ଗାର୍ଲଫ୍ରେଣ୍ଡକୁ ହତ୍ୟା ପରେ ହ୍ୱାଟ୍ସଆପ ଷ୍ଟାଟସରେ ମୃତଦେହର ଫଟୋ ସେୟାର କଲା ପ୍ରେମିକ

ଚେନ୍ନାଇରେ ଜଣେ ଯୁବକ ନିଜ ଗାର୍ଲଫ୍ରେଣ୍ଡର ହତ୍ୟା କରି ତା' ମୃତଦେହର ଫଟୋ ହ୍ୱାଟ୍ସଆପରେ ସ୍ଟାଟସ ଦେଇଛି । ଝିଅଟିର ସାଙ୍ଗମାନେ ଏହି ଫଟୋ ଦେଖି ପୋଲିସକୁ ସୂଚନା ଦେଇଥିଲେ ।

ଦିନକୁ ଦିନ ଲୋକମାନେ ଅତି ହିଂସ୍ର ପାଲଟି ଯାଉଛନ୍ତି । ଏଭଳି ସବୁ କାଣ୍ଡ ରଚାଉଛନ୍ତି ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଚେନ୍ନାଇରେ ଘଟିଛି ।  ଜଣେ ଯୁବକ ନିଜ ଗାର୍ଲଫ୍ରେଣ୍ଡର ହତ୍ୟା କରି ମୃତଦେହର ଫଟୋ ହ୍ୱାଟ୍ସଆପରେ ଷ୍ଟାଟସ ଦେଇଛି । ଏହି ଘଟଣା ଶୁକ୍ରବାର ଦିନ ଘଟିଛି । ଏହି ଯୁବତୀ ଜଣଙ୍କ ନର୍ସିଂ ଛାତ୍ରୀ ଥିଲେ ।

ଝିଅଟିର ସାଙ୍ଗମାନେ ଏହି ଫଟୋ ଦେଖି ପୋଲିସକୁ ସୂଚନା ଦେଇଥିଲେ । ଏହାପରେ ପୋଲିସ ଉକ୍ତ ଅଞ୍ଚଳର ସମସ୍ତ ଲଜ୍ ଏବଂ ହୋଟେଲ ଖୋଜାଖୋଜି କରିଥିଲା । କ୍ରୋମପେଟର ସିଏଲସି ୱାର୍କସ ରୋଡ଼ରେ ଅବସ୍ଥିତ ଏକ ହୋଟେଲରେ ଏହି ଯୁବତୀଙ୍କ ମୃତଦେହ ମିଳିଥିଲା । ହୋଟେଲ କର୍ମଚାରୀ ପୋଲିସକୁ କହିଛନ୍ତି ଯେ କେରଳର କୋଲ୍ଲମର ବାସିନ୍ଦା ୨୦ ବର୍ଷୀୟ ଫୋସିଆ ଓ ୨୦ ବର୍ଷର ଆଶିକ ସକାଳ ୧୦.୩୦ରେ ହୋଟେଲରେ ଚେକ ଇନ କରିଥିଲେ ।

