Odisha News

ଆଜି ଅନନ୍ତ ବ୍ରତ, ଜାଣନ୍ତୁ କଣ ରହିଛି ବିଧି ଏବଂ କାହିଁକି କରାଯାଏ ପାଳନ

ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ ହେଉଛି ଅନନ୍ତ ଦେବଙ୍କ ବ୍ରତ ତିଥି । ସୁଖ ସମୃଦ୍ଧି କାମନା କରି ଅନନ୍ତ ଚତୁର୍ଦ୍ଦଶୀ ତିଥିରେ ଉଭୟ ପୁରୁଷ ଓ ମହିଳାମାନେ ଏହି ଅନନ୍ତବ୍ରତ ପାଳନ କରନ୍ତି । ଥରେ ଆରମ୍ଭ କଲେ ୧୪ ବର୍ଷ ପର୍ଯ୍ୟନ୍ତ ଅତ୍ୟନ୍ତ ନିଷ୍ଠାର ସହିତ ଏହି ବ୍ରତ ପାଳନ କରାଯାଏ ବୋଲି ବ୍ରତ ପାଳନକାରୀମାନେ ମତ ଦିଅନ୍ତି । ଏହି ଦିନ ଗଣେଶ ବିସର୍ଜନ ମଧ୍ୟ କରାଯାଏ ଯାହା ଫଳରେ ଏହାର ମାନ୍ୟତା ଆହୁରି ବଢିଯାଏ । ପୌରାଣିକ ମାନ୍ୟତା ଅନୁସାରେ ମହାଭାରତ କାଳରେ ଅନନ୍ତ ଚତୁଃଦର୍ଶୀ ବ୍ରତର ଆରମ୍ଭ ବୋଲି କୁହାଯାଏ। ଅନନ୍ତ ଚତୁଃଦର୍ଶୀରେ ଭଗବାନ ବିଷ୍ଣୁଙ୍କ ଏହି ଅନନ୍ତ ସ୍ୱରୂପକୁ ପ୍ରସନ୍ନ କରିବା ଏବଂ ଅନନ୍ତ ଫଳ ପାଇବା ଇଛାରେ ଏହି ବ୍ରତ ରଖାଯାଏ । ଏହି ଦିନ ବ୍ରତ ରଖିବା ସହିତ ଶ୍ରୀ ବିଷ୍ଣୁ ସହସ୍ରନାମ ପାଠ କରାଯାଇଥାଏ।

 

ANATA BASUDEBAଏହିଦିନ ପ୍ରତ୍ୟୁଷରୁ ସ୍ନାନ କରି ନୂତନ ବସ୍ତ୍ର ପରିଧାନ କରି ଶାଳଗ୍ରାମ ଶିଳା ବା ଧାତୁ ନିର୍ମିତ ଅନନ୍ତ ଅର୍ଥାତ୍ ଭଗବାନ ବିଷ୍ଣୁଙ୍କୁ ପ୍ରତିମାକୁ ସ୍ଥାପନା କରନ୍ତୁ । ତାଙ୍କର ଶରୀର ଓ ବସ୍ତ୍ର ଶୁକ୍ଳବର୍ଣ୍ଣ । ‘‘ଓଁ ଅନନ୍ତାୟ ନମଃ’’ ଏହି ମନ୍ତ୍ରଟିକୁ ଜପ କରି ଭଗବାନ ବିଷ୍ଣୁ ଏବଂ ଅନନ୍ତ ସୂତ୍ରକୁ ପୂଜା କରନ୍ତୁ । ପୂଜା ପରେ ଏହି ସୂତ୍ରକୁ ପୁରୁଷମାନେ ଡାହାଣ ହାତରେ ଏବଂ ମହିଳାମାନେ ବାମ ହାତର ଧାରଣା କରନ୍ତୁ । ଅନନ୍ତ ଚତୁର୍ଦ୍ଦଶୀ ବ୍ରତର ଗାଥା ଶୁଣନ୍ତୁ ଏବଂ ଅନ୍ୟକୁ ମଧ୍ୟ ଶୁଣାନ୍ତୁ । ସନ୍ଧ୍ୟା ସମୟରେ ଭଗବାନ ବିଷ୍ଣୁଙ୍କୁ ପୁଣି ଥରେ ପୂଜା କରନ୍ତୁ । ଏହାପରେ ବିନା ଲୁଣରେ ମିଠା ଖାଦ୍ୟ ସେବନ କରିବ ।ଏହି ସମୟରେ ଅଷ୍ଟକୁଳା ନାଗଙ୍କୁ ମଧ୍ୟ ପୂଜା କରାଯାଇଥାଏ ।

କଣ ରହିଛି ଇତିହାସ

ଏହି ବ୍ରତ ଅତିବ ପୁଣ୍ୟପ୍ରଦ ଅଟେ । ପାପାଚରଣ ନକରି ଧାର୍ମିକ ଜୀବନ ଚର୍ଯ୍ୟା ପାଇଁ ମଧ୍ୟ ଏହି ଅନନ୍ତବ୍ରତରୁ ଉପଦେଶ ମିଳେ । ଭବିଷ୍ୟ ପୁରାଣରେ ଶ୍ରୀକୃଷ୍ଣ ଓ ଯୁଧିଷ୍ଠିର ସମ୍ବାଦରେ ଏହି ବ୍ରତର ମାହାତ୍ମ୍ୟ ବିଶେଷ ଭାବେ ବର୍ଣ୍ଣନା କରାଯାଇଛି । ଚତୁବର୍ଗ ଫଳ ଲାଭ ପାଇଁ କି କି ବ୍ରତ ପାଳନୀୟ ବୋଲି ଯୁଧିଷ୍ଠିରଙ୍କ ପ୍ରଶ୍ନରେ ଶ୍ରୀକୃଷ୍ଣ ଏହି ଅନନ୍ତବ୍ରତ ପାଳିବାକୁ ତାଙ୍କୁ ଉପଦେଶ ଦେଇଥିଲେ ।

