ଆଜି ବି ମନେପଡନ୍ତି “ବାଣୀକଣ୍ଠ” ନିମାଇଁ ହରିଚନ୍ଦନ….

ଓ଼ଡିଶାର ପ୍ରଥମ ପେଶାଦାର କଣ୍ଠଶିଳ୍ପୀ ରୂପେ ନିମାଇଁ ଚରଣ ହରିଚନ୍ଦନଙ୍କୁ ଜଣାଯାଏ । ଓଡିଶୀ ସଙ୍ଗୀତର ବିଭିନ୍ନ ବିଭାଗ ଯେମିତିକି ଓଡିଶୀ ବା ଚୌପଦୀ, ଛାନ୍ଦ, ଚମ୍ପୁ , ଚଉତିଶା , ଭଜନ, ଜଣାଣ, ପାରମ୍ପରିକ ସଂଗୀତ (ରାମଲୀଳା, କୃଷ୍ଣଲୀଳା) , ପଲ୍ଲୀଗୀତ ଗାୟନରେ ବେଶ ପ୍ରବୀଣ ଥିଲେ । ଏହା ବାଦ ବୈଦେହୀଶ ବିଳାସ, ବିଦଗ୍ଧ ଚିନ୍ତାମଣି, ବିଚିତ୍ର ରାମାୟଣ, ମଥୁରା ମଙ୍ଗଳ, ଗୋପୀଭାଷା, କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ ପରି କାବ୍ୟ କୃତି ବି ତାଙ୍କ କଣ୍ଠରେ ରେକର୍ଡ ହୋଇଛି । ଏମିତିକି ବିଭିନ୍ନ ନୀତିଶିକ୍ଷା ଓ ସରକାରୀ ଉଦ୍ଦେଶ୍ୟରେ ଜନ ସଚେତନତା ଧର୍ମୀ ଗୀତ ମଧ୍ୟ ଗାଇଛନ୍ତି । ନିମାଇଁ ହରିଚନ୍ଦନ ଗାଇଥିବା ଭଜନ ଗୁଡିକ ମୁଖ୍ୟତ ଜଗନ୍ନାଥଙ୍କ ଉପରେ ହିଁ ଆଧାରିତ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ , କବିସୂର‌୍ୟ୍ୟ ବଳଦେବ ରଥ, ସାଲବେଗ, ଗୋପାଳକୃଷ୍ଣ ପଟ୍ଟନାୟକ, ବନମାଳୀ ଦାସ, ଗୌରିଚରଣ ଅଧିକାରୀ, ଅଭିମନ୍ୟୁ ସାମନ୍ତସିଂହାର, ସାରିଆ ଭିକ, ବଳରାମ ଦାସ, ଜଶୋବନ୍ତ ଦାସ, ବନାଇ ଦାସ, ଭକ୍ତ ଚରଣ ଦାସ ଙ୍କ ପରି ଅନେକ ପ୍ରାଚୀନ କବିଙ୍କ ରଚନାକୁ କଣ୍ଠଦାନ କରି ସଂଗୀତ କ୍ଷେତ୍ରରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

