ଚେତାବନୀ ପରେ ଭୁଲ୍‌ ସୁଧାରିଲା ଟ୍ଵିଟର, ଉପ ରାଷ୍ଟ୍ରପତିଙ୍କ ସମେତ ଏହି ନେତାଙ୍କ ଆକାଉଣ୍ଟରେ ଲଗାଇଲା ପୁଣି ବ୍ଲୁ ଟିକ୍‌

ନୂଆଦିଲ୍ଲୀ :  ଦୀର୍ଘ ଦିନ ଧରି ଟ୍ଵିଟର ସହ କେନ୍ଦ୍ର ସରକାରଙ୍କ ଲାଗିଥିବା ବିବାଦ ଆଜି ସମାପ୍ତ ହୋଇଛି । ଟ୍ଵିଟର ଆକାଉଣ୍ଟରୁ କାଢ଼ି ନେଇଥିବା ବ୍ଲୁ ଟିକ୍‌ ପୁଣି ଥରେ ଲଗାଇଛି । କେନ୍ଦ୍ର ସରକାରଙ୍କ ଚେତାବନୀ ପରେ ଟ୍ଵିଟର ନିଜର ଭୁଲ୍‌ ସୁଧାରିଛି । ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ସମେତ  ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଏବଂ ଅନେକ ଆର୍‌ଏସ୍‌ଏସ୍‌ ନେତାଙ୍କ ଟ୍ଵିଟର ଆକାଉଣ୍ଟରେ ପୁଣି ବ୍ଲୁ ଟିକ୍‌ ଲାଗିଛି । ପ୍ରଥମେ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟାଯାଇଥିଲା । ଏହା ପରେ ଆର୍‌ଏସ୍‌ଏସ୍‌ ଅନ୍ୟ ନେତାମାନଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟିଥିବା ଖବର ଜଣାପଡ଼ିଥିଲା ।

ବିବାଦ ବଢ଼ିବା ପରେ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଇଟି ନିୟମ ପାଳନ କରିବାକୁ ଶେଷ ଚେତାବନୀ ଦିଆଯାଇଥିଲା । ଯଦି ଟ୍ଵିଟର ଭାରତରେ ରହିବାକୁ ଚାହେଁ ତେବେ ତାକୁ ଦେଶର ନିୟମ କାନୁନ ପାଳନ କରିବାକୁ ହେବ ବୋଲି ସରକାର ଦୃଢ଼ ଭାବେ ଚେତେଇ ଦେଇଥିଲେ । ପ୍ରଥମେ ଉପ ରାଷ୍ଟ୍ରପତିଙ୍କ ଟ୍ଵିଟର ଆକାଉଣ୍ଟରେ ବ୍ଲୁ ଟିକ୍‌ ପୁନଃସ୍ଥାପିତ କରାଯାଇଥିଲା ।

କିନ୍ତୁ ଆର୍‌ଏସ୍‌ଏସ୍‌ ନେତାଙ୍କ ଆକାଉଣ୍ଟରେ ବ୍ଲୁ ଟିକ୍‌ ଦୃଶ୍ୟମାନ ହେଉନଥିଲା । ଆଜି ପୁଣି ଟ୍ଵିଟର ତା’ର ତ୍ରୁଟି ଶଂସୋଧନ କରି ଆର୍‌ଏସ୍‌ଏସ୍‌ ର ମୁଖ୍ୟ ମୋହନ ଭାଗବତ, ସଂଘର ନେତା କୃଷ୍ଣ ଗୋପାଳ ଏବଂ ଅନ୍ୟ ସମସ୍ତ ନେତାଙ୍କ ଟ୍ଵିଟର ଆକାଉଣ୍ଟରେ ବ୍ଲୁ ଟିକ୍‌ ଫେରାଇ ଦେଇଛି । ଏହାଛଡ଼ା ଆରଏସଏସ ନେତା ସୁରେଶ ସୋନି, ଅରୁଣ କୁମାର ଏବଂ ସୁରେଶ ଯୋଶୀଙ୍କ ଭଳି ବ୍ୟକ୍ତିଙ୍କର ଆକାଉଣ୍ଟରୁ ନୀଳ ଟିକ ହଟାଯାଇଥିଲା ।

କେନ୍ଦ୍ର ସରକାର କହିଥିଲେ ଯେ ଭାରତର ଆଇଟି ନିୟମ ୨୬ ମଇ ୨୦୨୧ ରୁ ଜାରି ରହିଛି । ଯଦି ତୁରନ୍ତ ଟ୍ଵିଟର ଏହା ପାଳନ ନକରେ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା ପରେ ଆଜି ଟ୍ଵିଟର ହଟାଇଥିବା ବ୍ଲୁ ଟିକ୍‌ କୁ ପୁଣି ଥରେ ଲଗାଇ ଦେଇଛି । ପ୍ରକାଶଯୋଗ୍ୟ ଯେ ଟ୍ଵିଟରରୁ ବ୍ଲୁ ଟିକ୍‌ ହଟାଇବା ଅର୍ଥ ହେଉଛି ଟ୍ଵିଟର ସେହି ଆକାଉଣ୍ଟକୁ ଯାଞ୍ଚ କରିନାହିଁ ।

Leave A Reply

Your email address will not be published.