krishan

ବ୍ରତ ଅନୁଯାୟୀ ସତ୍ୟଯୁଗରେ ସୁମନ୍ତ ନାମରେ ଜଣେ ବ୍ରାହ୍ମଣ ଥିଲେ । ତାଙ୍କର ପତ୍ନୀ ଥିଲେ ଭୃଗୁ କନ୍ୟା ଦୀକ୍ଷା । ଉଭୟଙ୍କ ମିଳନରୁ ସୁଶୀଳା ନାମରେ ଏକ କନ୍ୟା ଜନ୍ମିଥିଲା । ଦିନାନ୍ତରେ ଜ୍ଜର ରୋଗରେ ପଡ଼ି ଦୀକ୍ଷା ଦେହତ୍ୟାଗ କରିବାରୁ ସୁମନ୍ତ ବ୍ରାହ୍ମଣ ଧର୍ମପୁତ୍ରଙ୍କ କନ୍ୟା କର୍କଶାଙ୍କୁ ଦ୍ୱିତୀୟ ବିବାହ କଲେ । ସ୍ୱଭାବରେ ମୁଖରା ଓ କଳିହୁଡି କର୍କଶା ସୁଶିଳା କନ୍ୟାକୁ ମୋଟେ ସହ୍ୟ କରିପାରୁନଥିଲେ । ବୟଃପ୍ରାପ୍ତ ହେବାରୁ ସୁଶୀଳାର ବିବାହ କୌଣ୍ଡିନ୍ୟ ନାମକ ଜଣେ ବ୍ରାହ୍ମଣ ଯୁବକ ସହିତ ସମ୍ପନ୍ନ ହେଲା ।

ANATA BASUDEBAକିନ୍ତୁ ଜ୍ୱାଇଁଙ୍କୁ ଯୌତୁକ ନଦେବାକୁ ସ୍ଥିର କରି କର୍କଶା ଘରେ ଥିବା ସବୁ ସାମଗ୍ରୀ ନେଇ ପିତ୍ରାଳୟକୁ ପଳାଇଲେ । ମାତ୍ର ଚାଉଳ ଗଣ୍ଡେ ଯୌତୁକ ଦେଇ ସୁମନ୍ତ ଝିଅ ଜ୍ୱାଇଁଙ୍କୁ ବିଦାୟ ଦେଲେ । ବାଟରେ ଯାଉ ଯାଉ ଏକ ନଦୀତଟରେ ମହିଳାମାନେ ନାଲି ଲୁଗା ପିନ୍ଧି ଏହି ବ୍ରତ ପାଳନ କରୁଥିବା ଦେଖିଲେ । ସୁଶୀଳା ସେମାନଙ୍କଠାରୁ ଶିଖି ନିଜେ ବ୍ରତ କଲେ । ଫଳରେ କୌଣ୍ଡିନ୍ୟଙ୍କ ଘର ଧନରତ୍ନ ଓ ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହୋଇପଡ଼ିଲା ।

 

ANATA BASUDEBAଦିନେ କୌଣ୍ଡିନ୍ୟ କର୍କଶାଙ୍କ ହାତରେ ଥିବା ସମ୍ପତ୍ତି ନଷ୍ଟ ଭ୍ରଷ୍ଟ ହୋଇଗଲା । କୌଣ୍ଡିନ୍ୟ ପୁଣି ଅନନ୍ତ ବ୍ରତ ପାଳନ କରି ନିଜର ହୃତ ବିଭବ ଫେରି ପାଇଥିଲେ । ଏପରିକି ବିଦ୍ୟାଦାନ କରିନଥିବା ବିଦ୍ୟାପତି , ଧେନୁ, କର୍ମଚୋର ବୃଷଭ, ହସ୍ତୀ, ଗଦର୍ଭ ଓ ପୁଷ୍କରିଣୀମାନେ ମଧ୍ୟ ଅନନ୍ତ ବ୍ରତ ପାଳନ କରି ଅଭିଶାପରୁ ମୁକ୍ତ ହୋଇଥିବା ଏହି ଆଖ୍ୟାୟିକାରେ ବର୍ଣ୍ଣନା କରାଯାଇଛି । ତେଣୁ ଶ୍ରଦ୍ଧାଳୁମାନେ ନିଷ୍ଠାର ସହ ଏହି ବ୍ରତ ପାଳନ କରନ୍ତି । ଭାରତରେ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରୁ ଅନନ୍ତଙ୍କ ପୂଜା କରାଯାଉଥିବା ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନରୁ ଜନାପଡେ । ଭୁବନେଶ୍ୱରର ବିନ୍ଦୁସାଗର କୂଳରେ ଅନନ୍ତ ବାସୁଦେବଙ୍କ ମନ୍ଦିର ଥିବାବେଳେ ଶ୍ରୀମନ୍ଦିରରେ ମଧ୍ୟ ଅନନ୍ତ ପୂଜା ପାଆନ୍ତି । ଅନନ୍ତ ଚତୁର୍ଦ୍ଦଶୀରେ ଏଠାରେ ସ୍ୱତନ୍ତ୍ର ନୀତି ଭୋଗ ବନ୍ଦାପନା ଆଦି କରାଯାଇଥାଏ ।

Leave A Reply

Your email address will not be published.