ପୋଲିସ ଉକ୍ତ ଅଞ୍ଚଳରେ ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ କରି ନିକଟସ୍ଥ ଅନ୍ୟ ଏକ ହୋଟେଲରୁ ଆଶିକଙ୍କୁ ଗିରଫ କରିଥିଲା । ପୋଲିସ କହିଛି ଯେ ଦୁହେଁ ପାଞ୍ଚ ବର୍ଷ ଧରି ସମ୍ପର୍କରେ ଥିଲେ ଏବଂ ଗୁପ୍ତରେ ବିବାହ ମଧ୍ୟ କରିଥିଲେ । ସୂଚନା ଅନୁସାରେ ତାଙ୍କର କିଶୋର ଅବସ୍ଥାରେ ତାଙ୍କର ଏକ ସନ୍ତାନ ମଧ୍ୟ ଥିଲା ଏବଂ ପିଲାଟିକୁ ଚିକମଙ୍ଗଲୁରରେ ପୋଷ୍ୟ ସନ୍ତାନ ଭାବରେ ଛାଡି ଦେଇଥିଲା । ଫୋସିଆ କ୍ରୋମପେଟର କଲେଜରେ ଦ୍ବିତୀୟ ବର୍ଷର ନସିଂ ଛାତ୍ରୀ ଥିଲେ ଏବଂ ନ୍ୟୁ କଲୋନୀର ଏକ ହଷ୍ଟେଲରେ ରହୁଥିଲେ । ସୂଚନା ମୁତାବକ ସେ ଗତ ତିନି ଦିନ ଧରି କଲେଜ ଯାଇ ନଥିଲେ ।

ପୋଲିସ କହିଛି ଯେ ହୋଟେଲରେ ଚେକ ଇନ କରିବା ପରେ ଏହି ଦମ୍ପତିଙ୍କ ମଧ୍ୟରେ ବହୁତ ସମୟ ପର୍ଯ୍ୟନ୍ତ ଯୁକ୍ତିତର୍କ ଚାଲିଥିଲା । ଫୋସିଆ ଆଶିକଙ୍କ ଫୋନରେ ଥିବା ଅନ୍ୟ ଜଣେ ମହିଳାଙ୍କ ଫଟୋ ବିଷୟରେ ଆଶିକଙ୍କୁ ପ୍ରଶ୍ନ କରିଥିଲେ । ପୋଲିସ କହିଛି ଯେ ଆଶିକ୍ ପ୍ରଥମେ ଫୋସିଆଙ୍କୁ ପିଟିଥିଲେ ଏବଂ ତା’ପରେ ଟି-ସାର୍ଟରେ ତାଙ୍କ ଗଳା ଚିପି ହତ୍ୟା କରିଥିଲେ । ତା’ପରେ ସେ ତାଙ୍କ ମୃତ ଦେହର ଫଟୋକୁ ହ୍ୱାଟ୍ସଆପ ଷ୍ଟାଟସରେ ଅପଲୋଡ୍ କରିଥିଲେ । କଲେଜରେ ଫୋସିଆଙ୍କ କିଛି ବନ୍ଧୁଙ୍କ ପାଖରେ ଆଶିକର ନମ୍ବର ଥିଲା । ସନ୍ଧ୍ୟା ପ୍ରାୟ ୫ ଟା ବେଳେ ସେ ଏହି ଷ୍ଟାଟସ ଦେଖି ପୋଲିସକୁ ସୂଚନା ଦେଇଥିଲେ ।

ଦୁଇ ବର୍ଷ ପୂର୍ବେ ଏହି ଦମ୍ପତି ଅଲଗା ହୋଇଯାଇଥିଲେ । ଆଶିକର ଅନ୍ୟାନ୍ୟ ମହିଳାଙ୍କ ସହ ସମ୍ପର୍କଥିବାର ଫୋସିଆ ଜାଣିଦେଇଥିଲେ । ସେଥିପାଇଁ ଫୋସିଆ କେରଳ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହା ପରେ ତାଙ୍କ ବିରୋଧରେ POCSO ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ ହୋଇ ଆଶିକଙ୍କୁ ଜେଲ ପଠାଯାଇଥିଲା । ଜେଲରୁ ବାହାରିବା ପରେ ସେ ଫୋସିଆଙ୍କୁ କ୍ଷମା ମାଗି ବୁଝାମଣା କରିନେଇଥିଲେ । ଏହା ପରେ ଆଶିକ ସବୁବେଳେ ତାଙ୍କୁ ଭେଟିବାକୁ ଆସୁଥିଲେ । ଏବେ ପୋଲିସ ଏନେଇ ଅଧିକ ଯାଞ୍ଚ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.