ଦେହ ବିଦେହ !

ସ୍ୱାମୀ ଓ ପ୍ରେମିକ ଭିନ୍ନ ଭିନ୍ନ ହେଲେ ସମାନ ଜୀବନରେ ଦେହ ବିଦେହ ଭିତରେ ପ୍ରଶ୍ନ ହିଁ ପ୍ରଶ୍ନ !

କାହାକୁ ଭଲ ପାଇବ, କାହାକୁ ମନ ମନ୍ଦିରରେ ଈଶ୍ୱର ବାଛିବ ପ୍ରତି ନାରୀ ପାଇଁ ଦ୍ୱନ୍ଦ୍ୱ ନିଶ୍ଚୟେ । ମୃଣ୍ମୟୀ ବି ବାଦ୍ ଯାଇଥାନ୍ତା କିପରି ?

ଚତୁର୍ଥ ଶ୍ରେଣୀରୁ କଲେଜ ସରିବା ଯାଏଁ ସାମ୍ନା ବିଲଡିଂରେ ରହୁଥିବା ପାରିବାରିକ ବନ୍ଧୁ ବିଧାନକୁ ମନଭରି ଦେଖିଥିଲା ସେ ।
କ୍ଲାସରୁମରୁ କୋଚିଂ ସେଣ୍ଟର,କଲେଜ୍ କ୍ୟାଣ୍ଟିନରୁ କ୍ୟାଫେଚିନୋ କର୍ଣ୍ଣର,ଜଣଙ୍କୁ ନିଜର ଭାବି ନେବା ପରେ କଣ ଆଉ ବାକିଥାଏ ଯେ !
ଲାଗେ ଯେମିତି ମନ, ଶରୀର ଓ ଆତ୍ମା ଉପରେ କେବଳ ଜଣେ ହିଁ ଜଣଙ୍କର ଅଧିକାର।

ତଦ୍ୟପି ଯଦିଓ ବୁଝି ନଥିଲା ଯେ ପ୍ରେମ ପରିସ୍ଥିତିର ଦାସ ଥିବା ଏକ ଅଭ୍ୟାସଗତ ଅପରାଧ।

ଅମାରେ ନୀଳଜହ୍ନକୁ ଉପର ଘର ଝରକା ଫାଙ୍କରୁ ଦେଖି ଭାବଗର୍ଭା ହୁଏ ମୃଣ୍ମୟୀ । ହଲଚଲ୍ ହୁଏ ବୟସ ବଢିର କନ୍ଦର୍ପ ପବନ ଛୁଆଁରେ।

ଏହି ସମ୍ମୋହନରେ ଅଲଗା ଦୁନିଆରେ ଡୁବି ଗଲା ପରି ଭାସେ ସେ ! ମନ ଡାଏରୀରେ କେତେ ମିଛ ଚିଠି ସତକୁ ସତ ନ ଲେଖିଛି ସେ।

ଅନୁଭୂତ କରେ ସେ ପ୍ରେମିକକୁ ଅଦିଆ ଚୁମ୍ବନରୁ ଆରମ୍ଭ କରି ସଂଭୋଗର ଭୋର୍ ଯାଏ ।
ଏବଂ ସ୍ୱପ୍ନ ଦୁନିଆର ଏହି ଅହୋରାତ୍ର ହାଙ୍ଗ୍ ଓଭର୍ ମୃଣ୍ମୟୀକୁ ଏମିତି ବୁଡାଇ ରଖିଥାଏ ଯେ ସେ ଏଥିରୁ ବାହାରିବାକୁ ବି ଚାହେଁନା….

ହଁ, ବିଧାନ ବି ତା ଇଚ୍ଛାକୁ ସମ୍ମାନ ଦିଏ, ଭଲପାଏ ତାକୁ ମନଭରି । ପ୍ରତି ବଦଳରେ ଗୋଟେ କଥା ବୁଝାଏ ବି :
:- ପ୍ରେମମାନେ ତ୍ୟାଗ ଯାହା ବିଦେହ ଓ ନିସର୍ତ୍ତ ।
:- ମାନେ ?
:- ପ୍ରେମର ଶେଷ ଡେଷ୍ଟିନେସନ ବିବାହ ନୁହେଁ । କିନ୍ତୁ ଯେତେବେଳେ ଆମେ ନିଜର ଭାଗ୍ୟ ନିଜେ ସ୍ଥିର କରୁ ସେତେବେଳେ କାହା ସହ ଅଧିକା ଯୋଡି ହେବା ହିଁ ପର ମୁହୂର୍ତ୍ତରେ ଦୁଃଖ ହିଁ ଦୁଃଖ ଦିଏ ।

:- ତା ମାନେ ପ୍ରେମ କରିବା ମନା

:- ନା….ପ୍ରେମ କରିବା ମନା ନୁହେଁ । ଏହା ଜୀବନ କିନ୍ତୁ ପ୍ରେମମାନେ ବିବାହ ନୁହେଁ… ବିଦେହ !

