନ୍ତି। ସେମାନଙ୍କୁ ସୋନୁ ନିଜେ ଓ ତାଙ୍କ ଟିମ୍ ସାହାଯ୍ୟ କରିଥିବା ଦେଖାଯାଇଛି। ସୂଚନାଯୋଗ୍ୟ ଯେ, କରୋନା ଲାଗି ଜାରି ରହିଥିବା ଲକ୍ଡାଉନ୍ ଯୋଗୁ ବାହାର ରାଜ୍ୟରେ ହଜାର ହଜାର ଶ୍ରମିକ ଫସି ରହିଛନ୍ତି। କାମ ବନ୍ଦ ଥିବାରୁ ପାଖରେ ଖାଇବାକୁ ବି ଟଙ୍କା ନାହିଁ। ଏଣୁ ବାଧ୍ୟ ହୋଇ ଶ୍ରମିକମାନେ ଘରକୁ ଫେରି ଯାଉଛନ୍ତି। ଏଭଳି ସ୍ଥିତିରେ କିଏ ଚାଲି ଚାଲି ତ ଆଉ କିଏ ଶଗଡ଼ରେ ହଜାର ହଜାର କିଲୋମିଟର ଯାତ୍ରା କରୁଛନ୍ତି। ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି ସୋନୁ ସୁଦ୍।