ଖୁବ୍ ଶୀଘ୍ର ଆସୁଛି ଇସଲାମୀୟ ନବ ବର୍ଷ, ଜାଣନ୍ତୁ କେବେ ପାଳିତ ହେବ

ପୃଥିବୀରେ ହିନ୍ଦୁ, ମୁସଲମାନ୍, ଖ୍ରୀଷ୍ଟିଆନ୍ ଭଳି ଅନେକ ଧର୍ମର ଲୋକ ବାସ କରୁଥିବା ବେଳେ ସେମାନଙ୍କ ଜୀବନଶୈଳୀ, ଆଚାର ବ୍ୟବହାର, ଖାଦ୍ୟପେୟ ମଧ୍ୟ ଭିନ୍ନ ହୋଇଥାଏ । ଖାଲି ଏତିକି ନୁହେ ସେମାନଙ୍କ ପର୍ବପର୍ବାଣୀ ପାଳନ ଶୈଳୀ ମଧ୍ୟ ଭିନ୍ନ । ସେହିପରି ସବୁ ଧର୍ମର ଲୋକେ ଭିନ୍ନ ଭିନ୍ନ ସମୟରେ ସେମାନଙ୍କ ନୂଆ ବର୍ଷ ମଧ୍ୟ ପାଳନ କରିଥାନ୍ତି। ନିକଟରେ ଇସଲାମ ଧର୍ମୀମାନେ ସେମାନଙ୍କର ନବ ବର୍ଷ ପାଳନ କରିବାକୁ ଯାଉଛନ୍ତି।
ଇସଲାମିକ କ୍ୟାଲେଣ୍ଡରକୁ ‘ହିଜରୀ’ କ୍ୟାଲେଣ୍ଡର ମଧ୍ୟ କୁହାଯାଏ । ମୁସଲମାନ ବହୁଳ ରାଷ୍ଟ୍ର ସାଉଦି ଆରବରେ ଇସଲାମିକ ବର୍ଷ ବା ମସିହା ୧୪୪୦ ଶେଷ ହେବ । ଅଗଷ୍ଟ ୩୦ ଓ ୩୧ ତାରିଖକୁ ବର୍ଷର ଶେଷ ଦିନ ବୋଲି ଧରାଯାଉଛି । କିଛି ରାଷ୍ଟ୍ରରେ ଏହାକୁ ଅଗଷ୍ଟ ୩୦ ଏବଂ ଆଉ କିଛି ରାଷ୍ଟ୍ରରେ ଅଗଷ୍ଟ ୩୧କୁ ବର୍ଷର ଶେଷ ଦିନ ଭାବେ ମନେ କରାଯାଉଛି । ଆଉ ଠିକ ଏହାର ପରଦିନ ଆରମ୍ଭ ହୋଇଯିବ ନୂଆ ବର୍ଷ ୧୪୪୧ । ତେବେ ଅଲଗା ଅଲଗା ଜାଗାରେ ବର୍ଷର ଶେଷ ଦିନକୁ ଦୁଇଟି ତାରିଖରେ ପାଳନ କରାଯାଉଥିବାରୁ ଠିକ୍ ସେହିଭଳି ଭାବେ ଅଲଗା ଦିନରେ ନୂଆ ବର୍ଷ ମଧ ଆରମ୍ଭ ହେଉଛି । ଦୁବାଇ ଓ ୟୁଏଇ ଆଦି ରାଷ୍ଟ୍ର ଗୁଡିକରେ ସେପ୍ଟେମ୍ବର ୧ କୁ ନୂଆ ବଷଁର ପ୍ରଥମ ଦିନ ମନେ କରି ସରକାରୀ ଛୁଟି ଘୋଷଣା କରାଯାଇଛି। ଯେତେବେଳେ କି କୁଏତ ପରି ରାଷ୍ଟ୍ରଗୁଡିକରେ ଅଗଷ୍ଟ ୩୧ ତାରିଖକୁ ହିଁ ଛୁଟି ଘୋଷଣା କରାଯାଇଛି। ଏହି ଦେଶ ଗୁଡିକରେ ରବିବାରକୁ ମିଶାଇ ମୋଟ ୩ ଦିନ ଛୁଟି ହେବ। ପୃଥିବୀର ଭିନ୍ନ ଭିନ୍ନ ସ୍ଥାନ ଗୁଡିକରେ ସମୟର ପ୍ରଭେଦ ରହୁଥିବାରୁ ନୂଆ ବର୍ଷର ତାରିଖ ମଧ୍ୟ ଭିନ୍ନ ହୋଇଥାଏ।