:- ମୋତେ କନଫ୍ୟୁଜ୍ କରନି, ଗୋଲ୍ ଗୋଲ୍ କୁହନି । ସିଧା କହୁଛି..ମୁଁ କିନ୍ତୁ ତୁମ ବିନା ବଞ୍ଚି ପାରିବିନି

:- ହା…ହା,ଆତ୍ମା ବିନା ବଞ୍ଚି ହୁଏନା ଶୁଣିଛି…..

:- ହଁ, ତୁମେ ହିଁ ଆତ୍ମା ମୋର….

ଏତିକି କହି ଅବୁଝା ଶିଶୁ ପରି କାନ୍ଦିବାକୁ ଲାଗେ ମୃଣ୍ମୟୀ!

ଗୋଟେ ଜିଦ୍ ; ବିଧାନ ତୁମେ ହିଁ ତୁମେ, ମୋର । ଆଉ କାହା ସହ ବୁନ୍ଦେ ନିଶ୍ୱାସ ବି ଜୀଇଁବା କଥା ମୁଁ ସ୍ୱପ୍ନରେ ଭାବିବିନି ।

ମନେ ମନେ ହସେ ପ୍ରେମିକ, ନିଜ ପ୍ରେମିକାର ଜୀବନକୁ ନେଇଥିବା ଅନଭିଜ୍ଞତାରେ ଓ ବୁଝାଏ ବି…..

:- ଜୀବନରେ ପ୍ରେମ ତିନି ପ୍ରକାର ହିଁ ହୁଏ ।

:- ( ରୁମାଲରେ ଲୁହ ପୋଛି ପ୍ରେମିକା ,ଆଶ୍ଚର୍ଯ୍ୟର ସହ ବିଧାନକୁ ଚାହେଁ)

:- ଆମ ସମସ୍ତଙ୍କ ମନ, ଶରୀର ଓ ଆତ୍ମାର ଏକ ପ୍ରେମିକ ପ୍ରେମିକା ହୋଇପାରେ, ଅଲଗା ଅଲଗା କେବଳ ମନ ଶରୀର କ୍ଷେତ୍ରରେ !

:- ମାନେ ?

:- ମୁଁ ତୁମ ମନକୁ ଛୁଇଁଲି…ତାପରେ ଯାଇଁ ତୁମେ ମୋତେ ତୁମ ହ୍ରୁଦୟରେ ବସାଇଲ ….?

:- ହଁ….

:- ତାପରେ ସ୍ୱପ୍ନ ବି ଦେଖିଲ….ବିବାହ କରିବ ବୋଲି ।

:- ହଁ

:- ଯଦି ତୁମେ ମୋତେ ମ୍ୟାରେଜ୍ କର ଭବିଷ୍ୟତରେ, ଜାଣିବ ତାପରେ ହିଁ ମୁଁ ତୁମ ମନ ଶରୀରର ସ୍ୱାମୀ ହେଲି ।

:- ଏସବୁ ମୁଁ କିଛି ବୁଝେନି । ତୁମେ…..ଆତ୍ମା ମୋର

:- ହା…ହା, ଆତ୍ମା ସମ….କିନ୍ତୁ ଆତ୍ମା ନୁହେଁ । ଆତ୍ମାର କେବଳ ଜଣେ ମାତ୍ର ପ୍ରେମିକ କି ପ୍ରେମିକା, ଅନୁ ବିପରୀତ ଭାବେ…

:- କିଏ ସେ ?

:- ପରମାତ୍ମା

:- ବୁଝିପାରୁନି ମୁଁ…ଯାହା କୁହ ସିଧା କୁହ । ସିଧା କୁହ ମୋତେ ଭଲ ପାଉଛ କି ନା ! ଏମିତିରେ ତୁମର ସବୁ କଥା ମୋ ମୁଣ୍ଡ ଉପରେ ବାଉନସ୍…..

