ସାଙ୍ଗଙ୍କ ସହ ଶାରୀରିକ ସମ୍ପର୍କ ନ ରଖିବାରୁ ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା କଲା ପ୍ରେମିକ, ଦେହରେ ରହିଛି ୨ ଡଜନ କ୍ଷତ ଚିହ୍ନ

ପ୍ରେମିକର ସାଙ୍ଗମାନଙ୍କ ସହ ଶାରୀରିକ ସମ୍ପର୍କ ନ ରଖିବାରୁ ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା। ଏଭଳି ସାଂଘାତିକ ଘଟଣା ଘଟିଛି ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ। ଏଠାରେ ପୋଲିସ ଜଣେ ଯୁବତୀଙ୍କ ହତ୍ୟା ମାମଲାର ତଦନ୍ତ କରିବା ବେଳେ ଏହି ଲୋମଟାଙ୍କୁରା ସତ ସାମ୍ନାକୁ ଆସିଛି।

ପୋଲିସର ସୂଚନା ମୁତାବକ ଅଭିଯୁକ୍ତମାନେ ଯୁବତୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିବା ସହ ପୂରା କାହାଣୀ କହିଛନ୍ତି। ମୃତା ଯୁବତୀଙ୍କର ମହମ୍ମଦ କେଫ ନାମକ ଯୁବକ ସହ ପ୍ରେମ ସମ୍ପର୍କ ଥିଲା। ଜୁନ ୧୨ ରେ ଯୁବତୀ ଜଣକ ଘରେ ବାପା-ମା’ ନଥିବା କଥା ପ୍ରେମିକକୁ କହିଥିଲା। ପରେ ସେମାନେ ବାହାରକୁ ବୁଲିବାକୁ ଯିବାକୁ ପ୍ଲାନ କରିଥିଲେ। ମହମ୍ମଦ ପୂର୍ବରୁ ନିଜର ଦୁଇ ସାଙ୍ଗ ଆକାଶ ଓ ବିଶାଲଙ୍କୁ ଏବିଷୟରେ ଫୋନରେ କହିସାରି ପ୍ଲାନ ବନାଇଥିଲା।

ମହମ୍ମଦ ନିଜ ପ୍ରେମିକାକୁ ଏକ ଜଙ୍ଗଲକୁ ନେଇଯାଇଥିଲା। ସେଠାରେ ପୂର୍ବରୁ ଉପସ୍ଥିତ ଆକାଶ ଓ ବିଶାଲ ଯୁବତୀକୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ମାତ୍ର ସେ ମନା କରିବାରୁ ୩ ଜଣ ମିଶି ତାକୁ ଛୁରୀରେ ଆଘାତ କରିଥିଲେ। ରକ୍ତାକ୍ତ ଅବସ୍ଥାରେ ସେ ରାସ୍ତା ଆଡ଼କୁ ଦୌଡ଼ିବାରୁ ଧରା ପଡ଼ିଯିବା ଭୟରେ ମହମ୍ମଦ ଯୁବତୀଙ୍କ ତଣ୍ଟିକୁ ଦଉଡ଼ିରେ ବାନ୍ଧି ହତ୍ୟା କରିଥିଲା। ପରେ ମୃତଦେହକୁ ସେଠାରେ ଛାଡ଼ି ଦେଇ ସମସ୍ତେ ଫେରାର ହୋଇଯାଇଥିଲେ।

ଖବର ପାଇ ପୋଲିସ ପହଞ୍ଚି ଯୁବତୀଙ୍କୁ ଚିହ୍ନଟ କରିବା ସହ ମୋବାଇଲର କଲ ଲିଷ୍ଟରୁ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିଥିଲା। ତେବେ ଯୁବତୀଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ହିଁ ତାଙ୍କ ମୃତ୍ୟୁ କେତେ ଭୟଙ୍କର ଥିଲା ତାହା ଜଣାପଡୁଥିଲା। ମୃତଦେହରେ ପ୍ରାୟ ୨ ଡଜନ ଚିହ୍ନ ଥିଲା। ପିଠିରେ ପ୍ରାୟ ୬ ଇଞ୍ଚ ଲମ୍ବା ଗାତ ହୋଇଯାଇଥିଲା। ତାଙ୍କ ଅଣ୍ଟା ହାଡ଼ରେ ଛୁରୀ ଭାଙ୍ଗି ପଶିଯାଇଥିବା ରିପୋର୍ଟରେ କୁହାଯାଇଛି। ଏଥିସହ ତଣ୍ଟିକୁ ଚିପାଯାଇଛି। ଅଧିକ ରକ୍ତସ୍ରାବ ଯୋଗୁ ଯୁବତୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.