 

ଏହା ସହ ପଢନ୍ତୁ: କାରାବିୟନ୍‌ର ଏହି ଅଦ୍ଭୁତ ଦ୍ୱୀପ, ଯେଉଁଠି ମଦ ପିଇ ମାତାଲ ହୁଅନ୍ତି ‘ମାଙ୍କଡ଼’

ମୁସଲମାନ ଧର୍ମୀମାନେ ‘ଅଲ ହିଜରା କ୍ୟାଲେଣ୍ଡର ‘କୁ ହିଁ ବିଶେଷ ଭାବେ ମାନିଥାନ୍ତି। ଏହି କ୍ୟାଲେଣ୍ଡର ଅନୁସାରେ ବର୍ଷର ପର୍ବପର୍ବାଣୀ ମହରମ୍ରୁ ଆରମ୍ଭ ହୋଇଥାଏ । ଏହି କ୍ୟାଲେଣ୍ଡରର ତାରିଖ ଜହ୍ନଙ୍କ ଗତିବିଧି ଅନୁଯାୟୀ ନିର୍ଣ୍ଣୟ କରାଯାଇଥାଏ। ଏହା ସହ ବିଭିନ୍ନ ପର୍ବପର୍ବାଣୀଗୁଡିକ ମଧ୍ୟ ଜହ୍ନଙ୍କୁ ଆଧାର କରି ହିଁ ସ୍ଥିର କରାଯାଇଥାଏ। ଅନ୍ୟ କ୍ୟାଲେଣ୍ଡର ପରି ଏହି କ୍ୟାଲେଣ୍ଡରରେ ମଧ୍ୟ ବର୍ଷକରେ ୧୨ଟି ମାସ ରହିଥାଏ। ୨୯ ବା ୩୦ ଦିନକୁ ନେଇ ଗୋଟିଏ ମାସ ହୋଇଥାଏ । ଗୋଟିଏ ବର୍ଷ ପ୍ରାୟ ୩୫୪.୩୬ ଦିନର ହୋଇଥାଏ । ଜହ୍ନଙ୍କୁ ଦେଖି କରି ହିଁ ପ୍ରତ୍ୟେକ ମାସର ଆରମ୍ଭ ହୋଇଥାଏ। କ୍ୟାଲେଣ୍ଡରର ପ୍ରଥମ ମାସକୁ ‘ମହରମ’ ଓ ଶେଷ ମାସକୁ ‘ଜିଲ୍ଲାହିଯା’ କୁହାଯାଇଥାଏ। ନୂଆ ବର୍ଷ କେବେଠୁ ଆରମ୍ଭ ହେଵ ଏହା ସମ୍ପୂର୍ଣ ରୂପେ ଜହ୍ନଙ୍କ ଗତିବିଧି ଉପରେ ହିଁ ନିର୍ଭର କରିଥାଏ।
ଇସଲାମୀୟ କ୍ୟାଲେଣ୍ଡରର ଆଉ ଏକ ଵିଶେଷତ୍ଵ ହେଉଛି ଇଂରାଜୀ ବା ଇସା କ୍ୟାଲେଣ୍ଡର ଅନୁଯାୟୀ ଦିନର ଆରମ୍ଭ ରାତି ୧୨ଟା ଠାରୁ ଆରମ୍ଭ ହେଉଥିବା ବେଳେ ଇସଲାମ୍ ଧର୍ମରେ ସୂର୍ଯ୍ୟାସ୍ତ ପରଠାରୁ ହିଁ ଦିନର ଆରମ୍ଭ ହୋଇଥାଏ। ସୂଚନା ଥାଉ କି ହିନ୍ଦୁ ଧର୍ମରେ ସୂର୍ଯୋଦୟ ଠାରୁ ହିଁ ଦିନର ଆରମ୍ଭ ହୁଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.