Odisha News

ଗଜପତି ଜିଲ୍ଲାର ସୁପର-୫୦: ଅନିଶ୍ଚିତତା ଭିତରେ ଗତିକରୁଛି ଏମାନଙ୍କ ଭବିଷ୍ୟତ, ସରକାରଙ୍କ ଯୋଜନା ସାତ ସପନ

ଗଜପତି(କେନ୍ୟୁଜ୍): କେହି କୋମଳମତି ଶିଶୁ ଯେପରି ଶିକ୍ଷା ଅଧିକାରରୁ ବଞ୍ଚିତ ନହୁଅନ୍ତୁ ସେଥିପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଯେଉଁଥି ପାଇଁ କୋଟି କୋଟି ଟଙ୍କା ବୟ ଅଟକଳ କରାଯାଉଛି । ଆଦିବାସୀ ଶିଶୁଙ୍କ ଶିକ୍ଷା କଥା କହିଲେ ସେମାନଙ୍କ ପାଇଁ ଆହୁରି ଅନେକ ସ୍ବତନ୍ତ୍ର ଯୋଜନା କରାଯାଉଛି । କିନ୍ତୁ ତୃଣମୂଳ ସ୍ତରରେ ଏହାର କେତେଦୂର ସଫଳ ରୂପାୟନ ହେଉଛି ତାହାକୁ ପଚାରେ କିଏ । କିଛି ସୁବିଧାବାଦୀ ଓ କାମଚୋର ସରକାରୀ କର୍ମଚାରୀଙ୍କ ପାଇଁ ଏସବୁ ଯୋଜନା ଲୋକଙ୍କ ନିକଟରେ ପହଁଚିପାରୁନି । ଯାହାର ପ୍ରକୃତ ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ।

roadଏ ହେଉଛି ଗଜପତି ଜିଲ୍ଲା କାଶୀନଗର ବ୍ଳକ୍ ଅନ୍ତର୍ଗତ ପାର୍ତ୍ତଡା ପଞ୍ଚାୟତର ଆରିମ୍ବା ଗାଁ । ଯେଉଁଠାକୁ ପହଁଚିବା ଏତେ ସହଜ ନୁହେଁ । ଚାଷବାସ ସହ ଜଙ୍ଗଲର ଲଘୁଜାତ ଦ୍ରବ୍ଯ ଓ ପଶୁପାଳନ ଏମାନଙ୍କର ପ୍ରମୁଖ ଜୀବିକା । ଦିନକୁ ଦୁଇମୁଠା ଖାଇବାର ଚିନ୍ତା ସହ ପ୍ରତ୍ୟକ ଦିନ ସଂଗ୍ରାମ କରୁଥିବା ଏହି ଗାଁ ଲୋକେ ଅତ୍ଯନ୍ତ ଗରିବ । ତେବେ ୧୯୮୧ ମସିହାରେ ଆରିମ୍ବା ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । କିନ୍ତୁ ସପ୍ତାହକୁ ଦିନେ କି ଦୁଇ ଦିନ ଆସୁଥିଲେ ଏଠାରେ ନିଯୁକ୍ତି ପାଇଥିବା ଶିକ୍ଷକ ମାନେ । ପରେ ୨୦୧୮ ମସିହାରେ ବାତ୍ୟା ତିତିଲିରେ ବିଦ୍ୟାଳୟର ଛାତ ଉଡିଯିବା ସହିତ ଜରାଜିର୍ଣ୍ଣ ଅବସ୍ଥାକୁ ଚାଲିଆସିଲା । ଯାହାପରେ କୋଠାକୁ ପୁର୍ନବାର ମରାମତି କରାଗଲା ନାହିଁ । ଫଳରେ ଖରା,ବର୍ଷା,ଶୀତ ସହି ପିଲାମାନେ ଗଛ ତଳେ ପାଠପଢୁଥିଲେ । କିନ୍ତୁ ଏଥିରେ ଅସନ୍ତୁଷ୍ଟ ହୋଇ ଅଭିଭାବକ ମାନେ ପିଲାମାନଙ୍କୁ ବିଦ୍ୟାଳୟକୁ ଛାଡବା ବନ୍ଦ କରିଦେଲେ ଫଳରେ ଧିରେ ଧିରେ ବିଦ୍ୟାଳୟରେ ପିଲା ସଂଖ୍ୟା କମିବାକୁ ଲାଗିଲା ।