:- ହଁ…ମୃଣ୍ମୟୀ ବହୁତ ଭଲପାଉଛି ତୁମକୁ କିନ୍ତୁ ଏ ଯାଏଁ କେବଳ ମୁଁ ତୁମ ମନର ସ୍ୱାମୀ ! ଯଦି ବିବାହ କରିବା ତେବେ ଦେହର…

:- ( ଫିଙ୍ଗର୍ କ୍ରସଡ୍)

:- ଅପେକ୍ଷା କର ବୁଝିଯିବ ସମୟ ଠୁଁ ଭଲ ଶିକ୍ଷକ କେହି ନୁହେଁ ।

ତାପରେ…

ତାପରେ କଲେଜ୍ ସରିଯାଏ । ବିଧାନ ତା ବାପା ମାଆଙ୍କ ସ୍ୱପ୍ନ ସାକାର କରିବାକୁ ଦିଲ୍ଲୀ ପଳାଏ ।

ଆଉ…..ମୃଣ୍ମୟୀ କେଇ ବର୍ଷ ପରେ ନିଜ ଘରର ଇଜ୍ଜତ ପାଇଁ ସାମାଜିକ ଜାତି ବ୍ୟବସ୍ଥାକୁ ସମ୍ମାନ କରି ମନସ୍ୱକୁ ବିବାହ କରେ ।

ହଁ….ବହୁତ କାନ୍ଦିଛି ସେ ବିବାହ ସମୟରେ । ସହଜରେ ସ୍ୱୀକାର କରି ପାରିନି ବିଧାନ ବିନା ତା ଜୀବନକୁ ।

କିନ୍ତୁ …ନା ବିଧାନ ସେତେବେଳକୁ ସେଟେଲ୍…ନା ନିଜ ଜନ୍ମକଲା ବାପାମାଙ୍କ ଭଲ ପାଇବାକୁ ଏଡାଇ ପାରିଲା ସେ ।

ଏମିତିକି ବିବାହ ପରେ….ବହୁଦିନ ଯାଏଁ ନିଜକୁ ନିଜ ସ୍ୱାମୀ ପାଖରେ ସମର୍ପିତ କରିପାରିନି ସେ ।

ସମୟ କ୍ରମେ ମନସ୍ୱ ସହ ରହିବା ପରେ, ତାଙ୍କ ଭଲପାଇବାକୁ ବୁଝିବା ପରେ ଅନୁଭବ କରିଛି
ମୃଣ୍ମୟୀ ଯେ : ପ୍ରେମ ବାରମ୍ବାର ହୁଏ…!

ହଁ, ସେ ଏବେ ତା ସ୍ୱାମୀ ପ୍ରେମରେ !

ଏମିତିକି ସ୍ୱାମୀ ଭାବରେ ମନସ୍ୱ ବି ମୃଣ୍ମୟୀକୁ ଓ ତା ଅତୀତ ବିଧାନକୁ ସହର୍ଷ ସ୍ୱୀକାର କରି ନେଇଛନ୍ତି !

କିନ୍ତୁ ପ୍ରଶ୍ନ : ପ୍ରେମିକ ଓ ସ୍ୱାମୀ ଭିନ୍ନ ଭିନ୍ନ ଥାଇ ଜଣେ ନାରୀ କେବେ କଣ ଏକକାଳୀନ ଉଭୟଙ୍କ ସହ ରହି ପାରିବ ?

ଉତ୍ତର : ହଁ…..

ସେଦିନର ଘଟଣା ! ଭୋରର ପୂର୍ବ ଫିକ୍ସଡ୍ ଋତୁସ୍ରାବ ପରେ ସ୍ନାନ ସାରି ମୁକୁର ସାମ୍ନାରେ ଶୃଙ୍ଗାରର ମୁହଁ ସଜାଡୁଥାଏ ମୃଣ୍ମୟୀ । ଲତ୍ ଲତ୍ ହେଇ ଝରୁଥାଏ ସଦ୍ୟ ଲଗା ହେଡ୍ ଆଣ୍ଡ ସୋଲଜର୍ ସାମ୍ପୋ ଝର !