nimai

ସଂଗୀତ ଜଗତକୁ ଅଦ୍ଵିତୀୟ ଦାନ ପାଇଁ ତାଙ୍କୁ ୧୯୩୩ରେ “ବାଣୀକଣ୍ଠ” ଉପାଧିରେ ସମ୍ବୋଧିତ କରାଯାଇଥିଲା । ୧୯୩୪ ମସିହାରେ କଲିକତା ରେଡ଼ିଓ ଷ୍ଟେସନର ଅଗଧାଡ଼ିର କଳାକାର ପାଲଟିଥିଲେ ବାଣୀକଣ୍ଠ ହରିଚନ୍ଦନ । ଶ୍ରେଷ୍ଠ ଓଡିଶୀ ସଂଗୀତ ଗାନ ପାଇଁ ୧୯୩୮ରେ ତାଙ୍କୁ ଉତ୍କଳ ସଂଗୀତ ସମାଜ ସ୍ଵର୍ଣ ପଦକ ଓ ଆଠଗଡ ରାଜଦରବାର ସ୍ୱରଣପଦାକରେ ଭୂଷିତ କରାଯାଇଥିଲା । ୧୯୪୭ ମସିହା ଡିସେମ୍ବର ୨୮ ତାରିଖରେ କଟକ ସ୍ଥିତ ଆକାଶବାଣୀ କେନ୍ଦ୍ରରୁ ତାଙ୍କ ସଂଗୀତ ମୂର୍ଚ୍ଛନା ଶୁଣିବାକୁ ମିଳିଥିଲା । ୧୯୫୪ରେ ଦିଲ୍ଲୀ ଲାଲକିଲ୍ଲା ସଂଗୀତ ନାଟକ ଏକାଡେମୀର ନିୟମନ୍ତ୍ରଣ କ୍ରମେ ସେଠାରେ ଆୟୋଜିତ ଏକ ଉତ୍ସବରେ ସଂଗୀତ ଗାନ କରି ସମଗ୍ର ଦେଶରେ ଓଡିଶୀ ସଂଗୀତ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ଆଣି ଦେଇଥିଲେ । ସଂଗୀତର ଶୀର୍ଷକୁ ଛୁଇଁଥିବା ନିମାଇଁଙ୍କ ପିଲା ବେଳ ଅତ୍ୟନ୍ତ ଦାରିଦ୍ର‌୍ୟ ପରିସ୍ଥିତି ଦେଇ ଗତି କରିଥିଲା ।

କେନ୍ଦ୍ରାପଡାର ସୁପ୍ରସିଦ୍ଧ ଜମିଦାର ରାଧାଶ୍ୟାମ ନରେନ୍ଦ୍ରଙ୍କ ବଂଶରେ ଜନ୍ମ ଗ୍ରହଣ କରିଥିଲେ ନିମାଇଁ । ପିତା ବୃନ୍ଦାବନ ଚନ୍ଦ୍ର ହରିଚନ୍ଦନ ଓ ମାତା ଇନ୍ଦ୍ରମଣି ଦେବୀଙ୍କ ଔରସରୁ ଜନ୍ମଲାଭ କରିଥିଲେ ଓଡ଼ିଶାର ସେହି ବରପୁତ୍ର । ଅର୍ଥାଭାବ କାରଣରୁ ପିଲାବେଳରୁ ହିଁ ତାଙ୍କ ପାଠପଢାରେ ଡୋରି ବନ୍ଧା ଯାଇଥିଲା । ସଂଗୀତ କୂଳରେ ଜନ୍ମ ହୋଇ ସଂଗୀତକୁ ବା ଛାଡ଼ିଥାନ୍ତେ କେମିତି । ୧୯୧୬ ମସିହାରେ ଗୁରୁ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ଠାରୁ ମୃଦଙ୍ଗ ଓ ହାର୍ମୋନିୟମ ଶିକ୍ଷା ଆରମ୍ଭ କରି ବିଭିନ୍ନ ସ୍ତର ଦେଇ ନିଜର ଏହି ଶିକ୍ଷା ସମାପ୍ତ କରିଥିଲେ । ଶେଷରେ କଲିକତାରୁ ଶିକ୍ଷା ସମାପ୍ତ କରି ଫେରିବା ପରେ ଆଠଗଡ ରାଜସଭାର ରାଜ ସଙ୍ଗୀତଜ୍ଞ ଭାବେ ନିଯୁକ୍ତି ପାଇଥିଲେ । ରାଜାଙ୍କ ଠାରୁ ଅନେକ ଉପହାର ପାଇବା ସହ ରାଜପରିବାରର କନ୍ୟା ଲକ୍ଷ୍ମୀପ୍ରିୟାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

Leave A Reply

Your email address will not be published.