childଏହି ବିଦ୍ୟାଳୟ ଉପରେ ପାର୍ତ୍ତଡା ପଞ୍ଚାୟତର ୱାର୍ଡ ନମ୍ବର-୯ ଏବଂ୧୦ର ଆରିମ୍ବା ଗ୍ରାମର ଉପର ଆରିମ୍ବା,ତଳ ଆରିମ୍ବା,ଗମାଙ୍ଗ ସାହି,ସରଗରଜଙ୍ଗ ସାହି,ରୁମ୍ବାଉଲ ସାହି,ପାରାଲଡୁକ ସାହି,ଇଡିଉଲ ସାହି,ସାଧୁଆର ସାହି,ବାନ୍ଦୁରସିଂ ସାହିର ଲୋକେ ନିର୍ଭର କରୁଥିଲେ । କିନ୍ତୁ ଗତ ଜାନୁଆରୀ ୧୪ରେ ଏହି ବିଦ୍ୟାଳୟକୁ ଉପସ୍ଥାନ କମ୍ ଘୋଷଣା କରାଯାଇ ବନ୍ଦ କରିଦିଆଯାଇଛି । ତେବେ ସେହି ସମୟରେ ଏନେଇ କୌଣସି ପ୍ରକାରର ଆଲୋଚନା ଗ୍ରାମବାସୀଙ୍କ ସହିତ କରାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି। ଯାହାଫଳରେ ବର୍ତ୍ତମାନ ସେଠାରେ ପଢୁଥିବା ୫୦ଜଣ ଶିଶୁ ଶିକ୍ଷା ଅଧିକାରରୁ ବଞ୍ଚିତ ହୋଇଛନ୍ତି ।

studentପାହାଡିଆ ଅଧପାନ୍ତରିଆ ସଡକ ସାଙ୍ଗକୁ ଜଙ୍ଗଲି ଜନ୍ତୁଙ୍କ ଭୟ ଓ ଆର୍ଥିକ ଅନାଟନ ୫୦ପିଲାଙ୍କ ପାଠ ପଢାରେ ଡୋରି ବାନ୍ଧି ଦେଇଛି । ବର୍ତ୍ତମାନ ଏମାନେ ଏଣେତେଣେ ବୁଲିବା ସହିତ ଖେଳକୁଦ କରୁଛନ୍ତି । ସେପଟେ ଅଭିଭାବକମାନେ ଆର୍ଥିକ ଅଭାବ ସାଙ୍ଗକୁ ନିଜ ପିଲାଙ୍କ ଜୀବନ ପ୍ରତି ବିପଦ ମଣି ୬କିମି ଦୁରରେ ଥିବା ପାର୍ତ୍ତଢା ବିଦ୍ୟାଳୟକୁ ପଠାଉନାହାନ୍ତି । ଅନ୍ୟପଟେ ଏହି ସୁପର ଫିପ୍ଟି ପାଇଁ ସର୍ଭେ କରାଯାଇ ସେମାନଙ୍କ ଶିକ୍ଷା ବ୍ୟବସ୍ଥା ୮ଦିନ ଭିତରେ କରାଯିବ ବୋଲି ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ କହିଛନ୍ତି ।

ଗଜପତିରୁ ସନ୍ତୋଷ କୁମାର ପଟ୍ଟନାୟକଙ୍କ ରିପୋର୍ଟ ,କେନ୍ୟୁଜ୍

Loading...

Leave A Reply

Your email address will not be published.