ମନସ୍କ ଥାଏ ସେ, ଅନ୍ୟମନସ୍କ ବି ।

ବିଧବା ଖୋର୍ଦ୍ଧା ଗାମୁଛାରେ ବେଣୀ ବନ୍ଧନୀକୁ ପୋଛିଲା ବେଳେ ଭାବୁଥାଏ ଆଜି ବି କାହିଁକି, ବିଧାନର ମୋହ ମୂର୍ଚ୍ଛନାରେ ସେ ।

ହଠାତ୍ ଡ୍ରେସିଂ ଟେବୁଲ୍ ଭିତରୁ “ ମୋତେ ନାଇବୁନି କି ” ଡାକ ଛାଡେ କଜ୍ଜଳ ।

ଓ ସେ’ କଜ୍ଜଳ ନାଇଲା ବେଳେ ନିଜର ନାଁ ହିଁ ନଥିବା ଆଖି ଦେଖି ଚମକି ପଡେ ମୃଣ୍ମୟୀ ।

ଭାବେ ; କେତେ ଲମ୍ବା ରାସ୍ତା ଅତିକ୍ରମ କଲାଣି ଏହା ଭିତରେ ସେ ତଥାପି ତା ମନାତ୍ମାର ଦିପଟ ଧାରାରେ ଚରାବାଲି ମରୀଚିକା ।

କାନ୍ଦିବାକୁ ଚାହେଁ..ଚାହିଁଲେ ବି କୋଉ କାନ୍ଦି ପାରେ କି ?

କାରଣ..ସେପଟ ରୁମରେ ତା ପ୍ରେମିକ ଓ ସ୍ୱାମୀ ଉଭୟ ଶୋଇଛନ୍ତି ।

ଟିକେ ବି ଶବ୍ଦ ଆରପାର୍ ହେଲେ ଉଠାନିଦ ସାମ୍ନାରେ ପ୍ରଶ୍ନର ଅଗ୍ନିପରୀକ୍ଷା ଦେବାକୁ ହେବ ।

ସତରେ, ସଂସାର ଅଭିନୟରେ ଉସ୍ତାଦ ହେଇ ଗଲାଣି ସେ ।

କାହିଁକି…..ଶାଢୀ ବିନା ସାୟା ବ୍ଲାଉଜ ପିନ୍ଧା ଦେହରେ ନିରେଖି ଦେଖେ ନିଜକୁ ମୃଣ୍ମୟୀ ?

ବୁଝେ ; ନାରୀର ନ ସ୍ୱୀକାର କରିବା ପରର ଅଦେଖା ଲୁହ ଥାଏ ମାଆର, ଭଉଣୀର, ପ୍ରେମିକାର, ପତ୍ନୀର କି କନ୍ୟାର । କିନ୍ତୁ ସେ ଲୁହ ମରି ଯାଇଥାଏ, ଯାହା ଥାଏ ଆଉ କାହାକୁ ବିବାହ କରି ସାରିଥିବା ପ୍ରେମିକା ଆଖିରେ ।

ମରି ସାରିଥାଏ ଭିତରୁ, ଯେବେ ଯନ୍ତ୍ରଣାସିକ୍ତ ଅତୀତ ବର୍ତ୍ତମାନ, ଭବିଷ୍ୟ ଉଭୟର ହତ୍ୟା କରେ ।

ସତରେ, କେତେ ଖୁସି ନଥିଲା ସେ…ନିଜର ଛାଡି ଆସିଥିବା ଅତୀତରେ ।

ନା…ମୋତେ ଫେରିବାକୁ ହେବ ମୋ ଅତୀତକୁ !

ଟାଇମ୍ ମେସିନରେ ବସେ ମୃଣୟୀ ! ଫେରିଯାଏ ନିଜର ଅତୀତକୁ…ଓ ଖୋଜେ ତା ପ୍ରେମର ମିଠା ମୁହୂର୍ତ୍ତ ଗୁଡାକୁ….!

ହଠାତ୍…..ସେପଟେ ରୁମ୍‌ରୁ ଡାକ ଶୁଭେ ସ୍ୱାମୀଙ୍କର ଓ କାନ୍ଦ ରହି ରହି ଶୁଭେ ପ୍ରେମିକର…

ତରତରରେ ଦେହରେ ଲୁଗା ଗୁଡାଇ ସେପଟ ରୁମକୁ ଦୌଡିଯାଏ ମୃଣ୍ମୟୀ , ଜାଣିବାକୁ କଣ ହେଇଛି !

:- ହା….ହା, ଦେଖୁଛ ତ…

:- କଣ ?

:- ଦେଖୁନ…ପୁଅ ତୁମର କ୍ଲାସ୍ ଥ୍ରିରେ…ତଥାପି ବାବୁ ଆମର ଶେଯରେ ସୁ….ସୁ !

 

ଲେଖକ : ମାମପ୍ରବା ଉଗିସୁ

Leave A Reply

Your email address will not be published.